ନୂଆଦିଲ୍ଲୀ: ଆକ୍ରମଣକାରୀ ମାରଣାସ୍ତ୍ର ସହ ପ୍ରସ୍ତୁତ ଥିଲେ। ଜଣେ ପୁଲିସ ଅଧିକାରୀ ଭ୍ୟାନରୁ ଓହ୍ଲାଇବାକ୍ଷଣି ସେ ଆକ୍ରମଣ କରିଥିଲେ । ହେଲେ ପୁଲିସ ଅଧିକାରୀ ଜଣଙ୍କ ଉପସ୍ଥିତ ବୁଦ୍ଧି ଖଟାଇ ଦୁଃସାହାସିକ ସହ ଆକ୍ରମଣକାରୀଙ୍କୁ କାବୁ କରି ନେଇଥିଲେ। ଟିକିଏ ଏପଟସେଟ ହୋଇଥିଲେ ହୁଏତ ସମ୍ପୃକ୍ତ ପୁଲିସ ଅଧିକାରୀଙ୍କ ଜୀବନ ଚାଲିଯାଇଥା'ନ୍ତା।
ଏକ ବଡ଼ ଚାକୁ ଧରି ଆସିଥିବା ଆକ୍ରମଣକାରୀଙ୍କୁ ଫିଲ୍ମ ଷ୍ଟାଇଲରେ କାବୁ କରି ନେଇଥିବା ପୁଲିସ ଅଧିକାରୀଙ୍କୁ ବେଶ୍ ପ୍ରଶଂସା କରାଯାଉଛି। କୌଣସି ଫିଲ୍ମର ଦୃଶ୍ୟ ପରି ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। କେରଳର ପାରାଜଙ୍କସନ୍ ନିକଟସ୍ଥ କାୟମକୁଲମ ନିକଟରେ ଏହି ଘଟଣା ଘଟିଛି। ସେଠାରେ ଉପସ୍ଥିତ ଥିବା ପ୍ରତ୍ୟକ୍ଷଦର୍ଶୀ ଏହି ଭିଡିଓ ଶୁଟ୍ କରିଥିବା ବେଳେ ଆଇପିଏସ ଅଫିସର ସ୍ୱାତୀ ଲାକ୍ରା ଏହାକୁ ଟ୍ୱିଟ୍ କରିଛନ୍ତି। ଭିଡିଓଟିକୁ ଦେଖି ଲୋକେ ପ୍ରତିକ୍ରିୟା ଦେଉଛନ୍ତି।
କେରଳ ପୁଲିସର ଫେସ୍ବୁକ୍ ଆକାଉଣ୍ଟ ଅନୁଯାୟୀ, ସମ୍ପୃକ୍ତ ପୁଲିସ ଅଧିକାରୀ ଜଣଙ୍କ ହେଉଛନ୍ତି ସବଇନ୍ସପେକ୍ଟର ଅରୁଣ କୁମାର। ଆଲଫୁଜା ନୋରାଣ୍ଡ ପୁଲିସ ଷ୍ଟେସନରେ ଅରୁଣ କୁମାର କାର୍ଯ୍ୟରତ ଅଛନ୍ତି। ଗତ ଜୁନ୍ ୧୨ ତାରିଖ ସନ୍ଧ୍ୟା ୬ଟାରେ ପାରାଜଙ୍କସନ୍ରେ ଏହି ଘଟଣା ଘଟିଛି। ଉକ୍ତ ଅଫିସରଙ୍କ ଶରୀରରେ ୭ଟି ଷ୍ଟିଚ୍ ପଡ଼ିଛି। ଭିଡିଓରେ ଯାହା ଦେଖାଯାଉଛି, ଆକ୍ରମଣକାରୀ ଜଣଙ୍କ ସ୍କୁଟିରେ ଘଟଣାସ୍ଥଳରୁ ପଳାଇ ଯାଉଥିବା ବେଳେ ପୁଲିସ୍ ଗାଡ଼ିଟି ତାଙ୍କ ବାଟ ଓଗାଳିଛି। ଏହା ପରେ ପୁଲିସ୍ ଗାଡ଼ି ଭିତରୁ ସବଇନ୍ସପେକ୍ଟର ଅରୁଣ କୁମାର ବାହାରିଛନ୍ତି। ସେ ଗାଡ଼ିରୁ ଓହ୍ଲାଇବା କ୍ଷଣି ଅଭିଯୁକ୍ତ ସ୍କୁଟିରେ ରଖିଥିବା ଏକ ବଡ଼ ଚାକୁରେ ତାଙ୍କୁ ଆକ୍ରମଣ କରିଛନ୍ତି। ତେବେ ପୁଲିସ ଅଧିକାରୀ ଜଣକ ସାହାସ କରି ବେଶ୍ ଚତୁରତାର ସହ ତାଙ୍କୁ କାବୁ କରି ନେଇଥିଲେ। ତଥାପି ଚାକୁ ମାଡ଼ରେ ପୁଲିସ ଅଧିକାରୀ ଅରୁଣ କୁମାରଙ୍କ ହାତରେ ଆଘାତ ଲାଗିଛି। ତାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା।