ପାଣାଜି: ନାଗରିକତା ସଂଶୋଧନ ଆଇନକୁ କଂଗ୍ରେସ ବିରୋଧ କରୁଛି, ହେଲ ସେହି ଦଳର ନେତା ଏହି ଆଇନକୁ ପ୍ରଶଂସା କରିଛନ୍ତି। ଗୋଆ କଂଗ୍ରେସର ପୂର୍ବତନ ସଭାପତି ତଥା ପୂର୍ବତନ ସାଂସଦ ଜନ ପର୍ଣ୍ଣାଡିସ ସିଏଏକୁ ସମର୍ଥନ କରିବାକୁ ଯାଇ ନିଜ ଦଳକୁ ସମାଲୋଚନା କରିଛନ୍ତି। ଯେଉଁ ଆଇନ ସଂସଦରେ ଗୃହୀତ ହୋଇଛି, ସେହି ଆଇନକୁ ସଡ଼କରେ ଚ୍ୟାଲେଞ୍ଜ କରାଯିବା ଠିକ୍ ନୁହେଁ ବୋଲି ଜନ କହିଛନ୍ତି। ଗୋଆର ରାଜଧାନୀ ପାଣାଜିରେ ଏକ ଜନଗହଳିପୂର୍ଣ୍ଣ ସ୍ଥାନରେ ଲୋକଙ୍କୁ ଉଦବୋଧନ ଦେବାକୁ ଯାଇ ଏପରି କହିଛନ୍ତି ଜନ୍।
ଯଦିଓ ମୁଁ କଂଗ୍ରେସ ସହ ଜଡ଼ିତ କିନ୍ତୁ ଆମ ଦଳ ୭୦ ବର୍ଷ ହେବ ଭୁଲ କରିଆସୁଥିଲା। ଏହି ବିଲ୍ ସଂସଦରେ ଗୃହୀତ ହୋଇସାରିଥିବାରୁ ସେ ବାବଦରେ ବିରୋଧ କରି ବିଶ୍ୱବିଦ୍ୟାଳୟ, ସଡ଼କ ଆଦିରେ ରାଲି କରିବା ଠିକ୍ ନୁହେଁ। ଏମିତିକି ଏହି ରାଲି ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟରୁ ଆରମ୍ଭ ହୋଇଛି। ମୁଁ ସେଠାରେ ନିର୍ଦ୍ଦେଶକ ଥିଲି। ସେଠି କେମିତି କାମ ହୁଏ ମୁଁ ଜାଣିଛି। ତେଣୁ ମୁଁ ସେହି ବିଶ୍ୱବିଦ୍ୟାଳୟ ବୋର୍ଡରୁ ଇସ୍ତଫା ଦେଇଥିଲି ବୋଲି ଗେଆର ପୂର୍ବତନ ପିସିସି ସଭାପତି କହିଛନ୍ତି। ଏଥିସହ ମୋଦି ସରକାର ଜମ୍ମୁ କଶ୍ମୀରରୁ ହଟାଇଥିବା ଧାରା ୩୭୦କୁ ମଧ୍ୟ ସେ ପ୍ରଶଂସା କରିଛନ୍ତି।
ସୂଚନାଯୋଗ୍ୟ, ପଡ଼ୋଶୀ ବାଂଲାଦେଶ, ଆଫଗାନିସ୍ତାନ ଓ ପାକିସ୍ତାନର ଅଳ୍ପ ସଂଖ୍ୟକ ଧାର୍ମିକ ଉତ୍ପୀଡନାର ଶିକାର ହୋଇ ଭାରତରେ ରହୁଥିବା ୬ଟି ଧର୍ମର ଶରଣାର୍ଥୀଙ୍କୁ ନାଗରିକତା ଦେବ। ଏହି ଆଇନ ଦ୍ୱାରା କୌଣସି ଭାରତୀୟଙ୍କର ନାଗରିକତା ହଟିବ ନାହିଁ। ହେଲେ ବିରୋଧୀ କଂଗ୍ରେସ ସମେତ ଅନ୍ୟାନ୍ୟ ଦଳ ଏହା ମୁସଲିମ୍ ବିରୋଧୀ କହି ଆନ୍ଦୋଳନ କରୁଛନ୍ତି। ଏମିତିକି ଏହି ଆଇନ ଦ୍ୱାରା ଦେଶର ମୁସଲମାନ ନାଗରିକଙ୍କୁ ବାହାର କରି ଦିଆଯିବ ବୋଲି ବିରୋଧୀ କହୁଛନ୍ତି। ଯାହାକୁ ସରକାର ଖାରଜ କରିଛନ୍ତି।