ମୁମ୍ବାଇ: ଦିନକୁ ଦିନ ବଢ଼ି ଚାଲିଛି ଶାହାରୁଖ ଖାନ୍ଙ୍କ ପୁଅ ଆର୍ଯ୍ୟନ୍ଙ୍କ ଅଡୁଆ। ମୁମ୍ବାଇ କ୍ରୁଜ ପାର୍ଟି ମାମଲାରେ ଧରାପଡିବା ପରେ ସେ ଏବେ ଜେଲ୍ରେ ଦିନ କାଟୁଛନ୍ତି। ତାଙ୍କ ଜାମିନ ଆବେଦନ ଖାରଜ ହେବା ପରେ ସେ ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ତେବେ ଏହି ଜାମିନ ଆବେଦନ ବେଳେ ଆର୍ଯ୍ୟନ୍ ନିଜ ସଫେଇ ଦେଇଛନ୍ତି।
ଏନ୍ସିବି ତାଙ୍କୁ ଫସାଇବାକୁ ଚେଷ୍ଟା କରୁଛି। ହ୍ୱାଟସଆପ୍ ଚାଟ୍ର ଅପବ୍ୟବହାର କରୁଛି ବୋଲି ଆର୍ଯ୍ୟନ୍ କହିଛନ୍ତି। ଆର୍ଯ୍ୟନ୍ ଖାନ୍ କହିଛନ୍ତି ଯେ, ତାଙ୍କ ମୋବାଇଲ୍ ଫୋନରୁ ନିଆଯାଇଥିବା ହ୍ୱାଟସଆପ୍ ଚାଟ୍ ଗୁଡିକ ଭୁଲ ଭାବରେ ଉପସ୍ଥାପିତ ହେଉଛି।
ଜାହାଜରେ ଏନସିବି ଚଢ଼ାଉ ପରେ ତାଙ୍କ ନିକଟରୁ କୌଣସି ଡ୍ରଗ୍ସ ଜବତ କରାଯାଇ ନାହିଁ ଏବଂ ସେ ଅରବାଜ୍ ମର୍ଚାଣ୍ଟ ଏବଂ ଅଚିତ କୁମାରଙ୍କ ବ୍ୟତୀତ ଅନ୍ୟ କୌଣସି ଅଭିଯୁକ୍ତଙ୍କୁ ଜାଣି ନାହାଁନ୍ତି ବୋଲି ଆର୍ଯ୍ୟନ୍ ଦାବି କରିଛନ୍ତି।
ସୂଚନା ମୁତାବକ, ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଏ ପର୍ଯ୍ୟନ୍ତ ଏନସିବି ପ୍ରାୟ ୨୦ ଜଣଙ୍କୁ ଗିରଫ କରିଛି। ଆର୍ଯ୍ୟନ୍ଙ୍କ ସମେତ ଅନ୍ୟ ପୁଅ ଅଭିଯୁକ୍ତଙ୍କୁ ଆର୍ଥର ରୋଡ ଜେଲରେ ରଖାଯାଇଛି। ସେପଟେ ମୁନ୍ମୁନ୍ ଧମେଚାଙ୍କ ସମେତ ଅନ୍ୟ ମହିଳା ଅଭିଯୁକ୍ତଙ୍କୁ ବାଇକୁଲା ଜେଲ୍ରେ ରଖାଯାଇଛି। ଏକ ସ୍ୱତନ୍ତ୍ର ଅଦାଲତ ଆର୍ଯ୍ୟନ୍ଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି। ଏହାପରେ ସେ ବୁଧବାର ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଆସନ୍ତା ୨୬ ତାରିଖରେ କୋର୍ଟ ତାଙ୍କ ଜାମିନ ଆବେଦନର ଶୁଣାଣି କରିବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।