ଲକ୍ଷ୍ନୌ: ‘ରାମ ଲାଲା’ଙ୍କ ମୂର୍ତ୍ତି ବେଆଇନ ଭାବେ ସ୍ଥାପନ କରାଯାଇଛି ଏବଂ ଏହି ମୂର୍ତ୍ତି ଠାକୁର କିଭଳି ହୋଇପାରିବେ ବୋଲି ପ୍ରଶ୍ନ କରି ଅଲ୍ ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ’ ବୋର୍ଡ (ଏଆଇଏମ୍ପିଏଲ୍ବି) ସୁପ୍ରିମ୍କୋର୍ଟରେ ରିଭ୍ୟୁ ଆବେଦନ କରିବ। ଗତ ନଭେମ୍ବର ୯ ତାରିଖରେ ସୁପ୍ରିମ୍କୋର୍ଟ ଦେଇଥିବା ରାୟ ବିରୋଧରେ ଏଆଇଏମ୍ପିଏଲ୍ବି ଏହି ଆବେଦନ କରିବ।
ଏଆଇଏମ୍ପିଏଲ୍ବି ସମ୍ପାଦକ ତଥା ବାବ୍ରି ମସଜିଦ୍ ଆକ୍ସନ୍ କମିଟିର ଆବାହାକ ଜଫରୟାବ ଜିଲାନୀ କହିଛନ୍ତି, “ବାବ୍ରି ମସଜିଦ୍ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ରାମ ଚବୁତରାଠାରେ ପୂଜା ପାଉଥିବା ରାମ ଲାଲା ମୂର୍ତ୍ତି ବାବ୍ରି ମସଜିଦ୍ର ସେଣ୍ଟ୍ରାଲ ଡୋମ୍ଠାରେ ବେଆଇନ ଭାବେ ସ୍ଥାପନ କରାଯାଇଥିଲା। ଏହା ଅନ୍ୟ ଜଣଙ୍କ ସମ୍ପତ୍ତି ଉପରେ ଥିବାରୁ ଏହି ମୂର୍ତ୍ତି ଠାକୁର ବୋଲି କୁହାଯାଇପାରିବନି।”
୧୯୪୯ ଡିସେମ୍ବର ୨୨-୨୩ ମଧ୍ୟରାତ୍ରିରେ ରାମ ଲାଲାଙ୍କ ମୂର୍ତ୍ତି ସ୍ଥାପନ କରାଯାଇଥିଲା। ଏହାକୁ ସୁପ୍ରିମ୍କୋର୍ଟ ନଭେମ୍ବର ୯ ରାୟରେ ବେଆଇନ ବୋଲି କହିଛନ୍ତି। ତେବେ ଏହାକୁ ନେଇ ଜିଲାନୀ କହିଛନ୍ତି, “ରାମ ଲାଲାଙ୍କୁ ନ୍ୟାୟିକ ଅଧିକାର ମିଳିଥା’ନ୍ତା ଯଦି ୧୮୮୫ରୁ ୧୯୪୯ ମଧ୍ୟରେ ଏହି ମୂର୍ତ୍ତି ପୂଜା ପାଇଥା’ନ୍ତେ।”
ଜିଲାନୀ ପ୍ରଶ୍ନ କରିଛନ୍ତି, “୧୮୫୭ରୁ ୧୯୪୯ ମଧ୍ୟରେ ମସଜିଦ୍ରେ ମୁସଲମାନ ଲୋକେ ନମାଜ ପଢ଼ିଥିବା ସୁପ୍ରିମ୍କୋର୍ଟ ମାନିଛନ୍ତି। ଯଦି ମୂର୍ତ୍ତି ସ୍ଥାପନ କାର୍ଯ୍ୟ ବେଆଇନ, ମୂର୍ତ୍ତି ଠାକୁର କେମିତି ହେଲେ?” ବେଆଇନ ଭାବେ ମୂର୍ତ୍ତି ସ୍ଥାପନ ହିନ୍ଦୁ ସଂସ୍କୃତିରେ ମଧ୍ୟ ପବିତ୍ର ମନାଯାଏନି ବୋଲି ସେ ଯୁକ୍ତି ବାଢ଼ିଛନ୍ତି।