ଭାଗଲପୁରରେ ବସ-ଟ୍ରକ ମୁହାଁମୁହିଁ ଧକ୍କା, ୯ ମୃତ

ପାଟନା: ମହାରାଷ୍ଟ୍ର ପରେ ବିହାରରେ ଆଜି ଆଉ ଏକ ସଡ଼କ ଦୁର୍ଘଟଣା ଘଟିଛି। ଭାଗଲପୁରର ନଉଗାଛିରେ ଆଜି ବସ-ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ୯ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଟ୍ରକଟି ଶ୍ରମିକଙ୍କୁ ନେଇ ଯାଉଥିଲା, ବସ ସହିତ ଧକ୍କା ହେବାପରେ ଟ୍ରକଟି ଓଲଟି ପଡ଼ିଛି। ଏଥିରେ ଥିବା ୯ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ବସରେ ଥିବା ସମସ୍ତ ୩୫ ଯାତ୍ରୀ ସୁରକ୍ଷିତ ରହିଛନ୍ତି। କିଛି ଲୋକ ସାମାନ୍ୟ ଆହତ ହୋଇଛନ୍ତି। ପ୍ରବାସୀଙ୍କୁ ନେଇ ବସଟି ଯାଉଥିବାବେଳେ ଏକ ଟ୍ରକ ସହିତ ଧକ୍କା ହେବାରୁ ଦୁର୍ଘଟଣା ଘଟିଛି। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସେହିପରି ଆଜି ସକାଳେ ମହାରାଷ୍ଟ୍ରରେ ପ୍ରବାସୀଙ୍କୁ ନେଇ ଯାଉଥିବା ଏକ ବସ ଦୁର୍ଘଟଣାର ଶିକାର ହୋଇଛି। ଏକ ଡମ୍ପର ବସଟିକୁ ଧକ୍କା ଦେବାରୁ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ଘଟିଛି ୨୨ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି। ମହାରାଷ୍ଟ୍ରର ୟଭତମଲରେ ଏହି ଦୁର୍ଘଟଣା ଘଟିଛି। ବସଟି ସୋଲାପୁରରୁ ଝାଡ଼ଖଣ୍ଡ ଯାଉଥିଲା।

ଦୁର୍ଘଟଣା ଖବର ପାଇବା ପରେ ଘଟଣାସ୍ଥଳରେ ପୁଲିସ ଓ ଉଦ୍ଧାରକାରୀ ଟିମ୍ ପହଞ୍ଚି ଲୋକଙ୍କୁ ଉଦ୍ଧାର କରାଯାଇଛି। ୨୨ ଆହତଙ୍କ ମଧ୍ୟରୁ କିଛି ଗୁରୁତର ରହିଛନ୍ତି।

ବସ ଓ ଡମ୍ପର ମଧ୍ୟରେ ଏଭଳି ଧକ୍କା ହୋଇଛି ଯେ ବସଟିର ଆଗ ପଟ ସମ୍ପୂର୍ଣ ନଷ୍ଟ ହୋଇଯାଇଛି। ଡମ୍ପର ଭିତରେ ଥିବା ସମସ୍ତ ଲୋକ ଆହତ ହୋଇଛନ୍ତି। ସମସ୍ତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।