ମୁଖତାରଙ୍କୁ ମିଳିଲାନି ରାଜ୍ୟସଭା ଟିକେଟ୍‌, ଉପନିର୍ବାଚନ ଭରସା

ନୂଆଦିଲ୍ଳୀ: ମଉଳିଲା କେନ୍ଦ୍ର ମନ୍ତ୍ରୀ ମୁଖତାର ଅବ୍ବାସ ନକଭିଙ୍କ ରାଜ୍ୟସଭା ଆଶା। ବିଜେପି କାଟିଲା ପତ୍ତା। ଆଶା କରିଥିଲେ ଟିକେଟ୍‌ ମିଳିବ, ହେଲେ ସବୁ ଆଶା ତାଙ୍କର ଏବେ ଧୂଳିସାତ ହୋଇଯାଇଛି। ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ସୋମବାର ଦ୍ୱିତୀୟ ପ୍ରାର୍ଥୀ ତାଲିକା ଜାରି କରିସାରିଛି। ହେଲେ ଏହି ତାଲିକାରେ ବିଜେପି ତା’ର କୌଣସି ମଧ୍ୟ ମୁସଲିମ ନେତାଙ୍କୁ ସ୍ଥାନ ଦେଇନାହିଁ। ଖୁବଶୀଘ୍ର କେନ୍ଦ୍ର ମନ୍ତ୍ରୀ ମୁଖତାର ଅବ୍ବାସ ନକଭି, ଏମ୍‌ଜେ ଅକବର ଏବଂ ସୈୟଦ ଜଫର […]

mukhtar-abbas-naqvi

Madhupriya Mistry
  • Published: Tuesday, 31 May 2022
  • , Updated: 31 May 2022, 01:28 PM IST

ନୂଆଦିଲ୍ଳୀ: ମଉଳିଲା କେନ୍ଦ୍ର ମନ୍ତ୍ରୀ ମୁଖତାର ଅବ୍ବାସ ନକଭିଙ୍କ ରାଜ୍ୟସଭା ଆଶା। ବିଜେପି କାଟିଲା ପତ୍ତା। ଆଶା କରିଥିଲେ ଟିକେଟ୍‌ ମିଳିବ, ହେଲେ ସବୁ ଆଶା ତାଙ୍କର ଏବେ ଧୂଳିସାତ ହୋଇଯାଇଛି। ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ସୋମବାର ଦ୍ୱିତୀୟ ପ୍ରାର୍ଥୀ ତାଲିକା ଜାରି କରିସାରିଛି। ହେଲେ ଏହି ତାଲିକାରେ ବିଜେପି ତା'ର କୌଣସି ମଧ୍ୟ ମୁସଲିମ ନେତାଙ୍କୁ ସ୍ଥାନ ଦେଇନାହିଁ।

ଖୁବଶୀଘ୍ର କେନ୍ଦ୍ର ମନ୍ତ୍ରୀ ମୁଖତାର ଅବ୍ବାସ ନକଭି, ଏମ୍‌ଜେ ଅକବର ଏବଂ ସୈୟଦ ଜଫର ଇସଲାମଙ୍କ କାର୍ଯ୍ୟକାଳ ସରିବ। ଏଭଳି ସ୍ଥିତିରେ ମୁଖତାରଙ୍କ ରାଜନୈତିକ କ୍ୟାରିୟର ମଧ୍ୟ ଟଳମଳ ସ୍ଥିତିରେ ରହିଛି। ଯଦି ସେ ପୁଣି ଥରେ ସାଂସଦ ନହୁଅନ୍ତି ତେବେ ଛଅ ମାସ ଭିତରେ ତାଙ୍କୁ ମନ୍ତ୍ରୀ ପଦ ଛାଡିବାକୁ ପଡିବ। ଏଭଳି ପରିସ୍ଥିତିରେ ମୁଖତାର ଅବ୍ବାସ ନକଭିଙ୍କୁ ଏବେ ଉପନିର୍ବାଚନ ଭରସା ରହିଛି। ଉତ୍ତରପ୍ରଦେଶର ରାମପୁର ଲୋକସଭା ଆସନରୁ ଉପ-ନିର୍ବାଚନରେ ​​ନିଜ ଭାଗ୍ୟ ପରୀକ୍ଷା କରିପାରନ୍ତି ମୁଖତାର। ବିଜେପି ତାଙ୍କୁ ଏହି ଆସନରୁ ପ୍ରାର୍ଥୀ କରିପାରେ ବୋଲି ରଜନୈତିକ ମହଲରେ ଚର୍ଚ୍ଚା ଚାଲିଛି।

ରାଜ୍ୟସଭାର ମୋଟ ୨୨ଟି ଆସନ ପାଇଁ ବିଜେପି ନିଜର ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଯେଉଁଥିରେ କେନ୍ଦ୍ର ମନ୍ତ୍ରୀ ମୁଖତାର୍ ଅବ୍ବାସ ନକଭିଙ୍କ ସମେତ କୌଣସି ମୁସଲମାନ ନେତାଙ୍କ ନାଁ ଅନ୍ତର୍ଭୁକ୍ତ କରାଯାଇ ନାହିଁ। ବର୍ତ୍ତମାନ ରାମପୁରରୁ ଲୋକସଭା ନିର୍ବାଚନରେ ​​ନକଭିଙ୍କ ପ୍ରତିଦ୍ୱନ୍ଦ୍ୱିତା ହେବା ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ। କାରଣ ଏହି ଆସନରୁ ବହୁବାର ନକଭି ନିର୍ବାଚନ ଲଢ଼ି ସାରିଛନ୍ତି।

ରାମପୁର ଆସନରୁ ମୁଖତାର ତିନି ଥର ନିର୍ବାଚନ ଲଢ଼ି ସାରିଛନ୍ତି। ଶେଷରେ ୧୯୯୮ରେ ସେ ଏହି ଆସନରୁ ବିଜୟ ହାସଲ କରି ସାଂସଦ ପଦ ପାଇଥିଲେ। କିନ୍ତୁ ୧୯୯୯ ଏବଂ ୨୦୦୯ରେ ନିର୍ବାଚନ ଲଢ଼ିଥିଲେ ମଧ୍ୟ ଏହି ଆସନରୁ ତାଙ୍କୁ ନିରାଶ ହେବାକୁ ପଡିଥିଲା। ସେ ୧୯୯୮ ପର ଠାରୁ କୌଣସି ବି ଲୋକସଭା ନିର୍ବାଚନ ଜିତି ନାହାନ୍ତି।

୨୦୧୬ରେ ତାଙ୍କୁ ଦଳ ଝାଡଖଣ୍ଡରୁ ରାଜ୍ୟସଭାକୁ ପଠାଇଥିଲା। ବର୍ତ୍ତମାନ ରାଜ୍ୟସଭାରେ ମୁଖତାରଙ୍କ କାର୍ଯ୍ୟକାଳ ଜୁନ୍ ୨୯ରେ ଶେଷ ହେବ ଏବଂ ବିଜେପି ତାଙ୍କୁ ଏବେ କୌଣସି ରାଜ୍ୟରୁ ଟିକେଟ୍‌ ଦେଇ ନାହିଁ। ସେପଟେ ସମାଜବାଦୀ ପାର୍ଟି ନେତା ଆଜମ ଖାନ୍‌ଙ୍କ ଇସ୍ତଫା ପରେ  ରାମପୁର ଲୋକସଭା ଉପ-ନିର୍ବାଚନ ଘୋଷଣା ହୋଇସାରିଛି।

ରାମପୁର ଲୋକସଭା ଆସନର ରାଜନୈତିକ ସମୀକରଣକୁ ଦୃଷ୍ଟିରେ ରଖି ନକଭିଙ୍କୁ ପ୍ରାର୍ଥୀ ଭାବେ ବିଜେପି ମଇଦାନକୁ ଓହ୍ଲାଇପାରେ ବୋଲି ଚର୍ଚ୍ଚା ହେଉଛି। ୧୯୯୮ରେ ରାମପୁର ଆସନରେ ନକଭି ବିଜୟ ହାସଲ କରିଛନ୍ତି। ତେଣୁ ପୁନର୍ବାର ବିଜେପି ତାଙ୍କ ଉପରେ ବାଜି ଖେଳିପାରେ।

Related story