ବେଜିଂ: କରୋନା ଭାଇରସର ଭିଲେନ୍ ଚୀନର ଆଉ ଏକ ଧୋକ୍କା ସାମ୍ନାକୁ ଆସିଛି। ନକଲି କ୍ଷୀର ବା ପ୍ରୋଟିନ୍ ଡ୍ରିଙ୍କ୍ ନାମରେ ବିକ୍ରି ହେଉଥିବା କ୍ଷୀର ପିଇ ଚୀନର ୫ରୁ ଅଧିକ ଛୋଟ ଛୁଆ ଅସୁସ୍ଥ ହୋଇପଡ଼ିଛନ୍ତି। ଏହି କ୍ଷୀର କେବଳ ଛୋଟ ଛୁଆଙ୍କ ପାଇଁ ଉଦ୍ଧିଷ୍ଟ ଥିଲା। ଛୋଟ ଛୁଆଙ୍କ ଶାରୀରିକ ବିକାଶ ପାଇଁ ଏହି କ୍ଷୀର ଦିଆଯାଉଥିଲା। ଚୀନର ଶିଶୁ କ୍ଷୀର ବିଭାଗ ଏହି କ୍ଷୀର ତିଆରି କରୁଥିବା ଜଣାପଡ଼ିଛି। ଚୀନର ହୁନାନ ପ୍ରଦେଶରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଏବେ ଏହି ବିଷାକ୍ତ କ୍ଷୀର କେମିତି ତିଆରି ହୋଇଛି ତା’ର ତଦନ୍ତ ଚାଲିଛି। ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟରେ ଏହି ଖବର ପ୍ରକାଶ ପାଇଛି।
ଏହି କ୍ଷୀର ‘ଲଭ୍ ବେବିଜ୍ ଓ୍ୱାର୍କଶପ୍ ଷ୍ଟୋର’ରେ ତିଆରି ହେଉଥିଲା ବୋଲି ଜଣାପଡ଼ିଛି। ଅସୁସ୍ଥ ହୋଇଥିବା ୫ ଅସୁସ୍ଥ ଶିଶୁର ବାପା ମା’ ତଦନ୍ତ ଅଧିକାରୀଙ୍କୁ କହିଛନ୍ତି, ଏହି କ୍ଷୀର ପିଇବା ପରେ ତାଙ୍କ ଛୁଆ ଏକଜିମାରେ ଆକ୍ରାନ୍ତ ହୋଇଛନ୍ତି। ଛୁଆଙ୍କ ଶରୀରର ଚର୍ମ ଲାଲ୍ ହୋଇଯିବା ସହିତ କୁଣ୍ଡାଇ ହେଉଛି।
ଜଣେ ଛୋଟ ଛୁଆର ମା’ କହିଛନ୍ତି, ସେ ତାଙ୍କ ଛୁଆକୁ ୬ ମାସ ହେବ କ୍ଷୀର ପାଉଡରରେ ତିଆରି କ୍ଷୀର ପିଇବାକୁ ଦେଉଥିଲେ। ୬ ମାସ ପରେ ତାଙ୍କ ଛୁଆର ଶାରୀରିକ ବିକାଶ ହୋଇନଥିବା ସେ ଅନୁଭବ କରିଥିଲେ। ୧୮ ମାସ ହେବା ପରେ ମଧ୍ୟ ସେ ଚାଲିବା ଆରମ୍ଭ କରିପାରିନଥିଲା। ଏହାପରେ ନକଲି କ୍ଷୀର ସେ ତାଙ୍କ ଛୁଆକୁ ଦେଉଥିବା ହୃଦବୋଧ କରିଥିଲେ। ଖାଲି ଏହି ଗୋଟିଏ ନୁହେଁ ଚୀନର ଅନେକ ବାପା ମା’ ମାନେ ଅନୁଭବ କରିଛନ୍ତି ଚୀନରେ ଛୋଟ ଛୁଆଙ୍କ ପାଇଁ ଉଦ୍ଦିଷ୍ଟ କ୍ଷୀର ନକଲି। ଏହାପରେ ସେମାନେ ବିଦେଶୀ ବ୍ରାଣ୍ଡର କ୍ଷୀର ଉପରେ ନିର୍ଭର କରିବା ଆରମ୍ଭ କରିଛନ୍ତି।
ଏହାପୂର୍ବରୁ ୨୦୦୮ରେ ଏମିତି ଏକ ଘୋଟାଲା ସାମ୍ନାକୁ ଆସିଥିଲା। ଯେଉଁଥିରେ ବିଷାକ୍ତ କ୍ଷୀର ପିଇ ଛୋଟ ଛୁଆଙ୍କର ମୃତ୍ୟୁ ହୋଇଥିଲା। ୩ ଲକ୍ଷରୁ ଅଧିକ ଛୋଟ ଛୁଆ ଅସୁସ୍ଥ ହୋଇ ପଡ଼ିଥିଲେ। ତଦନ୍ତ ପରେ ଜଣାପଡ଼ିଥିଲା ଯେ, କ୍ଷୀରରେ ମେଲାମାଇନ୍ ନାମକ ଏକ କେମିକାଲ ମିଶିଥିଲା ଯାହା ପ୍ଲାଷ୍ଟିକ ତିଆରିରେ ବ୍ୟବହୃତ ହୁଏ। ୨୦୦୩ରେ ମଧ୍ୟ ଚୀନର ଆଉ ଏକ ରାଜ୍ୟରେ ବିଷାକ୍ତ କ୍ଷୀର ପିଇ ୧୩ ଛୋଟ ଛୁଆ ପ୍ରାଣ ହରାଇଥିବା ବେଳେ ୧୭୧ ଅସୁସ୍ଥ ହୋଇଥିଲେ।