ନୂଆଦିଲ୍ଲୀ: ଛତିଶଗଡର ନକ୍ସଲ ପ୍ରଭାବିତ ବିଜାପୁର ଏବଂ ସୁକୁମା ଜିଲ୍ଲା ସୀମାରେ ନକ୍ସଲ ଆକ୍ରମଣ କରିଛନ୍ତି। ଏଥିରେ ୨୨ ଯବାନ ସହିଦ ହୋଇଛନ୍ତି। ଏଯାବତ ସୁରକ୍ଷା ବାହିନୀ ଦ୍ୱାରା ୧୭ଯବାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। ୩୦ ଯବାନ ଆହତ ହୋଇଛନ୍ତି। ଏବେ ଏହାକୁ ନେଇ ଆରମ୍ଭ ହୋଇଛି କାଦୁଅ ଫିଙ୍ଗା ରାଜନୀତି।
ରାଜ୍ୟରେ ଏତେ ବଡ଼ ଘଟଣା ଘଟିଥିବା ବେଳେ ମୁଖ୍ୟମନ୍ତ୍ରୀ ଭୂପେଶ ସିଂ ବାଘେଲ ଆସାମରେ ନିର୍ବାଚନୀ ପ୍ରଚାର କରୁଥିଲେ। ଏଭଳି ଅଭିଯୋଗ ଆଣିଛନ୍ତି ମଙ୍ଗଲଦୋଇର ବିଜେପି ସାଂସଦ ଦିଲୀପ ସାଇକିଆ। ସେ କହିଛନ୍ତି, 'ଯେଉଁ ସମୟରେ ଅନେକ ସୁରକ୍ଷା କର୍ମୀ ପ୍ରାଣ ହରାଇଛନ୍ତି, ସେତେବେଳେ ଛତିଶଗଡ ମୁଖ୍ୟମନ୍ତ୍ରୀ ବାଘେଲ ଆସାମରେ ପ୍ରଚାର କରିବାରେ ବ୍ୟସ୍ତ। ସେ ସରକାରୀ କର୍ମଚାରୀଙ୍କ ସହ କ୍ୟାମ୍ପ କରିଛନ୍ତି ଏବଂ ସରକାରୀ ଯନ୍ତ୍ରର ଅପବ୍ୟବହାର କରୁଛନ୍ତି। ନିର୍ବାଚନ କମିଶନ ଏହି ଘଟଣାର ତଦନ୍ତ କରିବା ଉଚିତ୍। ଛତିଶଗଡ ପ୍ରତି ମୁଖ୍ୟମନ୍ତ୍ରୀ ନିଜର କର୍ତ୍ତବ୍ୟ ପାଳନ କରିବା ପରିବର୍ତ୍ତେ ଆସାମରେ କଂଗ୍ରେସ ନେତାଙ୍କ ସହ କ୍ୟାମ୍ପ କରୁଛନ୍ତି’।
https://twitter.com/ANI/status/1378574934402760715?s=20
ତେବେ ମୁଖ୍ୟମନ୍ତ୍ରୀ ବାଘେଲ କହିଛନ୍ତି, '୪ ଘଣ୍ଟା ଧରି ଲଗାତାର ଗୁଳି ବିନିମୟ ହୋଇଆସୁଛି, ନକ୍ସଲଙ୍କର ବହୁ କ୍ଷତି ହୋଇଛି। ଯବାନଙ୍କ ବଳିଦାନ ବୃଥା ଯିବ ନାହିଁ। ଗୃହମନ୍ତ୍ରୀ ଅମିତ ଶାହା ଫୋନ୍ କରିଥିଲେ। ସେ ସିଆରପିଏଫର ମହାନିର୍ଦ୍ଦେଶକଙ୍କୁ ଛତିଶଗଡ଼ ପଠାଇଛନ୍ତି। ସନ୍ଧ୍ୟାରେ ଛତିଶଗଡକୁ ଫେରିବି।'
ଏହି ଘଟଣାରେ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ ଟ୍ୱିଟ୍ କରି ଶୋକ ପ୍ରକାଶ କରିବା ସହିତ ଯବାନଙ୍କ ବଳିଦାନ ବୃଥା ଯିବନି ବୋଲି ଉଭୟ କହିଛନ୍ତି।
ତେବେ କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା ମଧ୍ୟ ଏହି ପ୍ରସଙ୍ଗରେ ଟ୍ୱିଟ୍ କରି ସହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ତେବେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଏହି ସମୟରେ ପ୍ରଚାରରେ ବ୍ୟସ୍ତ ବୋଲି ସେ କହିଛନ୍ତି।
https://twitter.com/rssurjewala/status/1378608414192885760?s=20
ସୂଚନାଯୋଗ୍ୟ, ଆକ୍ରମଣ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆସାମରେ ନିଜର ନିର୍ବାଚନ ପ୍ରଚାର ରଦ୍ଦ କରି ଦିଲ୍ଲୀ ଫେରୁଛନ୍ତି। ଶାହଙ୍କର ତିନୋଟି ରାଲି ଥିଲା। ସେଥିମଧ୍ୟରୁ ଗୋଟିଏ ରାଲିକୁ ସମ୍ୱୋଧନ କରି ଦିଲ୍ଲୀ ଫେରିଆସିଛନ୍ତି।
ଆସାମ ନିର୍ବାଚନ ଦାୟିତ୍ୱରେ ଥିବା ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଏହି ସୂଚନା ଦେଇଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବରିଷ୍ଠ ଅଧିକାରୀଙ୍କ ସହ ଛତିଶଗଡରେ ପରିସ୍ଥିତିର ଅନୁଧ୍ୟାନ କରିବା ପାଇଁ ଦିଲ୍ଲୀ ଫେରିଥିବା ସୂଚନା ରହିଛି।