ନ୍ୟୁୟର୍କ: କରୋନା ଭାଇରସର ନୂଆ ହଟସ୍ପଟ ଏବେ ଆମେରିକା। ଚାଇନାର ଉହାନ ସହରରୁ ବ୍ୟାପିଛି ଏହି ଭାଇରସ। ଉହାନ ସହର ଅପେକ୍ଷା ଆମେରିକାର ନ୍ୟୁୟର୍କ ସହରରେ ଅଧିକ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦେଖିବାକୁ ମିଳିଛି। କାହିଁକି ନ୍ୟୁୟର୍କରେ ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ରାଧିକ ଭାବରେ ବଢ଼ୁଛି ଏ ନେଇ ବିଭିନ୍ନ ରିପୋର୍ଟ ପ୍ରକାଶ ପାଇଛି। ପୂର୍ବରୁ କିଛି ରିପୋର୍ଟ ପ୍ରକାଶ ପାଇଥିଲା ଯେଉଁଥିରେ ପ୍ରଦୂଷଣକୁ ଦାୟୀ କରାଯାଇଥିଲା। ହେଲେ ଆମେରିକା ମିଡିଆ ଆଉ ଏକ ରିପୋର୍ଟ ଦାବି କରିଛି। ଯାହାକି ଆମେରିକା ସରକାରଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତିକୁ ସୂଚାଇଛି।
ଯଦିଓ ଚାଇନା ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଥିଲା ହେଲେ ଇଟାଲୀକୁ ଯିବା ଆସିବା କରିବା ପାଇଁ ଆମେରିକା କୌଣସି ପ୍ରତିବନ୍ଧକ ଲଗାଇନଥିଲା। ଯାହାକି ନ୍ୟୁୟର୍କରେ ଏଭଳି ସ୍ଥିତି ବିଗାଡ଼ିଛି। ଆମେରିକାରେ ଏଯାବତ ୧୬, ୬୯୭ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪ ଲକ୍ଷ ୫୧ ହଜାରରୁ ଅଧିକ ସଂକ୍ରମିତ ହୋଇଛନ୍ତି। ସ୍ପେନରେ ୧୫,୪୪୭ ଜଣଙ୍କର ମୃତ୍ୟୁ ହୋଇଛି। ଇଟାଲୀରେ ୧୮,୨୭୯ ଜଣଙ୍କର ମୃତ୍ୟୁ ଘଟିଛି।
ଆମେରିକା ମିଡିଆର ରିପୋର୍ଟ ଅନୁଯାୟୀ ଫେବୃଆରୀ ୧୪ ବେଳକୁ ଏହି ଭାଇରସ ଆମେରିକାରେ ସଂକ୍ରମିତ ହେବାକୁ ଆରମ୍ଭ କରିଥିଲା। ହେଲେ ମାର୍ଚ୍ଚ ବେଳକୁ ସଂକ୍ରମିତଙ୍କ ସଂଖ୍ୟା ଅଧିକ ହେଉଥିବା ଆମେରିକା ମିଡିଆ ଦାବି କରିଛି। ପ୍ରଥମେ ଏସିଆ ମହାଦେଶର କୌଣସି ବ୍ୟକ୍ତି ଆମେରିକା ଆସି ଏହି ସଂକ୍ରମଣକୁ ବିସ୍ତାର କରିଛି ବୋଲି ଆମେରିକା ମିଡିଆ ସନ୍ଦେହ ପ୍ରକାଶ କରୁଥିଲେ। ହେଲେ ଇଟାଲୀରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ଦେଖିବା ପରେ ଇଟାଲୀରୁ କେହି ଜଣେ ଆସି ଏହି ଭାଇରସକୁ ସଂକ୍ରମିତ କରିଥିବା ଦାବି ହୋଇଛି। ତେବେ ଆମେରିକା ସରକାର ଏ ନେଇ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି।
ମାଉଣ୍ଟ ସିନାଇ ସ୍କୁଲ୍ ଅଫ୍ ମେଡିସିନର ଗବେଷକ ହର୍ମ ବେନ ବକେଲ କହିଛନ୍ତି, ୟୁରୋପରୁ ହିଁ ଏହି ଭାଇରସ ଆସିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାନୁଆରୀ ୩୧ ପୂର୍ବରୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ବିଦେଶୀ ନାଗରିକଙ୍କୁ ଦେଶ ଭିତରକୁ ପ୍ରବେଶ କରିବାକୁ ବାରଣ କରିଥିଲେ। ଏହାପରେ ସେ ୧୧ ମାର୍ଚ୍ଚରେ ୟୁରୋପୀୟ ଦେଶରୁ ଆସୁଥିବା ଲୋକଙ୍କୁ ଆମେରିକାରେ ପ୍ରବେଶ ପାଇଁ ରୋକ୍ ଲଗାଇଥିଲେ। ଏହାରି ଭିତରେ କିନ୍ତୁ ଅନେକ ୟୁରୋପର ଲୋକ ନ୍ୟୁୟର୍କ ଆସି ଏହି ଭାଇରସ ସଂକ୍ରମିତ କରିଛନ୍ତି ବୋଲି ସେ କହିଛନ୍ତି।