ହାଇଦ୍ରାବାଦ: ନାଗରିକତା ସଂଶୋଧନ ଆଇନ (ସିଏଏ) ଏବଂ ଜାତୀୟ ଜନସଂଖ୍ୟା ପଞ୍ଜିକରଣ (ଏନପିଆର)ର କୁ ନେଇ ଦେଶର ରାଜନୀତି ସରଗରମ ରହିଛି। ଅନେକ ସ୍ଥାନରେ ହିଂସା ଓ ଆନ୍ଦୋଳନ ଦେଖିବାକୁ ମିଳିଛି। ଏହାରି ଭିତରେ ଉପରାଷ୍ଟ୍ରପତି ଏମ୍ ଭେଙ୍କେୟା ନାଇଡୁ ବିରୋଧ ପ୍ରଦର୍ଶନକାରୀ ଓ ହିଂସା ଘଟାଉଥିବା ବ୍ୟକ୍ତିଙ୍କୁ ହିଂସା, ଭଙ୍ଗାରୁଜା ବଦଳରେ ବିତର୍କ କରି ପରାମର୍ଶ ଦେବାକୁ ଆହ୍ୱାନ କରିଛନ୍ତି। ଦେଶରେ ହିଂସାର କୌଣସି ସ୍ଥାନ ନାହିଁ। ତେଣୁ ହିଂସା କରିବା ପରିବର୍ତ୍ତେ ଏବାବଦରେ ଉଚ୍ଚ ସ୍ତରୀୟ ଆଲୋଚନା କରି ପ୍ରସ୍ତାବ ଦେବାକୁ କହିଛନ୍ତି ଉପରାଷ୍ଟ୍ରପତି। ଖାଲି ଏତିକି ନୁହଁ ବିରୋଧୀଙ୍କ ଦାବିକୁ ଶୁଣିବା ପାଇଁ ସରକାରଙ୍କୁ ଆହ୍ୱାନ କରିଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ।
ସିଏଏ ହେଉ କି ଏନପିଆର ସଂସଦରେ ଏ ବାବଦରେ ସକାରାତ୍ମକ ଆଲୋଚନା ହେବା ଦରକାର। ବିଭିନ୍ନ ବୈଠକ ଏବଂ ମିଡିଆରେ ଏ ବାବଦରେ ତର୍କ ହୋଇ ସରକାରଙ୍କୁ ପରାମର୍ଶ ଦେବାକ ଆବଶ୍ୟକତା ରହିଛି। ଯଦି ବିତର୍କ କରି ସରକାରଙ୍କୁ ପ୍ରସ୍ତାବ ଦିଆଯିବ ତା'ହେଲେ ଆମର ସିଷ୍ଟମ ମଜବୁତ ହେବ। ହେଲେ ଭଙ୍ଗାରୁଜା କଲେ ସିଷ୍ଟମରେ ଦୁର୍ବଳତା ରହିଯିବ। ପରବର୍ତ୍ତୀ ସମୟରେ ସମାନ ଘଟଣା ଘଟିପାରେ। ତେଣୁ ଲୋକମାନେ ମଧ୍ୟ ଏହି ସିଏଏ ଏବଂ ଏନପିଆର ବାବଦରେ ବୁଝିବା ଦରକାର ବୋଲି ସେ କହିଛନ୍ତି। ଉପରାଷ୍ଟ୍ରପତି ଆନ୍ଧ୍ରପ୍ରଦେଶର ଦିବଂଗତ ମୁଖ୍ୟମନ୍ତ୍ରୀ ଏମ. ଚନ୍ନା ରେଡ୍ଡୀଙ୍କ ଜୟନ୍ତୀରେ ଯୋଗଦେଇ ଏଭଳି ମତ ରଖିଛନ୍ତି।