ବରେଲି: ତିନ୍ ତଲାକ୍, ବହୁବିବାହ ବିରୋଧରେ ସ୍ୱର ଉତ୍ତୋଳନ କରୁଥିବା ବରେଲିର ଆଲା ହଜରତ ବଂଶର ପୂର୍ବତନ ବୋହୂ ନିଦା ଖାନ୍ଙ୍କ ବିରୋଧରେ ଫତୁଆ ଜାରି କରାଯାଇଛି। ନିଦାଙ୍କ ବିରୋଧରେ ଇସଲାମିକ୍ ଆଇନ୍କୁ ବିରୋଧ କରିବା ଅଭିଯୋଗ ଅଣାଯିବା ସହ ତାଙ୍କୁ ମୁସଲିମ୍ ସମାଜରୁ ବହିଷ୍କାର କରାଯାଇଛି। ଏପରିକି ତାଙ୍କୁ କବରସ୍ଥାନ୍ରେ ଦୁଇହାତ ଜମି ଦିଆଯିବ ନାହିଁ ବୋଲି କୁହାଯାଇଛି।
ସୋମବାର ବରେଲି ସହରର ଇମାମ୍ ମୁଫତି ଖୁର୍ଶୀଦ ଆଲମ୍ ଆଲା ହଜରତ୍ ଦର୍ଗାହରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି- “ଦର୍ଗାହର ହାରୁଲ୍ ଇଫ୍ତା ବିଭାଗ ନିଦାଙ୍କ ବିରୋଧରେ ଫତୁଆ ଜାରି କରିଛନ୍ତି। ମୁଫିତ୍ ଅଫ୍ଜାଲ ରଜବୀଙ୍କ ଦସ୍ତଖତ ଥିବା ଏହି ଫତୁଆରେ କୁହାଯାଇଛି ଯେ ନିଦା ଇସ୍ଲାମିକ ଆଇନ୍ର ବିରୋଧ କରୁଛନ୍ତି। ତେଣୁ ତାଙ୍କ ହୁକା-ପାଣି ବନ୍ଦ କରାଯାଇଛି। ନିଦାଙ୍କୁ ସହାୟତା କଲେ କି ତାଙ୍କୁ ସାକ୍ଷାତ କଲେ ସମ୍ପୃକ୍ତ ମୁସଲିମ୍ଙ୍କୁ ମଧ୍ୟ ଇସଲାମ୍ରୁ ବାହାର କରିଦିଆଯିବ।”
ସେ କହିଛନ୍ତି- “ନିଦା ଯଦି ବେମାର ପଡ଼ନ୍ତି ତାଙ୍କୁ ଔଷଧ ଦିଆଯିବ ନାହିଁ। ତାଙ୍କ ମୃତ୍ୟୁରେ ନମାଜ ପଢ଼ାଯିବ ନାହିଁ। ଏପରିକି କବର୍ସ୍ଥାନରେ ତାଙ୍କୁ ଦୁଇହାତ ଜମି ମଧ୍ୟ ଦିଆଯିବ ନାହିଁ।”
ନିଦା କହିଲେ ଫତୁଆ ଜରି କରିଥିବା ଲୋକେ ପାକିସ୍ତାନ ଚାଲିଯାନ୍ତୁ
ଫତୁଆ ଜରି ପରେ ନିଦା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି- “ଫତୁଆ ଜାରି କରିଥିବା ଲୋକେ ପାକିସ୍ତାନ ଚାଲିଯାଅ। ହିନ୍ଦୁସ୍ତାନ୍ ଏକ ଲୋକତନ୍ତ୍ରର ଦେଶ। ଏଠାରେ ଦୁଇଟି ଆଇନ୍ ଚଳିବ ନାହିଁ। କୌଣସି ମୁସଲିମ୍ଙ୍କୁ ଇସଲାମ୍ରୁ ବାହାର କରିବାର କ୍ଷମତା କାହାର ନାହିଁ। କେବଳ ଆଲ୍ଲା ହିଁ କିଏ ଅଭିଯୁକ୍ତ ଓ କିଏ ନିର୍ଦ୍ଦୋଷ ତାହା ନିଷ୍ପତ୍ତି କରିପାରିବେ।”
ସୂଚନାଯୋଗ୍ୟ ଯେ ନିଦାଙ୍କ ବିବାହ ୨୦୧୫ ଜୁଲାଇ ୧୬ ତାରିଖରେ ଆଲା ହଜରତ ବଂଶର ଉସ୍ତାନ୍ ରାଜ ଖାଁଙ୍କ ପୁଅ ଶୀରାନ୍ ରାଜ ଖାଁଙ୍କ ସହ ହୋଇଥିଲା। ୨୦୧୬ ଫେବୃଆରୀରେ ତାଙ୍କର ତଲାକ୍ ହୋଇଯାଇଥିଲା। ଏହାପରେ ନିଦା କୋର୍ଟର ଆଶ୍ରୟ ନେଇଥିଲେ। ସେବେଠାରୁ ସେ ତଲାକ୍ ପାଇଥିବା ଅନ୍ୟ ମହିଳାଙ୍କୁ ନ୍ୟାୟ ଦେବାକୁ ଆନ୍ଦୋଳନ ଚଳାଇଛନ୍ତି। ସେ ତିନ୍ ତଲାକ୍, ହଲାଲା ଓ ବହୁବିବାହ ପରି ପ୍ରଥା ବିରୋଧରେ ଅଭିଯାନ ଚଳାଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।