/odisha-reporter/media/post_attachments/uploads/2022/01/CM.jpg)
CM
ଅମୃତସର: ଆସନ୍ତା ଫେବୃଆରୀ ୨୦ ତାରିଖରେ ପଞ୍ଜାବ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କ ସମ୍ପର୍କୀୟଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ରେଡ୍ କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଇଡି ରେଡ୍ ପରେ ଆଜି ଚନ୍ନି ସାମ୍ବାଦିକ ସମ୍ମିଳନୀ କରି ସାଂଘାତିକ ଅଭିଯୋଗ ଆଣିଛନ୍ତି।
ଆସନ୍ତା ପଞ୍ଜାବ ବିଧାନସଭା ନିର୍ବାଚନ ଲଢ଼ିବା ପାଇଁ ତାଙ୍କୁ ସୁଯୋଗ ମିଳିବ ନାହିଁ ନାହିଁ ବୋଲି ଧମକ ମିଳିଥିବା ଚନ୍ନି କହିଛନ୍ତି। ଇଡି ଦ୍ୱାରା ତାଙ୍କ ଉପରେ ଚାପ ପକାଇ ଏପରି କରାଯାଇଥିବା ଚନ୍ନି ଦାବି କରିଛନ୍ତି।
ସେ କହିଛନ୍ତି, “ମୋ ଉପରେ ଚାପ ସୃଷ୍ଟି କରିବା ପାଇଁ ଜୋରଦାର ଉଦ୍ୟମ କରାଯାଉଛି। ଯେଉଁମାନଙ୍କୁ ହେପାଜତକୁ ନିଆଯାଇଥିଲା ଓ ପଚରାଉଚରା କରାଯାଇଥିଲା, ସେମାନେ ମୋତେ ଏକଥା କହିଛନ୍ତି। ମୋତେ ନିର୍ବାଚନରେ ଲଢ଼ିବାକୁ ଅନୁମତି ମିଳିବନି ବୋଲି ରେଡ ଦ୍ୱାରା ଧମକ ଦିଆଯାଉଛି।”
ବେଆଇନ ବାଲି ଖନନ ଅଭିଯୋଗରେ ଇଡି ଦିନକ ପୂର୍ବରୁ ଚନ୍ନିଙ୍କ ସମ୍ପର୍କୀୟଙ୍କ ଘରେ ରେଡ୍ କରିଥିଲା। ଏହି ରେଡ୍କୁ ନେଇ ବିରୋଧୀ କ୍ଷମତାସୀନ କଂଗ୍ରେସକୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି। ଏସବୁ ଭିତରେ ହିଁ ଚନ୍ନି ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସେ କହିଛନ୍ତି, “ମୋ ଘରୁ କୌଣସି ପ୍ରକାରର ଟଙ୍କା ମିଳିନି। ମୋ ପୁତୁରାଙ୍କୁ ମିଥ୍ୟା କେସ୍ରେ ଫସାଇ ହଇରାଣ କରାଯାଉଛି।
ତାଙ୍କୁ ଅଟକ ରଖାଯାଇଛି। ସେ କେଉଁଠି ଏବେ ଅଛନ୍ତି, ସେକଥା ମୁଁ ଜାଣିନି। ୨୦୧୮ ମସିହାରେ ରୁଜୁ ହୋଇଥିବା ଏଫଆଇଆରରେ କୁଦରତ ସିଂହଙ୍କ ନାଁ ଥିଲା। ହେଲେ ତାଙ୍କୁ ଛାଡ଼ି ଦିଆଯାଇଛି। କୁଦରତ ସିଂହଙ୍କ ସହ ସାଙ୍ଗ ହେଉଥିବା କାରଣରୁ ଭୂପିନ୍ଦର ସିଂହ ହନୀଙ୍କୁ ପୂରା ମାମଲାରେ ଫସା ଯାଉଛି।
କ୍ୟାପ୍ଟେନ ଅମରିନ୍ଦର ସିଂହ ମୁଖ୍ୟମନ୍ତ୍ରୀ ଥିବା ବେଳେ ମାମଲା ହୋଇଥିଲା। ଏବେ ହୋଇଥିବା ରେଡ୍ ପଛରେ ଅମରିନ୍ଦର ସିଂହ ଓ ବାଦଲ ପରିବାରର ହାତ ରହିଛି। ମୋ ଭଳି ଜଣେ ଗରିବ ପରିବାରର ପିଲା ମୁଖ୍ୟମନ୍ତ୍ରୀ ହୋଇଥିବାରୁ ସେମାନେ ଈର୍ଷା କରୁଛନ୍ତି।”
ମୁଖ୍ୟମନ୍ତ୍ରୀ ଚନ୍ନି ଇଡି ରେଡ୍କୁ ଚାଷୀ ଆନ୍ଦୋଳନ ସହ ମଧ୍ୟ ଯୋଡ଼ିଛନ୍ତି। ସେ କହିଛନ୍ତି, “ଯଦି ମୁଁ ଚାଷୀଙ୍କ ବିରୋଧରେ ଫୋର୍ସ ଲଗାଇ କାର୍ଯ୍ୟାନୁଷ୍ଠାନ ନେଇଥାଆନ୍ତି, ତା’ହେଲେ ଏପରି ଘଟଣା ଘଟି ନଥାଆନ୍ତା। କେନ୍ଦ୍ର ଅଯଥାରେ ଚାଷୀ ଓ ପଞ୍ଜାବକୁ ଅପମାନିତ କରି ଚାଲିଛି। ପଞ୍ଜାବ ଓ ପଶ୍ଚିମବଙ୍ଗ ସବୁବେଳେ କ୍ରାନ୍ତିକାରୀ ରାଜ୍ୟ ଭାବେ ପରିଚୟ ହାସଲ କରିଛନ୍ତି। ଏବେ ବି ସେମାନେ ସେହି ନ୍ୟାୟରେ କାମ କରିବେ।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
