ନୂଆଦିଲ୍ଲୀ: ସେପ୍ଟେମ୍ୱର ମାସରେ କେନ୍ଦ୍ର ସରକାର ଆଣିଥିବା ତିନି କୃଷି ଆଇନକୁ କଳା ଆଇନ୍ କହିଛନ୍ତି ଚାଷୀ ସଂଗଠନ ଏବଂ ବିରୋଧୀ। ସରକାର ଏହି ଆଇନକୁ ରଦ୍ଦ ନକରିବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଚାଷୀ ସଂଗଠନ ଚେତାବନୀ ଦେଇଛନ୍ତି। ବିଜେପି କିନ୍ତୁ କହିଛି ଏହି ଆଇନକୁ ନେଇ ବିରୋଧୀ ଦୋମୁହାଁ ନୀତି ଅବଲମ୍ୱନ କରୁଛି। ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଓଟିଭିକୁ ସାକ୍ଷାତକାର ଜରିଆରେ ଏନସିପି ନେତା ତଥା ପୂର୍ବତନ କେନ୍ଦ୍ର କୃଷି ମନ୍ତ୍ରୀ ଶରଦ ପାଓ୍ୱାରଙ୍କ ଦୋମୁହାଁ ନୀତିକୁ ସାମ୍ନାକୁ ଆଣିଥିଲେ। ସେହିପରି ଏହି କୃଷି ଆଇନକୁ ୨୦୧୯ ନିର୍ବାଚନ ବେଳେ କଂଗ୍ରେସ ନିଜ ନିର୍ବାଚନୀ ଇସ୍ତାହାରରେ ପ୍ରକାଶ କରିଥିଲା। କେନ୍ଦ୍ର ସରକାର ଆଣିଥିବା ତିନି ଆଇନ୍ ହେଲା କୃଷି ଉତ୍ପାଦ ବାଣିଜ୍ୟ, କଣ୍ଟ୍ରାକ୍ଟ ଫାର୍ମିଂ, ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ)।
ଅଧିକ ପଢ଼ନ୍ତୁ : ଚାଷୀଙ୍କ ସମର୍ଥନରେ ଇସ୍ତଫା ଦେଲେ ଡିଆଇଜି
ଆନ୍ଦୋଳନରେ ମୋଟ୍ ୩୧ଟି ଚାଷୀ ସଂଗଠନ ସାମିଲ୍ ହୋଇଛନ୍ତି। ଯେଉଁମାନେ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନରେ ବସିଛନ୍ତି। ଏହି ସଂଗଠନ ମଧ୍ୟରେ ଭାରତୀୟ କିଷାନ ୟୁନିଅନ୍ (ଭିକେୟୁ) ଅନ୍ୟତମ। ଚାଷୀ ଆଇନ୍ ରଦ୍ଦ ପାଇଁ ଦାବି କରିଛି ଏହି ସଂଗଠନ। ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଏହି ସଂଗଠନ ସରକାର ଆଣିଥିବା କୃଷି ଆଇନକୁ ଦାବି କରିଥିଲା ଏହି ସଂଗଠନ। କୃଷି ଆଇନ୍ ଆସିବା ପରେ ଏମାନଙ୍କ ଦାବି ପୂରଣ ହୋଇଛି। ହେଲେ ରାଜନୀତିକ ସ୍ଥିତି ପଟ ପରିବର୍ତ୍ତନ କରୁଥିବା ଦେଖି ଏମାନେ ମଧ୍ୟ ସ୍ୱର ବଦଳାଇଛନ୍ତି। ଯାହାର ପ୍ରମାଣ ହେଉଛି ଭିକେୟୁ କରିଥିବା ଏହି ଟ୍ୱିଟ୍।
https://twitter.com/BKU_KisanUnion/status/1101674010666913792?s=20
ଭାରତୀୟ କିଷାନ ୟୁନିଅନ୍ ଏହି ଟ୍ୱିଟରେ କହିଛି ଦୀର୍ଘ ଦିନ ଧରି ଏଜେଣ୍ଟ କବଳରୁ ଚାଷୀଙ୍କ ମୁକ୍ତି ପାଇବା ପାଇଁ ଭିକେୟୁ ସମାନ ଦାବି କରୁଥିଲା। ହେଲେ ଏଜେଣ୍ଟଙ୍କ କବଳରୁ ମୁକ୍ତ କରିବାରେ ସରକାର ବିଫଳ ହୋଇଛନ୍ତି। ଭାରତୀୟ କିଷାନ ୟୁନିଅନ୍ ପକ୍ଷରୁ ହୋଇଥିବା ଏହି ଟ୍ୱିଟରେ ସେତେବେଳର କେନ୍ଦ୍ରମନ୍ତ୍ରୀ ରାମ ବିଳାଶ ପାଶଓ୍ୱାନ, ପଞ୍ଜାବ ସରକାର, ଜୟରାମ ରମେଶ ଏବଂ ଦ ଟ୍ରିବ୍ୟୁନକୁ ଟାଗ୍ କରାଯାଇଛି। ଏହି ଟ୍ୱିଟ୍ ଭେକିୟୁ ତରଫରୁ ମାର୍ଚ୍ଚ ୨, ୨୦୧୯ରେ ହୋଇଥିଲା। ସୂଚନାଯୋଗ୍ୟ, କଣ୍ଟ୍ରାକ୍ଟ ଫାର୍ମିଂ ଜରିଆରେ ଚାଷୀଙ୍କୁ ମଣ୍ଡି ବାହାରେ ଫସଲ ବିକ୍ରି କରିବାକୁ ଆଇନରେ ବ୍ୟବସ୍ଥା କରିଛନ୍ତି। ଏମିତି ହେଲେ ଏଜେଣ୍ଟ ଏବଂ କମିଶନଙ୍କ ଦାଉରୁ ଚାଷୀ ବର୍ତ୍ତି ପାରିବେ ଓ ଅଧିକ ଲାଭ ପାଇପାରିବେ। ଏବେ କିନ୍ତୁ ଏହି ବ୍ୟବସ୍ଥାକୁ ବିରୋଧ କରୁଛି ଏହି ସଂଗଠନ। ଏଥିସହ ଏମଏସପିରୁ କମ୍ ଦାମରେ ଚାଷୀ ପାଖରୁ ବେପାରୀ ବା କମ୍ପାନୀ ଫସଲ କିଣିଲେ ଜେଲ୍ ପାଇଁ ଦାବି କରିଛି ଭିକେୟୁ। ଏବେ ସରକାରଙ୍କ ଏହି ଆଇନକୁ ବିରୋଧ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛି ଏହି ଚାଷୀ ସଂଗଠନ।
https://twitter.com/BKU_KisanUnion/status/1113403567233073157?s=20
ସେହିପରି ଓଟିଭିକୁ ସାକ୍ଷାତକାର ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଥିଲେ ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ନିଜ ନିର୍ବାଚନୀ ଇସ୍ତାହାରରେ ସ୍ପଷ୍ଟ ଭାବରେ କହିଥିଲା କ୍ଷମତାକୁ ଆସିଲେ ମଣ୍ଡି ବ୍ୟବସ୍ଥାରେ ସଂଶୋଧନ କରାଯିବ। କଣ୍ଟ୍ରାକ୍ଟ ଫାର୍ମିଂ ବା ଚୁକ୍ତି ଭିତ୍ତିକ ଚାଷକୁ ଲାଗୁ କରିବା ନେଇ ପ୍ରତିଶ୍ରୁତି ଦେଇଥିଲା। ସେହିପରି ୨୦୧୩ରେ ରାହୁଲ ଗାନ୍ଧୀ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଏକ ବୈଠକ କରିଥିଲେ। ଯେଉଁଥିରେ ଫଳ ଏବଂ ପରିବାକୁ ମଣ୍ଡି ବ୍ୟବସ୍ଥାରୁ ବାଦ୍ ଦେବା ପାଇଁ ନିଷ୍ପତ୍ତି ହୋଇଥିଲା। ମନମୋହନ ସିଂହ ସରକାର ସମୟରେ ନୀତି ଆୟୋଗ ମଧ୍ୟ ସମାନ ପ୍ରସ୍ତାବ ଦେଇଥିଲା।
ସେହିପରି ମନମୋହନ ସିଂହ ସରକାର ବେଳେ ଏବେର ଏନସିପି ସୁପ୍ରିମୋ ଶରଦ ପାଓ୍ୱାର କୃଷି ମନ୍ତ୍ରୀ ଥିଲେ। ସେତେବେଳେ ରାଜ୍ୟ ସରକାରଙ୍କୁ ଚିଠି ଲେଖି ମଣ୍ଡି ବ୍ୟବସ୍ଥାକୁ ଘରୋଇ କରଣ କରିବାକୁ ପ୍ରସ୍ତାବ ଦେଇଥିଲେ। ନହେଲେ କେନ୍ଦ୍ର ସରକାର ପାଣ୍ଠି ଯୋଗାଇବା ବନ୍ଦ କରିଦେବେ ବୋଲି ରୋକଠୋକ୍ କହିଥିଲେ। ସେତେବେଳେ ଏହାକୁ ଟିଏମସି, ଆରଜେଡି, ଏନସିପି, ନ୍ୟାଶନାଲ କନଫରେନସ, ଟିଡିପି ଏବଂ ଅଣ ବିଜେପି ଦଳ ସରକାରରେ ସାମିଲ୍ ଥିଲେ ବୋଲି କହିଛନ୍ତି।
ସୂଚନାଯୋଗ୍ୟ, କୃଷି ଆଇନକୁ ବିରୋଧ କରି ବିରୋଧୀ ନିକଟରେ ରାଷ୍ଟ୍ରପତିଙ୍କୁ ଭେଟିଥିଲେ। ଚାଷୀଙ୍କ ଦାବି ଅନୁଯାୟୀ ଆଇନ୍ ରଦ୍ଦ ହେବା ଦରକାର ବୋଲି ରାଷ୍ଟ୍ରପତିଙ୍କ ନିକଟରେ ଦାବି କରିଛନ୍ତି। ଏନସିପି ନେତା ଶରଦ ପାଓ୍ୱାର କହିଥିଲେ ଚାଷୀ ମାନେ ଥଣ୍ଡା କାକରରେ ପଡ଼ି ରହିଛନ୍ତି। ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ କରି ଚାଷୀ ତାଙ୍କ ଅଧିକାର ଦାବି କରୁଛନ୍ତି। ସରକାର ତୁରନ୍ତ ଚାଷୀଙ୍କ ଦାବିକୁ ଶୁଣିବା ଦରକାର।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।