ମୁମ୍ବାଇ: ୨୮ ଟଙ୍କା ପାଇଁ ଝଗଡ଼ା କଲେ ଅଟୋଚାଳକ। ବୀମା କମ୍ପାନୀ ବି ଫାଙ୍କୁ ଥିଲା। ହେଲେ ଏହି ମାମଲାରେ ଟ୍ରିବ୍ୟୁନାଲ କୋର୍ଟଙ୍କ ଏକ ବଡ଼ ରାୟ ଆସିଛି। ମୋଟର ଦୁର୍ଘଟଣାନିତ ମୃତ୍ୟୁ ମାମଲାରେ ଜଣେ ବ୍ୟକ୍ତିଙ୍କ ପରିବାରକୁ ୪୩ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ଟଙ୍କା ଉଭୟେ ଅଟୋଚାଳକ ଓ ବୀମା କମ୍ପାନୀକୁ ପୈଠ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏମିତି ଏକ ଖବର ମୁମ୍ବାଇରୁ ଆସିଛି। ଜଣେ ୨୬ ବର୍ଷୀୟ ଯୁବକଙ୍କ ପରିବାରକୁ ବୀମା ବାବଦକୁ ୪୩ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ହୋଇଛି। ଚେତନ ଆଚିର୍ନେକର ନାମକ ଯୁବକଙ୍କ ପରିବାରକୁ ଏହି ଅର୍ଥ ପ୍ରଦାନ କରିବାକୁ ନିର୍ଦ୍ଦେଶ ହୋଇଛି।
୨୦୧୬ର ଘଟଣା। ଚେତନ ରାତି ଗୋଟାଏରେ ମୁମ୍ବାଇ ଏୟାରପୋର୍ଟରୁ ଭିକ୍ରୋଲି ଇଷ୍ଟକୁ ଏକ ଅଟୋ ଯୋଗେ ଘରକୁ ଫେରୁଥିଲେ। ତେବେ ଘରେ ପହଞ୍ଚିବା ପରେ ହିସାବ ଅନୁଯାୟୀ ୧୭୨ ଟଙ୍କା ଭଡ଼ା ଦେବା କଥା। ହେଲେ ଖୁଚୁରା ନଥିବାରୁ ଚେତନ ଅଟୋ ଚାଳକଙ୍କୁ ୨୦୦ ଟଙ୍କା ଦେଇଥିଲେ। କିନ୍ତୁ ଅଟୋ ଚାଳକ ଜଣକ ଆଉ ୨୮ ଟଙ୍କା ଫେରାଇ ନଥିଲେ। ଏହାକୁ ନେଇ ଉଭୟ ଅଟୋ ଚାଳକ ଓ ଚେତନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଅଟୋ ଚାଳକ ଜଣକ ଓଲଟି ଦାଦାଗିରି ଦେଖାଇ ଗାଡ଼ି ଷ୍ଟାର୍ଟ କରି ପଳାଇଥିଲେ। ଚେତନ ଟଙ୍କା ପାଇଁ ଅଟୋକୁ ଗୋଡ଼ାଇବାରୁ ଚାଳକ ଚେତନଙ୍କୁ ଧକ୍କା ଦେଇ ଖସି ଯାଇଥିଲା। ଫଳରେ ଘଟଣାସ୍ଥଳରେ ଚେତନଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ସବୁ ଚେତନଙ୍କ ବାପା ଦେଖିଥିଲେ। ପରେ ଚେତନଙ୍କ ପରିବାର ଲୋକେ ବୀମା ପାଇଁ ଟ୍ରିବ୍ୟୁନାଲ କୋର୍ଟରେ ଉଭୟ ଅଟୋ ଚାଳକ ଓ ବୀମା କମ୍ପାନୀ ‘ଫ୍ୟୁଚର ଜେନେରାଲି ଇଣ୍ଡିଆ ଇନ୍ୟୁରାନ୍ସ’ ବିରୋଧରେ ଆବେଦନ କରିଥିଲେ। କିନ୍ତୁ ବୀମା କମ୍ପାନୀ ଏହା ଉଦ୍ଦେଶ୍ୟମୂଳକ ହତ୍ୟା, ଏଥିପାଇଁ ସେମାନେ ଦାୟୀ ନୁହନ୍ତି କହି କ୍ଷତିପୂରଣ ଫାଙ୍କିବାକୁ ପ୍ରୟାସ କରିଥିଲା।
କିନ୍ତୁ ଚେତନଙ୍କ ମୃତ୍ୟୁ ପ୍ରମାଣପତ୍ର ଓ ଶବ ବ୍ୟବଚ୍ଛେଦ ରିପୋର୍ଟରେ କିନ୍ତୁ ହତ୍ୟା ବୋଲି ଉଲ୍ଲେଖ ନଥିଲା। ଉଭୟ ରିପୋର୍ଟରେ ଚେତନଙ୍କ ଶରୀରରେ ମୋଟର ଗାଡ଼ି ଦୁର୍ଘଟଣା ଜନିତ ଆଘାତ ଥିବା ଉଲ୍ଲେଖ ଥିଲା। ଏହି ପ୍ରମାଣପତ୍ରକୁ ଆଧାର କରି କୋର୍ଟ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଦୁର୍ଘଟଣାର କାରଣ ଅଟୋ ଡ୍ରାଇଭରଙ୍କ ଅବହେଳା ଓ ଖାମଖିଆଲିକୁ ଦର୍ଶାଉଛି ବୋଲି କୋର୍ଟ ଦର୍ଶାଇଛନ୍ତି। ମୃତ୍ୟୁ ବେଳକୁ ଚେତନ ଏକ ସଫ୍ଟୱେର କମ୍ପାନୀରେ ମାସିକ ୧୫,୦୦୦ ଟଙ୍କା ଦରମା ପାଉଥିଲେ। ତେଣୁ ଚେତନଙ୍କ ଦରମା ଏବଂ ବୀମା ବାବଦକୁ ସର୍ବମୋଟ ହିସାବ କରି ପରିବାରର ୩ ଜଣ ସଦସ୍ୟଙ୍କୁ ୪୩ ଲକ୍ଷ ଟାଙ୍କା କ୍ଷତିପୂରଣ ଦେବାକୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ଷତିପୂରଣ ଉଭୟ ବୀମା କମ୍ପାନୀ ଓ ଅଟୋ ଚାଳକ କମଲେଶ ମିଶ୍ରଙ୍କୁ ଦେବାକୁ ନିର୍ଦ୍ଦେଶ ହୋଇଛି।