ଲକ୍ଷ୍ନୌ: ବିଦ୍ୟୁତ ବିଭାଗ କାର୍ଯ୍ୟାଳୟରେ ଲାଗିଛି ଦୁର୍ଦ୍ଦାନ୍ତ ଅପରାଧୀ ତଥା କୁଖ୍ୟାତ ଆତଙ୍କବାଦୀ ଓସାମା ବିନ୍ ଲାଡେନର ଫଟୋ। ଏଠିକାର ଦାୟିତ୍ୱରେ ଥିବା ଏସ୍ଡିଓ ଓସାମା ବିନ୍ ଲାଡେନ୍କୁ ନିଜ ଗୁରୁ ବୋଲି ମାନୁଛନ୍ତି। ଉତ୍ତରପ୍ରଦେଶ ଫାରୁଖାବାଦ ବିଦ୍ୟୁତ ବିଭାଗ ଅଫିସରେ ଦେଖିବାକୁ ମିଳିଛି କିଛି ଏଭଳି ଅଜବ ଦୃଶ୍ୟ। ଏହି ଘଟଣା ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି।
ଫାରୁଖାବାଦ ନୱାବଗଞ୍ଜ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ। ଏଠାକାର ଏକ ଫଟୋକୁ ନେଇ ଏବେ ସୋଶାଲ ମିଡିଆରେ ହଇଚଇ ସୃଷ୍ଟି ହୋଇଛି। ଅଫିସରେ ଭିତରେ ଝୁଲୁଛି ଆତଙ୍କବାଦୀ ଲାଡେନର ଫଟୋ। ଏଠାକାର ଏସ୍ଡିଓ ଏହି ଫଟୋକୁ ଲାଗାଇଛନ୍ତି। କେବଳ ସେତିକି ନୁହେଁ ଏସଡିଓ ରବିନ୍ଦ୍ର ପ୍ରକାଶ ଗୌତମଙ୍କୁ ଏନେଇ ପଚରା ଉଚରା କରିବାରୁ ସେ ଅଜବ ଯୁକ୍ତି ରଖିଛନ୍ତି। ସେ କହିଛନ୍ତି, ଲାଡେନ ହେଉଛନ୍ତି ବିଶ୍ୱର ସବୁଠାରୁ ଶ୍ରେଷ୍ଠ ଜେଇ ତଥା ଜୁନିଅର୍ ଇଞ୍ଜିନିୟର।
ସୂଚନା ମୁତାବକ ମଙ୍ଗଳବାର ଦିନ ସକାଳେ ଯେତେବେଳେ କର୍ମଚାରୀମାନେ ଏସଡିଓ କାର୍ଯ୍ୟାଳୟରେ ପହଞ୍ଚିଲେ, ସେତେବେଳେ ସେମାନେ କାର୍ଯ୍ୟାଳୟ ପରସରରେ କୁଖ୍ୟାତ ଆତଙ୍କବାଦୀ ଲାଡେନଙ୍କ ଫଟୋ ଲାଗିଥିବା ଦେଖିବାକୁ ପାଇଥିଲେ। ଏହି ଫଟୋ ତଳେ ଓସମା ବିନ୍ ଲାଡେନ ବିଶ୍ୱର ସର୍ବଶ୍ରେଷ୍ଠ ଇଞ୍ଜିନିୟର ଓ ଏହାତଳେ ଏସଡିଓ ରବିନ୍ଦ୍ର ପ୍ରକାଶ ଗୌତମଙ୍କ ନାମ ଲେଖା ରହିଛି। ଏହା ଦେଖି କର୍ମଚାରୀମାନେ ଚକିତ ହୋଇପଡିଥିଲେ। ଏନେଇ ଏସଡିଓ ରବିନ୍ଦ୍ର ପ୍ରକାଶ କହିଛନ୍ତି, ଲାଡେନ ହେଉଛନ୍ତି ତାଙ୍କର ଗୁରୁ।
ଜଣେ ଆତଙ୍କବାଦୀଙ୍କ ଫଟୋ ସରକାରୀ ଅଫିସରେ ଲାଗିବା ନେଇ ଏବେ ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି। ଏହି ଫଟୋ ଏବେ ସୋସିଆଲ ମିଡିଆରେ ଜୋରସୋର୍ରେ ଭାଇରାଲ ହେଉଛି। ଫଟୋ ଭାଇରାଲ ହେବା ଓ ବରିଷ୍ଠ ଅଧିକାରୀଙ୍କ କାନକୁ ଏହି କଥା ଯିବା ପରେ ତୁରନ୍ତ ଏସଡିଓ କାର୍ଯ୍ୟାଳୟରୁ ଲାଡେନଙ୍କ ଫଟୋ ହଟାଇ ଦିଆଯାଇଥିବା ଜଣାପଡିଛି। ଏହାସହ ଘଟଣାର ତଦନ୍ତ ଓ ଏସଡିଓ ରବିନ୍ଦ୍ର ପ୍ରକାଶଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଉପରିସ୍ଥ ଅଧିକାରୀମାନେ ଦାବି କରିଛନ୍ତି।