କୃଷି ବିଧେୟକ ବିଲ ଲୋକସଭାରେ ପାରିତ, ବିରୋଧ କରି ଫଶିଗଲା କଂଗ୍ରେସ!
ନୂଆଦିଲ୍ଲୀ: ଲୋକସଭାରେ ବିରୋଧ ସତ୍ତ୍ୱେ କୃଷି କ୍ଷେତ୍ର ସହ ଜଡିତ ତିନୋଟି ବିଲ୍ ପାରିତ ହୋଇଛି। କୃଷି ଉପଜ ବିପଣନ ଓ ବାଣିଜ୍ୟ (ପ୍ରୋତ୍ସାହନ ଓ ସୁବିଧାକରଣ) ବିଲ୍, ୨୦୨୦; କୃଷକ (ସଶକ୍ତିକରଣ ଓ ସୁରକ୍ଷା) ମୂଲ୍ୟ ସୁନିଶ୍ଚିତକରଣ ରାଜିନାମା କୃଷି କ୍ଷେତ୍ର ସେବା ବିଲ୍ ୨୦୨୦; ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ୨୦୨୦ ପାରିତ ହୋଇଛି। ଗୁରୁବାର ଦୁଇଟି ବିଲ୍ ପାରିତ ହୋଇଥିଲା, ଶୁକ୍ରବାର ଗୋଟିଏ ବିଲ୍ ପାରିତ ହୋଇଛି। ଜୁନ୍ ତିନିରେ ମୋଦି ସରକାରଙ୍କ କ୍ୟାବିନେଟ୍ ଏହାକୁ ଅନୁମୋଦନ ଦେଇଥିଲା। ଏହି କୃଷି ବିଧେୟକ ଚାଷ କ୍ଷେତ୍ରରେ ଆମୂଳ ଚୂଳ ପରିବର୍ତ୍ତନ ଆଣିବ ବୋଲି ସରକାର କହିଛନ୍ତି। ତେଣେ ରାଜ୍ୟସଭାରେ ଏହି ବିଲକୁ ବିରୋଧ କରିବାକୁ ଏନଡିଏ ବିରୋଧୀ ଦଳକୁ ଏକାଠି ହେବାକୁ ଅପିଲ୍ କରିଛନ୍ତି ଆମ୍ ଆଦମୀ ପାର୍ଟି। ଲୋକସଭାରେ ଏହି ବିଲ୍ ପାରିତ ହେବା ବେଳେ କଂଗ୍ରେସ, ଟିଏମସି ଆଦି ପ୍ରମୁଖ ଦଳ ବିରୋଧ କରିଥିଲେ।
ଯଦିଓ କଂଗ୍ରେସ ଏହି ବିଲକୁ ବିରୋଧ କରୁଛି ହେଲେ କଂଗ୍ରେସର ବହିଷ୍କୃତ ନେତା ସଞ୍ଜୟ ଝାଙ୍କ ଟ୍ୱିଟ୍ କଂଗ୍ରେସକୁ ଅଡୁଆରେ ପକାଇ ଦେଇଛି। ସେ ଟୁଇଟ୍ କରି କହିଛନ୍ତି ଯେ 2019 ଲୋକସଭା ନିର୍ବାଚନରେ କଂଗ୍ରେସ ନିଜେ ଏପିଏମସି ଆକ୍ଟକୁ ରଦ୍ଦ କରିବାକୁ ପ୍ରତିଶୃତି ଦେଇଥିଲା। କୃଷି ବିଲ୍ ଆଣି କଂଗ୍ରେସର ନିଷ୍ପତ୍ତିକୁ ବିଜେପି କାର୍ଯ୍ୟକାରୀ କରିଛି। ସଞ୍ଜୟ ଝାଙ୍କ ଏହି ଟ୍ଲିଟ୍ ପରେ ସୋଶାଲ ମିଡିଆରେ କଂଗ୍ରେସ ଏହେ ଅଡୁଆରେ ପଡ଼ିଯାଇଛି।
Folks, in our Congress Manifesto for 2019 Lok Sabha elections, we had ourselves proposed abolition of APMC Act and making agricultural produce free from restrictions. This is what Modi government has done in the farmers bills. BJP and Congress are on the same page here.
— Sanjay Jha (@JhaSanjay) September 18, 2020
ତେବେ ଏହି ବିଲକୁ ବିରୋଧ କରି କେନ୍ଦ୍ର ମନ୍ତ୍ରୀ ହରସିମରତ କୌର ବାଦଲ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି। ଗତାକାଲି ସେ ଚାରି ପୃଷ୍ଠାରେ ନିଜ ଇସ୍ତଫା ପତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ପଠାଇଥିଲେ। ଶୁକ୍ରବାର ଏହି ଇସ୍ତଫା ପତ୍ରକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗ୍ରହଣ କରିଛନ୍ତି।
ଖାଲି ଶିରୋମଣି ଅକାଳୀ ଦଳ ନୁହେଁ ହରିଆଣା, ପଞ୍ଜାବ ଆଦି କିଛି ରାଜ୍ୟର ଚାଷୀ ମଧ୍ୟ ସରକାରଙ୍କ ଏହି ବିଧେୟକକୁ ବିରୋଧ କରୁଛନ୍ତି। ସେମାନେ କହିଛନ୍ତି ଯେ ଏହି ବିଧେୟକ ବା ବିଲ୍ ଅର୍ଥ ଚାଷୀଙ୍କ ସମସ୍ୟା ବଢ଼ାଇବ।
ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଏହି କୃଷି ବିଲ୍ ଦେଶରେ କୃଷିର ସଂସ୍କାର ଆଣିବ। ବିରୋଧୀ କିଛି ବ୍ୟବସାୟୀଙ୍କୁ ଧରି ଚାଷୀଙ୍କୁ ଭ୍ରମିତ କରୁଛନ୍ତି।
ଏପିଏମଆସି ଆଇନ୍ କଣ ଥିଲା ଏବେ କଣ ହେଲା?
କୃଷି ଉତ୍ପାଦ ବାଣିଜ୍ୟ ଓ ବ୍ୟବସାୟ
ସରକାରଙ୍କ ଦାବି: ଏହି ଆଇନ ପ୍ରଣୟନ ହେବା ଦ୍ୱାରା ଚାଷୀମାନେ ତାଙ୍କ ଉତ୍ପାଦନକୁ ବିକ୍ରି କରିବା ପାଇଁ ମୁକ୍ତ ବଜାର ପାଇବେ। ଯେଉଁଥିରେ ସେମାନଙ୍କର ସୁବିଧା ଅନୁଯାୟୀ କୃଷିଜାତ ଦ୍ରବ୍ୟ କିଣାବିକା କରିପାରିବେ। ଏହାଦ୍ୱାରା ବ୍ୟବସାୟର ସ୍ୱାଧୀନତା ମିଳିଲା। ଫଳରେ ସାରା ଦେଶରେ ‘ଗୋଟିଏ ଦେଶ, ଗୋଟିଏ କୃଷି ବଜାର’ ତିଆରି ହେଲା। ଯେକେହି ସେମାନଙ୍କର ଉତ୍ପାଦକୁ ଯେକୌଣସି ସ୍ଥାନରେ ବିକ୍ରି କରିପାରିବେ। ଏହାଦ୍ୱାରା ଚାଷୀ ନିଜ ଉତ୍ପାଦର ଭଲ ମୂଲ୍ୟ ପାଇବେ।
ଚାଷୀମାନେ ଏହି ବ୍ୟବସାୟ କରିବା ପାଇଁ କୌଣସି ଟ୍ରେଡ୍ ଲାଇସେନ୍ସ ବାହାର କରିବାର ଆବଶ୍ୟକ ନାହିଁ। ଯେକୌଣସି ବ୍ୟକ୍ତି ପାନ୍ କାର୍ଡ ଦେଖାଇ କମ୍ପାନୀ, ସୁପର ମାର୍କେଟ, ଯେକୌଣସି ସ୍ଥାନରୁ ଯକୌଣସି କୃଷକଙ୍କ ଉତ୍ପାଦ କିଣି ପାରିବେ। ଏମିିତିକି କୃଷିଜାତ ଦ୍ରବ୍ୟ ରାଜ୍ୟ କୃଷି ଉତ୍ପାଦ ବିପଣନ ସମିତି (ଏପିଏମସି) ସର୍ତ୍ତକୁ ହଟାଇ ଦିଆଯାଇଛି। ଅର୍ଥାକ୍ କିଣିଲା ବେଳେ କୌଣସି ଟିକସ ଲାଗୁ ହେବ ନାହିଁ। ଏପିଏମସି ଆକ୍ଟରେ ୧୯୬୫ରେ ତିଆରି ହୋଇଥିଲା।
ଚାଷୀଙ୍କ ଦାବି: ଯେତେବେଳେ କୃଷକଙ୍କ ଉତ୍ପାଦ ମଣ୍ଡିରେ ବିକ୍ରି ହେବନି ସେତେବେଳେ ସରକାର ଜାଣିବେ କେମିତି ଜଣେ ଚାଷୀ ତା ଚାଷର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ପାଇଛନ୍ତି ବୋଲି? ନୂଆ ନିୟମ ଅନୁଯାୟୀ ସରକାର ଏମଏସପିର ଗ୍ୟାରେଣ୍ଟି ଦେଇ ନାହାନ୍ତି। ହେଲେ ଆଜି ଚାଷୀ ତାଙ୍କ ଚାଷର ସର୍ବନିମ୍ନ ସହାୟକ ମୂଲ୍ୟ ଦାବି କରୁଛନ୍ତି। ଯାହାକୁ ସରକାର ଅଣଦେଖା କରୁଛନ୍ତି। ବଡ଼ ବଡ଼ କମ୍ପାନୀ ସହିତ ଚାଷୀଙ୍କର ବିବାଦ ହେଲେ ସେତେବେଳେ କୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ପଡ଼ିବ ଚାଷୀଙ୍କୁ। ଯାହାକି ଅଡ଼ୁଆ ପ୍ରକ୍ରିୟା। ଅତିରିକ୍ତ ଜିଲ୍ଲାପାଳ କିମ୍ୱା ଜିଲ୍ଲାପାଳ ଏହି ବିବାଦର ସମାଧାନ କରିବେ। ହେଲେ ସେମାନେ ରାଜ୍ୟ ସରକାରଙ୍କ ଅଧୀନରେ ରହିଛନ୍ତି। ତେଣୁ ଚାଷୀଙ୍କୁ ନ୍ୟାୟ ଦେବା ପାଇଁ ସେମାନେ କୌଣସି ରାଜନୀତିକ ଚାପରେ ଶିକାର ହେବେନି ତ?
ବ୍ୟବସାୟୀମାନେ କହିଛନ୍ତି ସରକାରଙ୍କ ନୂଆ ନିୟମରେ ଲେଖା ହୋଇଛି ଯେଉଁମାନେ ମଣ୍ଡିରେ ବିକ୍ରି କରିବେ ସେମାନଙ୍କୁ ବଜାର ଦର ଅନୁସାରେ ବିକ୍ରି କରିପାରିବେ। ଅନ୍ୟପଟେ ଯେଉଁ ଚାଷୀ ମଣ୍ଡି ବାହାରେ ବିକ୍ରି କରିବେ ସେମାନେ ତାଙ୍କ ଇଚ୍ଛା ଅନୁସାରେ ମୂଲ୍ୟଦାବି କରିପାରିବେ। ଏମିତି ହେଲେ ଆଗାମୀ ଦିନରେ ମଣ୍ଡିରେ ଆଉ ଚାଷୀ ବିକ୍ରି କରିବେନି। ବିଧେୟକରେ ଲେଖା ହୋଇଛି ଗୋଟିଏ ଦେଶ, ଗୋଟିଏ ବଜାର ହେଲେ ଏମିତି ଦେଖିବାକୁ ଗଲେ ଗୋଟିଏ ଦେଶ, ଦୁଇଟି ବଜାର ବୋଲି ବ୍ୟବସାୟୀ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।