ମୁମ୍ବାଇ: ଶିବସେନା ମୁଖ୍ୟ ଉଦ୍ଧବ ଠାକ୍ରେଙ୍କ ଶପଥ ଗ୍ରହଣ ପାଇଁ ଅତିଥି ନିମନ୍ତ୍ରଣର ଦାୟିତ୍ୱ ନେଇଛନ୍ତି ପୁଅ ଆଦିତ୍ୟ ଠାକ୍ରେ। ସେ ଆଜି କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ନିମନ୍ତ୍ରଣ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ମନମୋହନ ସିଂହଙ୍କୁ ମଧ୍ୟ ସେ ନିମନ୍ତ୍ରଣ କରିଛନ୍ତି।
ସେ ଆଜି ୨ ବରିଷ୍ଠ କଂଗ୍ରେସ ନେତାଙ୍କୁ ନିମନ୍ତ୍ରଣ କରିବା ସହ ମହା ବିକାଶ ଅଘାଡି ପାଇଁ ଆଶୀର୍ବାଦ ଏବଂ ଶୁଭେଚ୍ଛା ମାଗିଥିବା କହିଛନ୍ତି। ସୋନିଆଙ୍କ ବାସଭବନ ୧୦ ଜନପଥରେ ଠାକ୍ରେ ପରିବାର ସଦସ୍ୟ ଆଦିତ୍ୟ ପାଦ ଦେବା ମହରାଷ୍ଟ୍ର ରାଜନୀତି ସମେତ ଭାରତୀୟ ରାଜନୀତି ପାଇଁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି।
ପୂର୍ବରୁ ଏନ୍ସିପି ନେତା ପ୍ରଫୁଲ ପଟେଲ ସୂଚନା ଦେଇସାରିଛନ୍ତି, ଏନ୍ସିପିରୁ ଉପମୁଖ୍ୟମନ୍ତ୍ରୀ ହେବେ। ଅନ୍ୟପକ୍ଷରେ କଂଗ୍ରେସରୁ ବାଚସ୍ପତି ହେବା ନିଶ୍ଚିତ ହୋଇସାରିଛି। ଆସନ୍ତାକାଲି ଉଦ୍ଧବ ଶିବାଜୀ ପାର୍କଠାରେ ଶପଥ ନେବାକୁ ଥିବାବେଳେ ଏଥିପାଇଁ ଏହି ଅଞ୍ଚଳରେ ଟ୍ରାଫିକ୍ କଟକଣା ଜାରି କରାଯାଇଛି।