ଲୁଧିଆନା: ପାକିସ୍ତାନର ସିନ୍ଧ ପ୍ରଦେଶରେ ନିଜକୁ ଗୁରୁ ନାନକଙ୍କ ଅନୁଗାମୀ କହୁଥିବା କିଛି ହିନ୍ଦୁ ବହୁ ଦିନ ଧରି ବନ୍ଦ ଥିବା ଏକ ଗୁରୁଦ୍ୱାରର ମରାମତି କରିବା ସହ ପୁଣି ଖୋଲାଇଛନ୍ତି। ଏହା ବିଭାଜନ ବେଳଠାରୁ ହିଁ ବନ୍ଦ ରହିଥିଲା। ଗୁରୁଦ୍ୱାର ବାବା ନାନକ ନାମକ ଏହି ଗୁରୁଦ୍ୱାରରେ ଶ୍ରୀ ଗୁରୁ ଗ୍ରନ୍ଥ ସାହିବ ସହ ଭଗବତ ଗୀତା ମଧ୍ୟ ସ୍ଥାନ ପାଇଛି। ଏହି ଅବସରରେ ଏଠାକାର ମୁସଲିମ୍ମାନେ ସମସ୍ତଙ୍କ ପାଇଁ ଲଙ୍ଗର ଆୟୋଜନ କରିଥିଲେ। ସବୁଠାରୁ ବଡ଼ କଥା ହେଉଛି ଗୁରୁଦ୍ୱାର ଥିବା ଜାନୋଜି ନାମକ ଗାଁରେ କେହି ମଧ୍ୟ ଶିଖ୍ ରୁହନ୍ତିନି।
ପାକିସ୍ତାନ ହିନ୍ଦୁ କାଉନ୍ସିଲ୍ ସଦସ୍ୟ ଦେୱା ସିକନ୍ଦର କହିଛନ୍ତି, “ସିନ୍ଧ ପ୍ରଦେଶର ସୁକ୍କୁର ଜିଲ୍ଲାରେ ଜାନୋଜି ଗାଁରେ ଏହି ଗୁରୁଦ୍ୱାର ଅବ୍ୟବହୃତ ହୋଇ ପଡ଼ି ରହିଥିଲା। ସୁକ୍କୁର ଏବଂ ଖୈରପୁର ଜିଲ୍ଲାରେ ରହୁଥିବା ହିନ୍ଦୁମାନେ ୬ ଲକ୍ଷ ଟଙ୍କା ଯୋଗାଡ଼ କରି ଏହି ୨ ରୁମ୍ ବିଶିଷ୍ଟ ଗୁରୁଦ୍ୱାର ମରାମତି କରିଥିଲେ।”
ସୂଚନାଯୋଗ୍ୟ ଯେ, ପାକିସ୍ତାନର ସିନ୍ଧ ପ୍ରଦେଶରେ ସବୁଠାରୁ ଅଧିକ ହିନ୍ଦୁ ବସବାସ କରନ୍ତି। ସେମାନେ ହିନ୍ଦୁ ହୋଇଥିବା ସତ୍ତ୍ୱେ ନାନକ ପନ୍ଥୀ ବା ଗୁରୁ ନାନକ ଦେଖାଯାଇଥିବା ମାର୍ଗକୁ ମାନନ୍ତି।