ଅଜିତଙ୍କ ‘ପାୱାର’ ବଳରେ ମହାରାଷ୍ଟ୍ରରେ ଦେବେନ୍ଦ୍ର ସରକାର

ମୁମ୍ବାଇ: ମହାରାଷ୍ଟ୍ର ମହାନାଟକରେ ମହା ଚକ୍‌ମା ଦେଇ ବିଜେପିର ଦେବେନ୍ଦ୍ର ଫଡ଼ନାଭିସ୍‌ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଅନ୍ୟପକ୍ଷରେ ଏନ୍‌ସିପି ସୁପ୍ରିମୋ ଶରଦ ପାୱାରଙ୍କ ପୁତୁରା ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। କଂଗ୍ରେସ, ଏନ୍‌ସିପି ଏବଂ ଶିବସେନା ଶୁକ୍ରବାର ସ୍ଥିର କରିଥିଲେ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ହିଁ ମୁଖ୍ୟମନ୍ତ୍ରୀ ହେବେ। ଏପରିକି ନିଜେ ଠାକ୍‌ରେ ଏଥିପାଇଁ ସହମତି ଦେଇସାରିଥିଲେ। କିନ୍ତୁ ଶନିବାରର ସକାଳରେ କିଛି ଅଲଗା ଘଟିବ ବୋଲି ଲେଖା ଥିଲା। […]

maharastra

Subrat Kumar Nayak
  • Published: Saturday, 23 November 2019
  • , Updated: 23 November 2019, 10:37 PM IST

ମୁମ୍ବାଇ: ମହାରାଷ୍ଟ୍ର ମହାନାଟକରେ ମହା ଚକ୍‌ମା ଦେଇ ବିଜେପିର ଦେବେନ୍ଦ୍ର ଫଡ଼ନାଭିସ୍‌ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଅନ୍ୟପକ୍ଷରେ ଏନ୍‌ସିପି ସୁପ୍ରିମୋ ଶରଦ ପାୱାରଙ୍କ ପୁତୁରା ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। କଂଗ୍ରେସ, ଏନ୍‌ସିପି ଏବଂ ଶିବସେନା ଶୁକ୍ରବାର ସ୍ଥିର କରିଥିଲେ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ହିଁ ମୁଖ୍ୟମନ୍ତ୍ରୀ ହେବେ। ଏପରିକି ନିଜେ ଠାକ୍‌ରେ ଏଥିପାଇଁ ସହମତି ଦେଇସାରିଥିଲେ। କିନ୍ତୁ ଶନିବାରର ସକାଳରେ କିଛି ଅଲଗା ଘଟିବ ବୋଲି ଲେଖା ଥିଲା। ସାରା ଦେଶର ସବୁ ଖବରକାଗଜର ପ୍ରଥମ ପୃଷ୍ଠାରେ ଉଦ୍ଧବ ମୁଖ୍ୟମନ୍ତ୍ରୀ ହେବେ ବୋଲି ଛପି ସାରିଥିଲେ ମଧ୍ୟ ସକାଳୁ ଖବର ପହଞ୍ଚିଥିଲା, ଦେବେନ୍ଦ୍ର ଫଡ଼ନାଭିସ୍‌ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇସାରିଛନ୍ତି। ଏହାପରେ କଂଗ୍ରେସ-ଶିବସେନା-ଏନ୍‌ସିପି ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବାବେଳେ ସେମାନେ ୨୪ ଘଣ୍ଟାରେ ଫ୍ଲୋର ଟେଷ୍ଟ ପାଇଁ ଦାବି କରିଛନ୍ତି। ପୂର୍ବରୁ ଦେବେନ୍ଦ୍ର ନଭେମ୍ବର ୩୦ ତାରିଖ ସୁଦ୍ଧା ଗୃହରେ ମ୍ୟାଜିକ୍‌ ନମ୍ବର ପ୍ରମାଣିତ କରିବାର ଥିଲା।

ଏପରି ଘଟିବା ଆଗରୁ କଂଗ୍ରେସ, ଏନ୍‌ସିପି ଏବଂ ଶିବସେନା ସର୍ବସମ୍ମତି କ୍ରମେ ଉଦ୍ଧବଙ୍କ ମୁଣ୍ଡରେ ଶିରପା ବାନ୍ଧି ସାରିଥିଲେ। କେବଳ କ୍ଷମତା ଭାଗବଣ୍ଟା ଏବଂ ବିଧିବଦ୍ଧ ଭାବେ ଶପଥଗ୍ରହଣ ବାକି ଥିଲା। ତେବେ ସମସ୍ତଙ୍କୁ ଚକ୍‌ମା ଦେଇ ଅଜିତ ପାୱାର ମହାରାଷ୍ଟ୍ର ରାଜନୀତିର ଡାର୍କହର୍ସ ଭାବେ ଉଭା ହୋଇଥିଲେ। ପରେ ଶରଦ ନିଜ ପୁତୁରାଙ୍କ କାର୍ଯ୍ୟକଳାପକୁ ନିନ୍ଦା କରିବା ସହ ଏହା ତାଙ୍କ ବ୍ୟକ୍ତିଗତ ନିଷ୍ପତ୍ତି ବୋଲି କହିଛନ୍ତି। ସେ କହିଛନ୍ତି ସମସ୍ତ ଏନ୍‌ସିପି ବିଧାୟକଙ୍କର ସମର୍ଥନ ତାଙ୍କ ସହିତ ଅଛି।

ଏହାପରେ ଶରଦ ଅଜିତ ପାୱାରଙ୍କୁ ବିଧାୟକ ଦଳ ନେତା ପଦରୁ ହଟାଇ ଦେଇଛନ୍ତି। ସେ ଜୟନ୍ତ ପାଟିଲଙ୍କୁ ଏହି ପଦରେ ନିଯୁକ୍ତି ଦେଇଛନ୍ତି। ଦଳର ବିଧାୟକଙ୍କ ସହ ବୈଠକ ପରେ ଶରଦ ପାୱାର ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଏହି ବୈଠକରେ ମୋଟ ୫୪ ବିଧାୟକଙ୍କ ମଧ୍ୟରୁ ୫୦ ଜଣ ଉପସ୍ଥିତ ଥିବା ଏନ୍‌ସିପି କୁହାଯାଇଛି। ଫ୍ଲୋର ଟେଷ୍ଟ ହେବା ପର୍ଯ୍ୟନ୍ତ ଏମାନେ ସମସ୍ତେ ମୁମ୍ବାଇର ଏକ ହୋଟେଲରେ ରହିବେ।

ମହାରାଷ୍ଟ୍ର ସମୀକରଣକୁ ଓଲଟାଇବା ପ୍ରକ୍ରିୟା ଗତକାଲିଠାରୁ ଆରମ୍ଭ ହୋଇସାରିଥିଲା। ଯେତେବେଳେ ମୁମ୍ବାଇ ସମେତ ସାରା ଦେଶ ନିଘୋଡ଼ ନିଦରେ ଶୋଇଥିଲା ସେତେବେଳକୁ ସ୍ଥିର ହୋଇସାରିଥିଲା ମହାରାଷ୍ଟ୍ରରେ କିଏ ସରକାର କରିବ। ଏହା ପୂର୍ବରୁ ଅପରାହ୍ଣରେ ଅଜିତ ପାୱାର ୫୪ ଏନ୍‌ସିପି ବିଧାୟକଙ୍କ ସ୍ୱାକ୍ଷର ସହ ରାଜ୍ୟପାଳ ଭଗତ ସିଂହ କୋଶିଆରୀଙ୍କ ନିକଟରେ ପହଞ୍ଚିଥିଲେ। ଏହାପରେ ପ୍ରାୟ ୨୦ ଘଣ୍ଟା ଧରି ଏହି ଚିଠି ବାବଦରେ କେହି ଜାଣିନଥିଲେ।

ମଧ୍ୟ ରାତ୍ରିରେ ହିଁ ରାଜ୍ୟପାଳ କେନ୍ଦ୍ର ସରକାରଙ୍କୁ ରାଷ୍ଟ୍ରପତି ଭବନ ମାଧ୍ୟମରେ ମହାରାଷ୍ଟ୍ରରେ ଆସିବାକୁ ଥିବା ପରିବର୍ତ୍ତନ ବାବଦରେ ଜଣାଇଥିଲେ। ଏହାପରେ ଶନିବାର ୫.୪୭ ବେଳକୁ ରାଷ୍ଟ୍ରପତି ଶାସନ ଉଠିବା ନିଷ୍ପତ୍ତି ହୋଇଥିଲା। ଏଥିପାଇଁ କ୍ୟାବିନେଟ୍‌ ବୈଠକ ହେବାର ଆବଶ୍ୟକ ଥିଲେ ହେଁ, ପ୍ରଧାନମନ୍ତ୍ରୀ ସ୍ୱତନ୍ତ୍ର କ୍ଷମତା ଯୋଗେ ଏହାକୁ ବାଇପାସ୍‌ କରି ରାଷ୍ଟ୍ରପତି ଶାସନ ଉଠାଇପାରିଥିବା କୁହାଯାଉଛି।

ଏ ବାବଦରେ କେହି ମଧ୍ୟ ଟେର୍‌ ପାଇବା ଆଗରୁ ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହୋଇସାରିଥିଲା। ପ୍ରାୟ ୭.୩୦ ବେଳକୁ ଖବର ଆସିଥିଲା ଦେବେନ୍ଦ୍ର ଫଡ଼ନାଭିସ୍‌ ଶପଥ ନେଇସାରିଛନ୍ତି। ଏଥିରେ ଅଜିତ ପାୱାରଙ୍କ ପକ୍ଷରୁ ପ୍ରାୟ ୧୦-୧୨ ବିଧାୟକ ଉପସ୍ଥିତ ଥିଲେ। ପ୍ରଥମେ କେହି ବିଶ୍ୱାସ କରିନଥିଲେ ମଧ୍ୟ କିଛି ଭାବିବା ଆଗରୁ ଦେବେନ୍ଦ୍ର ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇସାରିଥିଲେ।

Related story