ମୁମ୍ବାଇ: ଜଣେ ହୀରା ବ୍ୟବସାୟୀଙ୍କ ମୃତ୍ୟୁ ଘଟଣାରେ ଜଣାଶୁଣା ଟେଲି ଅଭିନେତ୍ରୀ ଦେବୋଲୀନା ଭଟ୍ଟାଚାର୍ଜ୍ୟଙ୍କୁ ପୁଲିସ୍ ଅଟକ ରଖିଛି।
ଏ ଘଟଣାରେ ପୁଲିସ୍ ଦୁଇ ଜଣଙ୍କୁ ଗିରଫ ମଧ୍ୟ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସଚିନ୍ ପାୱାର ଓ ଦୀନେଶ ପାୱାର। ସଚିନ୍ ମହାରାଷ୍ଟ୍ରର ମନ୍ତ୍ରୀ ପ୍ରକାଶ ମେହତାଙ୍କ ପୂର୍ବତନ ବ୍ୟକ୍ତିଗତ ସହାୟକ ଥିଲେ। ସେହିପରି ଦୀନେଶ ହେଉଛନ୍ତି ଜଣେ ନିଲମ୍ବିତ ପୁଲିସ୍ କନଷ୍ଟେବଲ୍। ଏକ ଦୁଷ୍କର୍ମ ଘଟଣାରେ ସେ ପୂର୍ବରୁ ଗିରଫ ହୋଇଥିଲେ।
ନଭେମ୍ବର ୨୮ ତାରିଖରୁ ଘଟକୋପାରର ହୀରା ବ୍ୟବସାୟୀ ରାଜେଶ୍ୱର ଉଦାନି (୫୭) ନିଖୋଜ ଥିଲେ। ଗତ ଶୁକ୍ରବାର ମହାରାଷ୍ଟ୍ରର ରାଇଗଡ଼ ଜିଲ୍ଲାର ପାନଭେଲ୍ ଜଙ୍ଗଲରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।
ଏହି ଘଟଣାରେ ପୁଲିସ୍ ହିନ୍ଦୀ ଧାରାବାହିକ ‘ସାଥ୍ ନିଭାନା ସାଥୀୟା’ରେ ‘ଗୋପୀ ବୋହୂ’ ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ଦେବୋଲୀନାଙ୍କୁ ଡାକି ପଚରାଉଚରା କରିବା ପରେ ଅଟକ ରଖିଛି। ଏ ମାମଲାରେ ତାଙ୍କର କ’ଣ ଭୂମିକା ରହିଛି, ସେ ନେଇ ପୁଲିସ୍ କିଛି କହି ନାହିଁ। ତେବେ ମନୋରଞ୍ଜନ ଦୁନିଆ ସହିତ ଜଡ଼ିତ ଆଉ କିଛି ମହିଳାଙ୍କୁ ପଚରାଉଚରା କରାଯାଇପାରେ ବୋଲି ପୁଲିସ୍ ସଙ୍କେତ ଦେଇଛି।
[caption id="attachment_310691" align="aligncenter" width="750"]
ପୁଲିସ୍ ତଦନ୍ତରୁ ଜଣାପଡ଼ିଛି ଯେ ୫୭ ବର୍ଷୀୟ ରାଜେଶ୍ୱର ଉଦାନି ବରାବର କିଛି ନିର୍ଦ୍ଦିଷ୍ଟ ବାର୍କୁ ଆସୁଥିଲେ ଏବଂ ଅନେକ ମହିଳାଙ୍କ ସଂସ୍ପର୍ଶରେ ଥିଲେ। ଏହି ମହିଳାଙ୍କ ମଧ୍ୟରେ ଅନେକ ଗ୍ଲାମର ଓ ମନୋରଞ୍ଜନ ଦୁନିଆର ବି ଥିଲେ।
ରାଜେଶ୍ୱର ଉଦାନି ନିଖୋଜ ହେବାର ୭ ଦିନ ପରେ ତାଙ୍କ ପରିବାର ଲୋକେ ଅପହରଣ ଅଭିଯୋଗ ଆଣି ଏତଲା ଦେଇଥିଲେ।
ପୁଲିସ୍ ରାଜେଶ୍ୱରଙ୍କ ଡ୍ରାଇଭରଙ୍କୁ ବି ପଚରାଉଚରା କରିଛି। ଡ୍ରାଇଭରଙ୍କ କହିବା ଅନୁଯାୟୀ, ନଭେମ୍ବର ୨୮ ତାରିଖ ଦିନ ରାଜେଶ୍ୱର ତାଙ୍କୁ ପନ୍ତ ନଗର ବଜାରରେ ଛାଡ଼ି ଦେବାକୁ କହିଥିଲେ। ସେଠାରୁ ସେ ଆଉ ଏକ ଗାଡ଼ିରେ ଚଢ଼ିଥିଲେ। ତେବେ ସେ କୁଆଡ଼େ ଗଲେ କିଛି କହି ନଥିଲେ।
ରାଜେଶ୍ୱରଙ୍କୁ ଅଲଗା ସ୍ଥାନରେ ହତ୍ୟା କରି ପାନଭେଲ୍ ଜଙ୍ଗଲରେ ଫୋପାଡ଼ି ଦିଆଯାଇଥିବା ପୁଲିସ୍ ସନ୍ଦେହ କରୁଛି।