ନୂଆଦିଲ୍ଲୀ: କୁମ୍ଭୀର ଆକ୍ରମଣରେ ଅନେକ ଲୋକଙ୍କ ମୃତ୍ୟୁ ହେବା କଥା ଆପଣ ଶୁଣିଥିବେ। କିନ୍ତୁ ଏଭଳି ଆକ୍ରମଣରେ ମୃତ୍ୟୁ ହେବା ପରେ କେହି ପ୍ରତିଶୋଧ ନେବା କଥା ଆପଣ ଶୁଣିଛନ୍ତି? ଏହିପରି ଏକ ଦେହ ଥରାଇବା ପରି ଘଟଣା ଘଟିଛି ଇଣ୍ଡୋନେସିଆରେ। ଶନିବାର ସେଠାରେ ଥିବା ଏକ କୁମ୍ଭୀର ସଂରକ୍ଷଣ କେନ୍ଦ୍ର ନିକଟକୁ ଜଣେ ବ୍ୟକ୍ତି ପାଳିତ ପଶୁଙ୍କ ପାଇଁ ଚାରା ଆଣିବାକୁ ଯିବା ସମୟରେ କୁମ୍ଭୀର ତାଙ୍କର ଗୋଟିଏ ଗୋଡ଼କୁ କାମୁଡ଼ି ଦେଇଥିଲା ଏବଂ ସେଥିରେ ତାଙ୍କର ମୃତ୍ୟୁ ହୋଇଥିଲା।
ଏହାପରେ ସ୍ଥାନୀୟ ଲୋକ ଉତ୍ତ୍ୟକ୍ତ ହୋଇ ଛୁରୀ ଓ ଭୁଜାଲି ନେଇ କୁମ୍ଭୀର ସଂରକ୍ଷଣ କେନ୍ଦ୍ରରେ ଥିବା ୪ ଇଞ୍ଚ୍ ଲମ୍ବ କୁମ୍ଭୀର ଛୁଆଙ୍କ ସମେତ ଦୁଇ ମିଟର ଲମ୍ବ ୨୯୨ଟି କୁମ୍ଭୀରଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ସ୍ଥାନୀୟ ପୁଲିସ୍ର କହିବା ଅନୁଯାୟୀ କୁମ୍ଭୀର ସଂରକ୍ଷଣ କେନ୍ଦ୍ର ମୃତ ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହା ପରେ ମଧ୍ୟ ଉତ୍ତ୍ୟକ୍ତ ଲୋକେ ପ୍ରତିଶୋଧ ସ୍ୱରୂପ ୨୯୨ଟି କୁମ୍ଭୀରଙ୍କୁ ହତ୍ୟା କରିଛନ୍ତି। ଏହି କୁମ୍ଭୀରଙ୍କ ମୃତ୍ୟୁ ପରେ ପୁଲିସ୍ ତଦନ୍ତ ଆରମ୍ଭ କରି ହତ୍ୟାକାରୀଙ୍କ ଉପରେ ଅପରାଧିକ ମାମଲା ରୁଜୁ କରିଛି। ତେବେ ଇଣ୍ଡୋନେସିଆରେ କୁମ୍ଭୀରଙ୍କର ଅନେକ ପ୍ରଜାତି ରହିଛି ଏବଂ ଏମାନଙ୍କୁ ସେଠାରେ ସଂରକ୍ଷିତ ଜୀବର ମାନ୍ୟତା ଦିଆଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।