ହାଇଦ୍ରାବାଦ: ହାଇଦ୍ରାବାଦ ଭେଟେରିନାରୀ ଡାକ୍ତର ଯୁବତୀଙ୍କ ହତ୍ୟା ମାମଲା ସାରା ଦେଶରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଥିବାବେଳେ ତେଲେଙ୍ଗାନା ଗୃହମନ୍ତ୍ରୀ କିନ୍ତୁ ଅଜବ ଉତ୍ତର ରଖିଛନ୍ତି। ମନ୍ତ୍ରୀ ମହମ୍ମଦ ମେହମ୍ମୁଦ ଅଲୀ ଶୁକ୍ରବାର ପ୍ରଶ୍ନ କରିଛନ୍ତି, ଏହି ‘ଶିକ୍ଷିତ’ ଡାକ୍ତର ଜଣକ ପୁଲିସ୍କୁ ଫୋନ୍ ନକରି ଭଉଣୀଙ୍କୁ କାହିଁକି ଫୋନ୍ କରିଥିଲେ? ସେ ପୁଲିସ୍କୁ ଫୋନ୍ କରିଥିଲେ ବଞ୍ଚିଯାଇଥାନ୍ତେ ବୋଲି କହିଛନ୍ତି।
ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେକୁ ମନ୍ତ୍ରୀ ଜଣକ କହିଛନ୍ତି, “ଡାକ୍ତର ଜଣକ ଶିକ୍ଷିତ ଥିଲେ, ଦୁର୍ଭାଗ୍ୟଜନକ କଥା ହେଉଛି ସେ ପରିବାର ଲୋକଙ୍କୁ ଫୋନ୍ କରିଥିଲେ ପୁଲିସ୍କୁ ନୁହେଁ। ସେ ୧୦୦ ଡାଏଲ୍ କରିପାରିଥା’ନ୍ତେ।”
ସେ ଆହୁରି ମଧ୍ୟ କହିଛନ୍ତି, “ଆମେ ଏହି ଘଟଣାରେ ଦୁଃଖିତ। ପୁଲିସ୍ ଆଲର୍ଟ ଅଛି ଏବଂ ଅପରାଧ ନିୟନ୍ତ୍ରଣ କରୁଛି।” ସୂଚନାଯୋଗ୍ୟ ଯେ, ସହାୟତା ନାଁରେ କିଛି ଅପରାଧୀ ଜଣେ ୨୬ ବର୍ଷର ଭେଟେରିନାରୀ ଡାକ୍ତର ଯୁବତୀଙ୍କ ସହ ଏଭଳି କିଛି କାଣ୍ଡ ଘଟାଇଛନ୍ତି ଯାହାକୁ ନେଇ ସାରା ଦେଶ କ୍ରୋଧରେ ଥରି ଉଠିଛି। ଯୁବତୀଙ୍କୁ ଦୁଷ୍କର୍ମ ପରେ କିରୋସିନ୍ ପକାଇ ଜାଳି ଦିଆଯାଇଥିବାବେଳେ ଦୋଷୀଙ୍କୁ ଦଣ୍ଡ ସ୍ୱରୂପ ସମସ୍ତଙ୍କ ସାମ୍ନାରେ ଜୀଅନ୍ତା ଜାଳି ଦିଆଯାଉ ବୋଲି ଦାବି କରିଛନ୍ତି ପୀଡ଼ିତାଙ୍କ ମା’।