ଲକ୍ଷ୍ନୌ: ବୁଧବାର ଅଲ୍ ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ’ ବୋର୍ଡ (ଏଆଇଏମ୍ପିଏଲ୍ବି) ପକ୍ଷରୁ କୁହାଯାଇଛି ସେମାନେ ସୁପ୍ରିମ୍କୋର୍ଟଙ୍କ ଅଯୋଧ୍ୟା ରାୟ ବିରୋଧରେ ରିଭ୍ୟୁ ଆବେଦନ କରିବେ। ଆସନ୍ତା ଡିସେମ୍ବର ୯ ପୂର୍ବରୁ ସେମାନେ ରିଭ୍ୟୁ ଆବେଦନ କରିବେ ବୋଲି କହିଛନ୍ତି।
ସୂଚନାଯୋଗ୍ୟ ଯେ, ଦଶନ୍ଧି ଦଶନ୍ଧି ଧରି ଲାଗିରହିଥିବା ରାମଜନ୍ମଭୂମି ଏବଂ ବାବ୍ରୀ ବସଜିଦ୍ ବିବାଦର ଅନ୍ତ ଘଟାଇ ଗତ ନଭେମ୍ବର ୯ ତାରିଖରେ ସୁପ୍ରିମ୍କୋର୍ଟ ନିର୍ଣ୍ଣାୟକ ରାୟ ଦେଇଥିଲେ। କୋର୍ଟ କହିଥିଲେ, ବିବାଦୀୟ ୨.୭୭ ଏକର ଜମିରେ ରାମ ମନ୍ଦିର ହେବ ଏବଂ ମସଜିଦ୍ ନିର୍ମାଣ ପାଇଁ ଏକ ପ୍ରମୁଖ ସ୍ଥାନରେ ୫ ଏକର ଜମି ଦିଆଯିବ।
ଏହି ରାୟକୁ ସୁନ୍ନି ୱାକଫ୍ ବୋର୍ଡ ସମ୍ପୂର୍ଣ୍ଣ ଗ୍ରହଣ କରିନଥିଲେ ହେଁ ଏହା ରିଭ୍ୟୁ ଆବେଦନ କରିବ ନାହିଁ ବୋଲି ମଙ୍ଗଳବାର କହିସାରିଛି। ସୁନ୍ନି ବୋର୍ଡ କିନ୍ତୁ ୫ ଏକର ଜମି ଗ୍ରହଣ କରିବ କି ନା ଏଯାଏ ଜଣାଇନାହିଁ।
ଏଆଇଏମ୍ପିଏଲ୍ବି ସମ୍ପାଦକ ଜଫରୟାବ ଜିଲାନୀ କହିଛନ୍ତି, ସୁନ୍ନି ନିଷ୍ପତ୍ତିର ଆମ ଉପରେ କୌଣସି ପ୍ରଭାବ ପଡ଼ିବନାହିଁ। ସେ କହିଛନ୍ତି, “ଆମ ସାମ୍ବିଧାନିକ ଅଧିକାରକୁ ଜାହିର କରି ଅମା ବାବ୍ରି ମସଜିଦ୍ ମାମଲାରେ ଏକ ପିଟିସନ୍ ଦାୟର କରିବାକୁ ଯାଉଛୁ। ଡିସେମ୍ବର ପ୍ରଥମ ସପ୍ତାହରେ ଏହି ଆବେଦନ କରାଯିବ। ସୁନ୍ନି ଏହି ମାମଲା ଆଗକୁ ନ ବଢ଼ାଇବା ଆଇନଗତ ଭାବେ ଆମକୁ ପ୍ରଭାବିତ କରିବ ନାହିଁ। ସମସ୍ତ ମୁସଲିମ୍ ସଂଗଠନ ଏକାଠି ଅଛନ୍ତି।”
ଜିଲାନୀ କହିଛନ୍ତି, କାହା ପକ୍ଷରୁ ଏହା ଦାୟର କରାଯିବ ସେନେଇ ନିଷ୍ପତ୍ତି ହେବାପରେ ଆବେଦନର ତାରିଖ ଜଣାପଡ଼ିଯିବ। ସେ ଅଭିଯୋଗ ଆଣିଛନ୍ତି ଯେଉଁମାନେ ଆବେଦନ କରିବା କଥା ସେମାନଙ୍କୁ ଉତ୍ତରପ୍ରଦେଶ ପୁଲିସ୍ ହଇରାଣ କରୁଛି।