ଆଜି ସକାଳେ ଏକ ଅଜ୍ଞାତ ସ୍ଥାନରୁ ଟ୍ୱିଟ୍ କରି ସେ କହିଛନ୍ତି,“ମୁଁ ଜଣେ ଅନ୍ତର୍ଜାତୀୟ ବ୍ୟବସାୟୀ। ମୁଁ ବିଭିନ୍ନ ସମୟରେ ଭାରତ ବାହାରକୁ ଯାଏ। ମୁଁ ଭାରତରୁ ଫେରାର ହୋଇଯାଇନି। ମୁଁ ପଳାତକ ନୁହେଁ। ଏନେଇ ପ୍ରକାଶିତ ଖବରଗୁଡ଼ିକରେ କୌଣସି ସତ୍ୟତା ନାହିଁ।”
ମାଲ୍ୟା ଆହୁରି ମଧ୍ୟ କହିଛନ୍ତି,“ଜଣେ ଭାରତୀୟ ସାଂସଦ ଭାବେ ମୁଁ ଦେଶର ଆଇନକୁ ପୂରାପୂରି ସମ୍ମାନ ଦିଏ। ଆମର ନ୍ୟାୟପାଳିକା ଉପରେ ମୋର ଭରସା ଓ ସମ୍ମାନ ରହିଛି। କିନ୍ତୁ ଗଣମାଧ୍ୟମ କୌଣସି ବିଚାର ନକରୁ।”
ସେ ଗଣମାଧ୍ୟମକୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି,“ଗଣମାଧ୍ୟମରେ ଗୋଟିଏ କଥା ଉଠିଲା ମାତ୍ରେ ତାହାକୁ ନେଇ ନିଆଁ ଜଳେ ଓ ପରେ ଏହା ପାଉଁଶରେ ଶେଷ ହୋଇଯାଏ। ଗଣମାଧ୍ୟମଗୁଡ଼ିକର ସର୍ବୋଚ୍ଚ କର୍ତ୍ତାମାନେ ଭୁଲିବା ଉଚିତ୍ ନୁହେଁ ଯେ ବହୁ ବର୍ଷ ଧରି ମୁଁ ସେମାନଙ୍କୁ ଅନେକ ସାହାଯ୍ୟ କରିଛି ଓ ସୁବିଧାସୁଯୋଗ ଯୋଗାଇ ଦେଇଛି। କିନ୍ତୁ ଏବେ ସେମାନେ ଟିଆର୍ପି ଲାଗି ମିଛ ଖବର ପରିବେଷଣ କରୁଛନ୍ତି।”
ମାଲ୍ୟା ୯୦୦୦ କୋଟି ଟଙ୍କାର ଋଣ ନଶୁଝି ମାର୍ଚ୍ଚ ୨ରେ ଦେଶ ଛାଡ଼ିଥିବା ଜଣାପଡ଼ିଛି। ସେ ଲଣ୍ଡନର କୌଣସି ଏକ ଗ୍ରାମାଞ୍ଚଳରେ ରହୁଥିବା କୁହାଯାଉଛି। ଅନ୍ୟପକ୍ଷରେ ଏହାକୁ ନେଇ କଂଗ୍ରେସ ଓ ବିଜେପି ମଧ୍ୟରେ ରାଜନୀତି ଚାଲିଛି। ଦୁହେଁ ପରସ୍ପରକୁ ଦାୟୀ କରୁଛନ୍ତି।