ଗାଜିଆବାଦ: ବିଦ୍ୟୁତ ସର୍ଟ ସର୍କିଟରୁ ୬ ଜଣଙ୍କର ମୃତ୍ୟୁ ଘଟିଛି। ଏହି ୬ ଜଣଙ୍କ ମଧ୍ୟରେ ୫ ଜଣ ଛୋଟ ଛୁଆ ରହିଛନ୍ତି। ଉତ୍ତର ପ୍ରଦେଶ ଗାଜିଆବାଦର ଲୋନିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ପ୍ରାଥମିକ ସୂଚନା ଅନୁଯାୟୀ, ଘରେ ଥିବା ଫ୍ରିଜରୁ ସର୍ଟ ସର୍କିଟ ହୋଇଥିଲା। ଫଳରେ ଘରଟି ଜଳି ଉଠିଥିଲା। ଏହାପରେ ଘର ଭିତରେ ଥିବା ଅନ୍ୟ ରୁମକୁ ନିଆଁ ବ୍ୟାପୀ ଯାଇଥିଲା। ଏହି ସମୟରେ ଗୋଟିଏ ଘରେ ୫ ଛୁଆଙ୍କ ସହିତ ମୋଟ ୬ ଜଣ ଶୋଇଥିଲେ। ନିଆଁ ବ୍ୟାପୀ ଯାଇଥିବାରୁ ଅଣନିଃଶାସୀ ହୋଇପଡ଼ିଥିଲେ ଏହି ୬ ଜଣ। ଫଳରେ ସମସ୍ତଙ୍କର ମୃତ୍ୟୁ ଘଟିଛି।
ଗାଜିଆବାଦର ବରିଷ୍ଠ ପୁଲିସ ଅଧିକାରୀ ସୁଧୀର କୁମାର ସିଂହ କହିଛନ୍ତି, ଏହି ଅଘଟଣ ବୋର୍ଡର ଥାନା ଅଞ୍ଚଳରେ ଥିବା ମୋଲାନା ଆଜାଦ କଲୋନୀରେ ଥିବା ଏକ ଘରେ ଘଟିଛି। ଗତକାଲି ରାତିରେ ଏହି ଅଘଟଣ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଏବଂ ୫ ଜଣ ଛୋଟ ଛୁଆ ରହିଛନ୍ତି।
ଘରଟି ନିଆଁର ଆଁରେ ଶିକାର ହୋଇ ସମ୍ପୂର୍ଣ୍ଣ କଳା ହୋଇଯାଇଛି। ଘରଟି ଭିତରକୁ ପବନ ପ୍ରବେଶ କରିବା ପାଇଁ ଜାଗା ନଥିବାରୁ ନିଆଁ ଶୀଘ୍ର ବ୍ୟାପୀ ଯାଇଥିଲା। ଫ୍ରିଜ ଉପରେ ଟିଭି ଥିଲା। ଟିଭିଟି ନିଆଁର ଶିକାର ହେବା ପରେ ବିସ୍ଫୋରଣ କରିଥିଲା। ଏହାପରେ ନିଆଁ ଜୋରରେ ଲାଗିଥିଲା। ପରିବାରର ସମସ୍ତ ଲୋକ ମୂଳ ଗାଁକୁ ଏକ ବାହାଘର ଭୋଜିରେ ଯୋଗ ଦେବା ପାଇଁ ଯାଇଥିଲେ। ଏହି ସମସ୍ତ ଘରର ଗ୍ରାଉଣ୍ଡ ଫ୍ଲୋରରେ ହୋଇଥିଲା। ପଡ଼ୋଶୀ ଘର ଲୋକ ତାଙ୍କର ପିଲାମାନେ ଏଠାରେ ଶୋଇଥିବାରୁ ସକାଳୁ ଆସି ଖୋଜିଥିଲେ। ହେଲେ କେହି ନଶୁଣିବାରୁ ଜୋର ଜବରଦସ୍ତି ଗ୍ରାଉଣ୍ଡ ଫ୍ଲୋରର କବାଟ ଭାଙ୍ଗି ପ୍ରବେଶ କରିଥିଲେ ବୋଲି ପୁଲିସ ଅଧିକାରୀ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।