ନୂଆଦିଲ୍ଲୀ: ଧର୍ମ ଆଧାରରେ ଭୋଟ୍ ଭିକ୍ଷା କରି ବିବାଦରେ ପଡ଼ିଯାଇଛନ୍ତି କଂଗ୍ରେସ ନେତା ନବଜ୍ୟୋତ୍ ସିଂହ ସିଦ୍ଧୁ। ବିହାରରେ ଏକ ନିର୍ବାଚନୀ ସଭାରେ ସେ ମୁସଲିମ୍ ଭୋଟରଙ୍କୁ ଅନ୍ୟ କୌଣସି ରାଜନୀତିକ ଦଳଙ୍କୁ ଭୋଟ୍ ନ ଦେବାକୁ ନିବେଦନ କରିଥିଲେ। ତେବେ ତାଙ୍କର ଏହି ମନ୍ତବ୍ୟ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଥିବା ନେଇ ଅନ୍ୟ ରାଜନୀତିକ ଦଳଗୁଡ଼ିକ ଅଭିଯୋଗ କରିଥିଲେ। ଏହାପରେ ବିହାର ନିର୍ବାଚନ କମିଶନ ସିଦ୍ଧୁଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ଏ ସଂକ୍ରାନ୍ତରେ ମୁଖ୍ୟ ନିର୍ବାଚନ କମିଶନଙ୍କୁ ମଧ୍ୟ ବିହାର ନିର୍ବାଚନ କମିଶନ ରିପୋର୍ଟ ଦେଇଥିବା ଜଣାପଡ଼ିଛି।
କ'ଣ କହିଥିଲେ ସିଦ୍ଧୁ?
ବିହାରର କଟିହାରରେ ଏକ ନିର୍ବାଚନୀ ସଭାରେ ଯୋଗ ଦେଇ ସିଦ୍ଧୁ କହିଥିଲେ, ଏଆଇଏମ୍ଆଇଏମ୍ ମୁଖ୍ୟ ଅସାଦୁଦ୍ଦିନ୍ ଓୱେସୀ ଏଠି ମୁସଲିମ୍ ପ୍ରାର୍ଥୀ ଦେଇ ଭୋଟ୍ ଭାଗ କରିବାକୁ ଚାହୁଁଛନ୍ତି। ହେଲେ ଏଆଇଏମ୍ଆଇଏମ୍ ଏଠାକୁ ନୂଆକରି ଆସିଥିବା ଦଳ। ତେଣୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହରାଇବା ପାଇଁ କିଷାନଗଞ୍ଜର କଂଗ୍ରେସ ପ୍ରାର୍ଥୀ ତାରିକ ଅନୱାରଙ୍କୁ ଭୋଟ୍ ଦେବାକୁ ପଡ଼ିବ।
କିଷାନଗଞ୍ଜ ନିର୍ବାଚନ ମଣ୍ଡଳୀରେ ୬୫ ପ୍ରତିଶତ ମୁସ୍ଲିମ୍ ଭୋଟର ଅଛନ୍ତି। ତେଣୁ ଏଆଇଏମଆଇଏମ ଏଠି ପ୍ରାର୍ଥୀ ଦେଇଛି। ଅନ୍ୟପକ୍ଷରେ କଂଗ୍ରେସ ବିହାରରେ ଆରଜେଡି ସହିତ ମେଣ୍ଟ କରି ଚଳିତ ସାଧାରଣ ନିର୍ବାଚନ ଲଢୁଛି।
ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଯୋଗୀ ଆଦିତ୍ୟନାଥ, ମାନେକା ଗାନ୍ଧି ଓ ବିଏସ୍ପି ସୁପ୍ରିମୋ ମାୟାବତୀ ଧର୍ମ ଆଧାରରେ ଭୋଟ୍ ପାଇଁ ଅପିଲ୍ କରିଥିଲେ। ସେଥିପାଇଁ ନିର୍ବାଚନ କମିଶନ ସେମାନଙ୍କ ପ୍ରଚାର ଉପରେ ନିର୍ଦ୍ଧାରିତ ସମୟ ପାଇଁ କଟକଣା ଲଗାଇଛନ୍ତି।