ଜୟପୁର: ଦେଶରେ ବର୍ତ୍ତମାନ ଚର୍ଚ୍ଚାରେ ଥିବା ରାଜସ୍ଥାନର କୋଟା ଶିଶୁ ମୃତ୍ୟୁ ପଛର କାରଣ ନେଇ ବର୍ତ୍ତମାନ ସରକାରୀ ରିପୋର୍ଟ ଆସିଛି। କୋଟାର ଜେକେ ଲୋନ୍ ହସ୍ପିଟାଲରେ ଶିଶୁ ମୃତ୍ୟୁ ନେଇ ସରକାରଙ୍କ ନିଯୁକ୍ତ ପ୍ୟାନେଲ ରିପୋର୍ଟ ଦେଇଛନ୍ତି ଗତ ୧ ମାସରେ ୧୦୫ ଜଣଙ୍କର ମୃତ୍ୟୁ ହୋଇଛି। ଏହାର କାରଣ ସ୍ୱରୂପ କୁହାଯାଇଛି, ପ୍ରବଳ ଥଣ୍ଡାରୁ ଅସୁସ୍ଥ ଶିଶୁଙ୍କ ପାଇଁ ଆବଶ୍ୟକୀୟ ଉପକରଣ ହସ୍ପିଟାଲରେ ନଥିଲା। ସାଧାରଣ ସମସ୍ତ ହସ୍ପିଟାଲରେ ଯାହା ସୁବିଧା ରହିବା କଥା ତାହା ମଧ୍ୟ ଏଠାରେ ଉପଲବ୍ଧ ନଥିଲା।
ରାଜସ୍ଥାନ ସରକାର ଏହି ଘଟଣାର ତଦନ୍ତ କରିବା ପାଇଁ ଏହି କମିଟି ଗଠନ କରିଥିଲେ। ଏହି କମିଟି ହସ୍ପିଟାଲରେ ରହିଥିବା ସମସ୍ୟା ବାବଦରେ ରିପୋର୍ଟ ଦେବାର ଥିଲା। କମିଟି ଦେଇଥିବା ରିପୋର୍ଟରେ ଲେଖାଯାଇଛ, ଶିଶୁମାନଙ୍କର ହାଇପୋଥର୍ମିଆ କାରଣରୁ ମୃତ୍ୟୁ ହୋଇଛି। ଶରୀରର ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ୍ରୁ କମ୍ ହେଲେ ଏଭଳି ସମସ୍ୟା ଉପୁଜିଥାଏ। ମଣିଷର ସାଧାରଣ ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ୍ ରହିଥାଏ।
ତେବେ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଶୀତରେ ଥଣ୍ଡାର ମାତ୍ରା ବୃଦ୍ଧି ପାଇବା କାରଣରୁ ଲଗାତାର ଶିଶୁମୃତ୍ୟୁ ହେଉଥିଲେ ହେଁ ହସ୍ପିଟାଲ ପାଖରେ ଯଥେଷ୍ଟ ଜୀବନ ରକ୍ଷାକାରୀ ଉପକରଣ ନଥିଲା। ସଦ୍ୟ ଜନ୍ମିତ ଶିଶୁଙ୍କ ଶରୀରର ତାପମାତ୍ରା ୩୬.୫ ଡିଗ୍ରୀ ସେଲସିୟସ୍ ରହିବା କଥା। ସେଥିପାଇଁ ୱାର୍ମର ସାହାଯ୍ୟରେ ତାପମାତ୍ରା ସାଧାରଣ ରଖାଯାଏ। କିନ୍ତୁ ହସ୍ପିଟାଲ ପାଖରେ ଯଥେଷ୍ଟ ୱାର୍ମର ନଥିଲା। ଏହି କାରଣରୁ ଶରୀରର ତାପମାତ୍ରା ହ୍ରାସ ପାଇ ସମସ୍ୟା ସୃଷ୍ଟି କରିଥିଲା।
ରିପୋର୍ଟରେ କୁହାଯାଇଛି, ନିଶ୍ୱାସ ପ୍ରଶ୍ୱାସରେ ସହାୟକ ହେବାକୁ ଥିବା ୨୮ଟି ନେବୁଲାଇଜରରୁ ୨୨ଟି କାମ କରୁନଥିଲା। ୧୧୧ଟି ଇନ୍ଫ୍ୟୁଜନ୍ ପମ୍ପରୁ ୮୧ଟି କାମ କରୁନଥିଲା। ପାରା ମନିଟର ଏବଂ ପଲ୍ସ ଅକ୍ସିମିଟରର ମଧ୍ୟ ସମାନ ଅବସ୍ଥା। ଅନ୍ୟପକ୍ଷରେ ଆଇସିୟୁ ମଧ୍ୟ ବେଶ କିଛି ମାସ ହେଲା ସଫା ହୋଇନଥିଲା।
ଏହି ଘଟଣା ପରେ ରାଜସ୍ଥାନର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ରାଜେନ୍ଦ୍ର ରାଠୋର କହିଛନ୍ତି, “ଡିସେମ୍ବର ମାସରେ ଶିଶୁଙ୍କର ଲଗାତାର ମୃତ୍ୟୁ ଘଟୁଥିଲେ ହେଁ, ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ନୀରୋଗ ରାଜସ୍ଥାନ ଅଭିଯାନର ଶୁଭାରମ୍ଭ କରୁଥିଲେ।” ଏହି ହସ୍ପିଟାଲର କିଛି କର୍ମଚାରୀ କହିବା ଅନୁଯାୟୀ, ଏହି ହସ୍ପିଟାଲର ଅଧିକାଂଶ ଶିଶୁ ବିଶେଷଜ୍ଞ ବର୍ତ୍ତମାନ କୋଟାର ନୂଆ ମେଡିକାଲ କଲେଜରେ ନିଯୁକ୍ତ ହୋଇଛନ୍ତି। ନର୍ସିଂ କର୍ମଚାରୀ କମ୍ ଅଛନ୍ତି, ୱାର୍ଡ ବୟଙ୍କର ଏଠାରେ ରାଜୁତି ଚାଲେ ବୋଲି ସେମାନେ କହିଛନ୍ତି।
ହସ୍ପିଟାଲରେ ୬ କୋଟି ଟଙ୍କାର ଫଣ୍ଡ ପଡ଼ିରହିଥିଲେ ମଧ୍ୟ କୌଣସି ଉପକରଣ କିଣାହେଉନି ବୋଲି ମଧ୍ୟ ଅଭିଯୋଗ ଆସିଛି। ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ରାଠୋର କହିଛନ୍ତି, ରାଜନୀତିକ ଉଦ୍ଦେଶ୍ୟ ରଖି ଡାକ୍ତରମାନଙ୍କୁ ଅନ୍ୟ ହସ୍ପିଟାଲକୁ ବଦଳି କରାଯାଇଛି। ଫଳରେ ଏଠାରେ ବିଶେଷଜ୍ଞଙ୍କ ସଂଖ୍ୟା କମ୍ ରହିଛି। ସେ କହିଥିଲେ, ବିଜେପି ଶାସନରେ ସେମାନେ ବିଶେଷଜ୍ଞଙ୍କ ରହିବା ଉପରେ ଧ୍ୟାନ ଦେଉଥିଲେ।