ନୂଆଦିଲ୍ଲୀ: ୧୭ତମ ସାଧାରଣ ନିର୍ବାଚନର ଦ୍ବିତୀୟ ପର୍ଯ୍ଯାୟ ପାଇଁ ମତଦାନ ଆରମ୍ଭ ହୋଇଛି। ୧୧ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୯୫ଟି ଆସନ ପାଇଁ ମତଦାନ ଚାଲିଛି। ତେବେ ଓଡ଼଼ିଶା ସମେତ ବିଭିନ୍ନ ରାଜ୍ଯର କିଛି ସ୍ଥାନରେ ଇଭିଏମରେ ବୈଷୟିକ ତ୍ରୁଟି ଯୋଗୁଁ ଭୋଟ ଦେବାରେ ଭୋଟରଙ୍କୁ ଅପେକ୍ଷା କରିବାକୁ ପଡ଼ିଛି।
ଓଡ଼ିଶା ବ୍ଯତୀତ ଅନ୍ଯ କେଉଁଠି ବିଳମ୍ବ ହୋଇଛି ମତଦାନ ପ୍ରକ୍ରିୟା
ମଥୁରା ଲୋକସଭା ଆସନର ୫ଟି ବୁଥରେ ଇଭିଏମରେ ତ୍ରୁଟି ପରିଲିକ୍ଷିତ ହୋଇଛି। ବୁଥ୍ ନମ୍ବର ୨୧୪, ୨୧୫, ୨୧୬ରେ ୩୦ ମିନିଟ୍ ବିଳମ୍ବରେ ମତଦାନ ଆରମ୍ଭ ହୋଇଛି। ୨୧୪ରେ ପୋଲିଂ ଏଜେଣ୍ଟ ଆସିବାରେ ବିଳମ୍ବ ହୋଇଥିବାରୁ ମତଦାନରେ ବିଳମ୍ବ ହୋଇଛି। ୨୧୫ ଏବଂ ୨୧୬ ବୁଥରେ ଇଭିଏମରେ ତ୍ରୁଟି ଥିବା ଜଣାପଡ଼ିବା ପରେ ଇଭିଏମ ବଦଳି କରାଯାଇ ଭୋଟିଂ ଆରମ୍ଭ ହୋଇଛି।
ଆଲିଗଡ଼ ଲୋକସଭା ଆସନରେ ମଧ୍ଯ ଇଭିଏମରେ ତ୍ରୁଟି ପରିଲିକ୍ଷିତ ହୋଇଛି। ନିନାମାଇ ଗାଁରେ ଇଭିଏମ ଖରାପ ଥିବାବେଳେ ବିକାଶ ଖଣ୍ଡ ଗାଁରେ ଇଭିଏମ ଲିଙ୍କ୍ ଫେଲ ହୋଇଥିଲା। ଘଣ୍ଟାଏ ପରେ ବିକାଶ ଖଣ୍ଡ ଗାଁରେ ମତଦାନ ଆରମ୍ଭ ହୋଇଛି।
ଫତେହପୁର ସିକରୀ ଲୋକସଭା ଆସନରେ ମଧ୍ଯ ଇଭିଏମରେ ତ୍ରୁଟି ଦେଖାଦେଇଥିବା ଜଣାପଡ଼ିଛି। ବୁଥ୍ ନମ୍ବର ୫୪ରେ ଇଭିଏମରେ ତ୍ରୁଟି ଥିବାରୁ ଭୋଟ ପ୍ରକ୍ରିୟା ବନ୍ଦ ରହିଛି ସାମୟିକ ସମୟ ପାଇଁ। ସେହିପରି ଇରାଦତନଗରର ଶେରପୁର ଗାଁରେ ଇଭିଏମ୍ ଖରାପ ଥିବାରୁ ୮ଟା ପର୍ଯ୍ଯନ୍ତ ଭୋଟିଂ ବନ୍ଦ ରହିଥିଲା।
ପଶ୍ଚିମବଙ୍ଗରେ ମଧ୍ଯ ଇଭିଏମରେ ତ୍ରୁଟି ଦେଖାଦେଇଛି। ରାଇଗଞ୍ଜ ଲୋକସଭା ଆସନରେ ଉତ୍ତର ଦିନାଜପୁରର ବୁଥ୍ ନମ୍ବର ୨୯/୧୩୪ ହିନ୍ଦୀ ଏଫପି ସ୍କୁଲ ଅଫ୍ ଉତ୍ତର ଦିନାଜପୁରରେ ଇଭିଏମରେ ତ୍ରୁଟି ଥିବାରୁ ୮ଟା ଯାଏଁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇପାରିନଥିଲା।
ଆସାମ ସିଲଚର ଲୋକସଭା ଆସନରେ ମଧ୍ଯ ଭିଭିପ୍ଯାଟରେ ତ୍ରୁଟି ଦେଖାଦେବାରୁ ଭୋଟ ପ୍ରକ୍ରିୟାରେ ବିଳମ୍ବ ହୋଇଛି।