ନୂଆଦିଲ୍ଲୀ: ଚଳିତ ଦିଲ୍ଲୀ ମହାନଗର ନିଗମ ନିର୍ବାଚନ(ଏମସିଡି)ରେ ଆମ ଆଦମୀ ପାର୍ଟି ବହୁମତ ପାଇ ବିଜେପିକୁ ପରାସ୍ତ କରିଥିବା ବେଳେ ଆଜି ହେଉଛି ମେୟର ନିର୍ବାଚନ। ଏହି ପଦବୀ ପାଇଁ ଉଭୟ ଆପ୍ ଏବଂ ବିଜେପି ମଧ୍ୟରେ କଡ଼ା ଟକ୍କର ହେଉଥିବା ବେଳେ ବିଜେପି ଉକ୍ତ ଆସନକୁ ପୁନର୍ବାର ହାତେଇବ ବୋଲି ଦୃଢ଼କ୍ତି ପ୍ରକାଶ କରିଛି। ବିଗତ ୧୫ ବର୍ଷ ଧରି ଏମସିଡିକୁ ନିଜ ଅଧିନରେ ରଖିଥିବା ବିଜେପି ହାତରୁ ଏଥର ଆପ ପାଖକୁ ଚାଲିଯାଇଛି। ଆପ୍ ପକ୍ଷରୁ ଶେଲୀ ଓବରୟ ଲଢ଼ୁଥିବା ବେଳେ ବିଜେପି ରେଖା ଗୁପ୍ତାଙ୍କୁ ପ୍ରାର୍ଥୀ କରିଛି। ସେହିପରି ଆପ୍ ପକ୍ଷରୁ ଆଉ ଜଣେ ବ୍ୟାକଅପ ପ୍ରାର୍ଥୀ ଆସୁ ଠାକୁର ମଧ୍ୟ ରହିଛନ୍ତି। ସେହିପରି ଡେପୁଟି ମେୟର ପାଇଁ ଆପ୍ ପକ୍ଷରୁ ଆଲେ ମହମ୍ମଦ ଇକବାଲ, ଜଲାଜ କୁମାର ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ବିଜେପି ପକ୍ଷରୁ କମଲ ବାଗ୍ରୀ ନାମାଙ୍କନ ଭରିଛନ୍ତି। ଅନ୍ୟପଟେ ଏହି ନିର୍ବାଚନରେ ବିଜେପି କାଉନସିଲର ସତ୍ୟ ଶର୍ମାଙ୍କୁ ପ୍ରିଜାଡିଂ ଅଫିସର ଭାବେ ନିଯୁକ୍ତି କରାଯିବାକୁ ନେଇ ବିବାଦ ଉପୁଜୁଛି।
ଆପ ପକ୍ଷରୁ ମୁକେଶ ଗୋଏଲଙ୍କ ନାମ ସୁପାରିଶ କରାଯାଥିବା ବେଳେ ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକ୍ସେନା ଶର୍ମାଙ୍କ ନାମରେ ମୋହର ମାରିଛନ୍ତି। ଫଳରେ ଦିଲ୍ଲୀରେ କେଜ୍ରିୱାଲ ସରକାର ଏବଂ ଉପରାଜ୍ୟପାଳଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଛି। ମେୟର ନିର୍ବାଚନକୁ କେନ୍ଦ୍ର ଦ୍ୱାରା ନିଯୁକ୍ତ ଦିଲ୍ଲୀ ଉପରାଜ୍ୟପାଳ ପ୍ରଭାବିତ କରିବାକୁ ଉଦ୍ୟମ କରୁଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅଭିଯୋଗ କରିଛନ୍ତି। ମେୟର ନିର୍ବାଚନ ଫଳଫଲ ଯେମିତି ବିଜେପି ସପକ୍ଷରେ ଯିବ ସେନେଇ ଉପରାଜ୍ୟପାଳ କାମ କରୁଥିବା ସେ ଅଭିଯୋଗ କରିଛନ୍ତି। ଦିଲ୍ଲୀର ମେୟର ସିଧାସଳଖ ଭୋଟରଙ୍କ ଦ୍ୱାରା ନିର୍ବାଚିତ ହୋଇ ନଥାନ୍ତି। ନିର୍ବାଚିତ ଜନପ୍ରତିନିଧିମାନଙ୍କ ଦ୍ୱାରା ପରୋକ୍ଷ ଭୋଟରେ ସେ ନିର୍ବାଚିତ ହୋଇଥାନ୍ତି।
ମନୋନୀତ ସଦସ୍ୟମାନଙ୍କର ଏହି ନିର୍ବାଚନରେ ଭୋଟ ଦେବାର ଅଧିକାର ନାହିଁ। କେବଳ ୧୪ ଜଣ ବିଧାୟକ ଓ ୧୦ ଜଣ ଏମ୍ପି ଭୋଟ ଦେଇପାରିବେ। ଗତ ଡିସେମ୍ବର ୪ରେ ଦିଲ୍ଲୀ ମହାନଗର ନିଗମ ନିର୍ବାଚନ ହୋଇଥିବା ବେଳେ ୭ ଡିସେମ୍ବରରେ ଫଳାଫଳ ପ୍ରକାଶ ପାଇଥିଲା । ୧୫ ବର୍ଷର ବିଜେପି ଶାସନ ଡୋରୀକୁ ବଦଳାଇ ଏଥର ଆପକୁ ଭରସା କରିଛନ୍ତି ଦିଲ୍ଲୀ ସହରବାସୀ । କିନ୍ତୁ ଏହାରି ଭିତରେ ସପ୍ତାହ ବିତିଥିଲେ ବି କିଏ ହେବ ମେୟର ତାହା ଜଣାପଡିନାହିଁ । ୨୫୦ ଆସନ ବିଶିଷ୍ଠ ଦିଲ୍ଲୀ ମହାନଗର ନିଗମରେ ଚଳିତ ନିର୍ବାଚନରେ ୧୩୪ ଆସନ ଜିତି ବହୁମତ ହାସଲ କରିଛି ଆପ୍ । ବିଜେପିକୁ ମିଳିଛି ୧୦୪ଟି ଆସନ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।