/odisha-reporter/media/post_attachments/uploads/2022/01/aparna-yadav.jpg)
aparna-yadav
ନୂଆଦିଲ୍ଲୀ: ସାଇକେଲରୁ ଓହ୍ଲାଇ ପଦ୍ମ ଧରିଲେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ସିଂହ ଯାଦବଙ୍କ ଭାଇ ବୋହୂ। ସାମାଜବାଦୀ ପାର୍ଟିର ସଂରକ୍ଷକ ମୁଲାୟମ ସିଂହ ଯାଦବଙ୍କ ସାନ ବୋହୂ ଅପର୍ଣ୍ଣା ଯାଦବ ଆଜି ବିଜେପିରେ ମିଶିଛନ୍ତି। ବିଜେପି ରାଜ୍ୟ ସଭାପତି ସ୍ୱତନ୍ତ୍ର ଦେବ ସିଂହ ତାଙ୍କୁ ବିଜେପିରେ ବିଧିବଦ୍ଧ ଭାବେ ସାମିଲ କରାଇଛନ୍ତି। ଏହି ଅବସରରେ ଉତ୍ତରପ୍ରଦେଶ ଡେପୁଟି ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ମଧ୍ୟ ଉପସ୍ଥିତ ଥିଲେ।
ମୁଲାୟମ ସିଂହଙ୍କ ସାନ ବୋହୂ ଅପର୍ଣ୍ଣା ଯାଦବ। ସେ ମୁଲାୟମଙ୍କ ଦ୍ୱିତୀୟ ସ୍ତ୍ରୀ ସାଧାନା ଗୁପ୍ତାଙ୍କ ପୁଅ ପ୍ରତୀକ ଯାଦବଙ୍କ ସ୍ତ୍ରୀ। ୨୦୧୭ ବିଧାନସଭା ନିର୍ବାଚନ ଲଢ଼ିଥିଲେ ଅପର୍ଣ୍ଣା। କେଣଟ ଆସନରୁ ସାଇକଲ ଚିହ୍ନଟରେ ଲଢ଼ି ଦ୍ୱିତୀୟ ସ୍ଥାନରେ ରହିଥିଲେ। ସେତେବେଳେ ତାଙ୍କୁ ୬୩ ହଜାର ଭୋଟ ମିଳିଥିଲା। ସେ ବିଜେପି ପ୍ରାର୍ଥୀ ରୀତା ବହୁଗୁଣା ଯୋଶୀଙ୍କୁ ଦେଇଥିଲେ କଡା ଟକ୍କର।
ପାଖେଇ ଆସୁଛି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ। ସମାଜବାଦୀ ପାର୍ଟି ପୁଣି ଥରେ ଏଠି ସତ୍ତାକୁ ଫେରିବ ଏବଂ ବିଜେପିକୁ ମାତ୍ ଦେବ ବୋଲି ଜୋରସୋର୍ରେ କସରତ୍ ଚଳାଇଛି। ଏପରିକି ବିଜେପିର କିଛି ନେତାଙ୍କୁ ନିଜ ଆଡକୁ ମଧ୍ୟ ଟାଣି ସାରିଲାଣି। ଏହାରି ଭିତରେ ଏବେ ବିଜେପି ସମାଜବାଦୀ ପାର୍ଟିକୁ ଦେଇଛି ବଡ ଝଟ୍କା। ତାଙ୍କରି ଘର ଭିତରୁ ହିଁ ଜଣେ ଟାଣୁଆ ନେତାଙ୍କୁ ନିଜ ଆଡକୁ ଟାଣି ଆଣିଛି। ମୁଲାୟମଙ୍କ ସାନ ବୋହୂ ଅପର୍ଣ୍ଣା ଯାଦବଙ୍କୁ ବିଜେପିରେ ସାମିଲ କରାଯାଇଛି।
ବିଜେପିରେ ସାମିଲ ହେବା ପରେ ଅପର୍ଣ୍ଣା କହିଛନ୍ତି, 'ମୁଁ ସର୍ବଦା ପିଏମ ମୋଦୀଙ୍କ ଦ୍ୱାରା ପ୍ରଭାବିତ ହୋଇଛି। ଦେଶ ମୋ ପାଇଁ ପ୍ରଥମ ଅଟେ | ମୁଁ ବର୍ତ୍ତମାନ ଦେଶକୁ ପୂଜା କରିବାକୁ ବାହାରିଛି, ଯେଉଁଥିରେ ମୁଁ ସମସ୍ତଙ୍କ ସହଯୋଗ ଚାହୁଁଛି।' ତେବେ ଆଗକୁ ଅପର୍ଣ୍ଣା କେଉଁ ଆସନରୁ ଲଢ଼ିବେ ଆଉ ନିଜ ଘରର କାହାକୁ ଟକ୍କର ଦେବେ ତାହା ଦେଖିବା ବାକି ରହିଲା।
https://twitter.com/ANI/status/1483669806373310467?s=20
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
