ନୂଆଦିଲ୍ଲୀ: ଚଳିତ ସାଧାରଣ ନିର୍ବାଚନରେ ଶାସକ ଦଳ ବିଜେପିକୁ ଅଧିକ ଚାନ୍ଦା ଆସିଛି କର୍ପୋରେଟ ହାଉସ ଗୁଡ଼଼ିକରୁ। ୪୦୦ କୋଟି ଟଙ୍କା ଚାନ୍ଦା ସହ ବିଜେପି ପ୍ରଥମ ରାଜନୈତିକ ଦଳ ହୋଇଥିବାବେଳେ ଦ୍ବିତୀୟରେ ୧୯ କୋଟି ଟଙ୍କା ସହ କଂଗ୍ରେସ ରହିଛି। ମୋଟ ୪୬୯ କୋଟି ୫୯ ଲକ୍ଷ ଟଙ୍କା ବିଭିନ୍ନ ଉତ୍ସରୁ ବିଭିନ୍ନ ରାଜନୈତିକ ଦଳଙ୍କ ପାଇଁ ଚାନ୍ଦା ଆସିଥିବାବେଳେ ୪୨୨ କୋଟି ୪ ଲକ୍ଷ ଟଙ୍କା କର୍ପୋରେଟ ହାଉସ ପ୍ରଦାନ କରିଛନ୍ତି।
ଏହି ଚାନ୍ଦା ଗୁଡ଼ିକ ନିର୍ବାଚନ କମିସନଙ୍କ ନିର୍ବାଚନୀ ବଣ୍ଡ ଅନୁଯାୟୀ ରାଜନୈତିକ ଦଳ ମାନଙ୍କୁ ଆସିଥାଏ। ତେବେ ଖବର ସରବରାହ ସଂସ୍ଥା ଆଇଏଏନଏସ ପ୍ରକାଶ କରିଛି ଯେ ମୋଟ ୧ ହଜାର ୫୬ କୋଟି ଟଙ୍କା ନିର୍ବାଚନ ବଣ୍ଡ ଦ୍ବାରା ୨୦୧୮ରେ ବିଭିନ୍ନ ରାଜନୈତିକ ଦଳଙ୍କ ପାଣ୍ଠିକୁ ଆସିଥିଲା। ଚଳିତବର୍ଷ ୧ ହଜାର ୭୧୬ କୋଟି ଟଙ୍କା ଚାନ୍ଦା ରାଜନୈତିକ ଦଳ ଦ୍ବାରା ଆସିଥିବା ଆଇଏଏନଏସ ପ୍ରକାଶ କରିଛି।
ତେବେ ଫାଇନାନସିଆଲ ଆକ୍ଟ ୨୦୧୭ ଅନୁଯାୟୀ ଇଲେକ୍ଚୋରାଲ ବଣ୍ଡ ଦ୍ବାରା କିଏ ପଠାଇଛି ଟଙ୍କା ଜାଣି ହେବ ନାହିଁ। ଏମିତିକି କାହାକୁ ଟଙ୍କା ପଠାଯାଉଛି ସେ ନେଇ ଚାନ୍ଦା ଦେଉଥିବା ବ୍ଯକ୍ତି ପ୍ରକାଶ କରିବାର ଆବଶ୍ଯକତା ନାହିଁ। ଉଭୟ ସାଧାରଣ ଲୋକ, ବ୍ଯବସାୟୀ, କର୍ପୋରେଟ ହାଉସ ରାଜନୈତିକ ଦଳଙ୍କୁ ଚାନ୍ଦା ଦେଇପାରିବେ ବୋଲି ନିୟମ ରହିଛି। ତେବେ ନିର୍ବାଚନୀ ବଣ୍ଡ ଗୁଡ଼ିକ ଏସବିଆଇର ହୋଇଥିବାରୁ ସଂପୃକ୍ତ ବ୍ଯାଙ୍କ ପାଖରେ ସମସ୍ତ ତଥ୍ଯ ରହିଛି। କେବଳ କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ଏବଂ ରିଜର୍ଭ ବ୍ଯାଙ୍କ ଅଫ୍ ଇଣ୍ଡିଆର ନିର୍ଦ୍ଦେଶ କ୍ରମେ ସମସ୍ତ ଡୋନରଙ୍କ ତଥ୍ଯ ଜାଣିହେବ।