ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ଆସାମର ଏକ ଦଳୀୟ ରାଲିରେ ମୋଦି ସରକାର ବିରୋଧରେ ବର୍ଷିଛନ୍ତି ରାହୁଲ ଗାନ୍ଧି। କଂଗ୍ରେସର ଏହି ପୂର୍ବତନ ଅଧ୍ୟକ୍ଷ ଗୌହାଟିରେ କହିଛନ୍ତି, ‘ଦେଶରେ ଘୃଣାଭାବକୁ ଜନ୍ମ ଦେଉଛନ୍ତି ମୋଦି ସରକାର। ଆସାମକୁ ନାଗପୁର ଏବଂ ଆରଏସଏଏସର ଚଡ଼ିବାଲା ଚଳାଇପାରିବେ ନାହିଁ। ସିଏଏ ହେଉଛି ନୋଟବନ୍ଦୀ ୨’।
ବିଜେପିକୁ ସିଧା ଟାର୍ଗେଟ କରି କହିଛନ୍ତି, ଆସାମ ଓ ହିନ୍ଦୁସ୍ଥାନର ଲୋକଙ୍କ ମଧ୍ୟରେ ବିବାଦ ସୃଷ୍ଟି କରିବା ବିଜେପିର ଲକ୍ଷ୍ୟ। ଏମାନେ ଯେଉଁଠି ଯାଆନ୍ତି ଏଭଳି ସ୍ଥିତି ସୃଷ୍ଟି କରାନ୍ତି।
ସୂଚନାଯୋଗ୍ୟ, ଆଜି କଂଗ୍ରେସ ୧୩୫ ବର୍ଷରେ ପାଦ ଥାପିଛି। ୧୩୪ତମ ପ୍ରତିଷ୍ଠା ଦିବସ ଅବସରରେ ସାରା ଦେଶରେ କେନ୍ଦ୍ର ବିରୋଧରେ ‘ସମ୍ୱିଧାନ ବଞ୍ଚାଅ, ଭାରତ ବଞ୍ଚାଅ’ ରାଲି କରିଛି କଂଗ୍ରେସ। ଆଜି ସକାଳେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟରେ ଦଳୀୟ ପତାକାକୁ ଉତ୍ତୋଳନ କରିଥିଲେ। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆସାମର ଗୌହାଟିର ଦଳୀୟ ରାଲିରେ ଯୋଗ ଦେଇ ବର୍ଷିଥିବା ବେଳେ ଦଳର ମହାସଚିବ ତଥା ଗାନ୍ଧି ପରିବାରର ଲଳନା ପ୍ରିୟଙ୍କା ଗାନ୍ଧି ଉତ୍ତର ପ୍ରଦେଶରେ ଯୋଗୀ ଏବଂ ମୋଦି ସରକାର ବିରୋଧରେ ବର୍ଷିଛନ୍ତି।