ପ୍ୟୋଙ୍ଗୟାଙ୍ଗ: କରୋନା ମହାମାରୀ ବିଶ୍ୱର ୨୧୦ଟି ଦେଶକୁ ସଂକ୍ରମିତ ହୋଇଛି। ହେଲେ ଏଯାବତ ଉତ୍ତର କୋରିଆ ଏହି ମହାମାରୀର ଶିକାର ହୋଇଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଚାଇନାର ଉହାନରୁ ଉତ୍ପତ୍ତି ହୋଇଥିବା ଏହି ଭାଇରସକୁ ନେଇ ଚାଇନା ମୃତକଙ୍କ ସଂଖ୍ୟା ବାବଦରେ ନିଜେ ଅନେକ ତଥ୍ୟ ଲୁଚାଇଥିବା ଅଭିଯୋଗ ରହିଛି। ଅନ୍ୟପଟେ ଚାଇନାକୁ ସୁରକ୍ଷା ଯୋଗାଇବାକୁ ଯାଇ ପଡ଼ୋଶୀ ଉତ୍ତର କୋରିଆ କରୋନାକୁ ନେଇ କୌଣସି ତଥ୍ୟ ଦେଉନଥିବା ଅନୁଶୀଳନ କରାଯାଉଛି। ସବୁଠୁ ବଡ଼ କଥା ହେଉଛି ଏହି ଦୁଇ ଦେଶରେ କମ୍ୟୁନିଷ୍ଟ ସରକାର ରହିଛି।
ଅନ୍ୟପଟେ ଉତ୍ତର କୋରିଆର ରାଜଧାନୀ ପ୍ୟୋଙ୍ଗୟାଙ୍ଗରେ ଲୋକମାନେ ଦି’ ଦିନ ଧରି ଛାନିଆରେ ଖାଦ୍ୟ ସାମଗ୍ରୀ କିଣି ନେଇଛନ୍ତି। ଏବେ ଲୋକମାନେ ଘର ଭିତରେ ରହିଛନ୍ତି। ମଲ୍ ଓ ବ୍ୟବସାୟିକ ପ୍ରତିଷ୍ଠାନ ଆଦି ବନ୍ଦ ରହିଥିବା ସୂଚନା ରହିଛି। କରୋନା ଭାଇରସ ସଂକ୍ରମଣ ପାଇଁ ଲୋକମାନେ ଏଭଳି ତରତରରେ କିଣାକିଣି କରିଥାଇପାରନ୍ତି ବୋଲି ଆକଳନ କରାଯାଉଛି। ଅନ୍ୟପଟେ ଉତ୍ତର କୋରିଆର ମୁଖ୍ୟ କିମ୍ ଜଙ୍ଗଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଆଗାମୀ ଦିନରେ କିଛି ଅଘଟଣ ଘଟିଲେ ଦେଶ ସମ୍ପୂର୍ଣ୍ଣ ଶଟଡାଉନ୍ ହୋଇପାରେ। ଏହାକୁ ନଜରରେ ରଖି ଉତ୍ତର କୋରିଆ ବାସୀ ଏଭଳି କିଣାକିଣି କରିଥାଇପାରନ୍ତି ବୋଲି ମଧ୍ୟ କୁହାଯାଉଛି।
ଉତ୍ତର କୋରିଆ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ କିମ ମାୟୋଙ୍ଗଙ୍କ କିନ୍ତୁ କହିଛନ୍ତି, କୋରିଆରେ କୌଣସି ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇ ନାହାନ୍ତି।
ବାସ୍ତବରେ ଚୀନ୍ ଏବଂ କୋରିଆ ମଧ୍ୟରେ ୮୮୦ ମାଇଲ୍ ସୀମା ରହିଛି। ଉତ୍ତର କୋରିଆ ଚାଇନା ବ୍ୟତୀତ ଅନ୍ୟ କୌଣସି ଦେଶ ସହିତ ସମ୍ପର୍କ ରଖି ନାହିଁ। ଏଭଳି ସ୍ଥିତିରେ ଯଦି ଉତ୍ତର କୋରିଆ କରୋନାରେ ଆକ୍ରାନ୍ତ ହୋଇଛି ବୋଲି ଜଣାପଡ଼ିବ ତାହେଲେ ଚାଇନା ଅଡ଼ୁଆରେ ପଡ଼ିପାରେ। କାରଣ ଚାଇନାରୁ ଏହି କରୋନା ଭାଇରସ ଉତ୍ପତ୍ତୀ ହୋଇଛି ବୋଲି ପ୍ରମାଣିତ ହୋଇଯିବ। ଯାହାକୁ ଚାଇନା ଖାରଜ କରିବାକୁ ଚାହୁଁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।