Advertisment

ରାଷ୍ଟ୍ରପତି ନିର୍ବାଚନ: ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ନାମାଙ୍କନ ଦାଖଲ କଲେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ମଧ୍ୟାହ୍ନରେ ନାମାଙ୍କନ ଦାଖଲ କରିଛନ୍ତି ଏନଡିଏ ପ୍ରାର୍ଥୀ ତଥା ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ। ସଂସଦ ଭବନରେ ବିଜେପି ଓ ଏନଡିଏ ନେତାଙ୍କ ଉପସ୍ଥିତିରେ ଶ୍ରୀମତୀ ମୁର୍ମୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସଂସଦ ଭବନରେ ସେ ପ୍ରାର୍ଥିପତ୍ର ଦାଖଲ କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ବିଜେପି ଶାସିତ ରାଜ୍ୟର ସମସ୍ତ […]

author-image
Hemant Lenka
ଅଦ୍ୟତନ ହୋଇଛି
ରାଷ୍ଟ୍ରପତି ନିର୍ବାଚନ: ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ନାମାଙ୍କନ ଦାଖଲ କଲେ ଦ୍ରୌପଦୀ ମୁର୍ମୁ

Murmu

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ମଧ୍ୟାହ୍ନରେ ନାମାଙ୍କନ ଦାଖଲ କରିଛନ୍ତି ଏନଡିଏ ପ୍ରାର୍ଥୀ ତଥା ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ। ସଂସଦ ଭବନରେ ବିଜେପି ଓ ଏନଡିଏ ନେତାଙ୍କ ଉପସ୍ଥିତିରେ ଶ୍ରୀମତୀ ମୁର୍ମୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସଂସଦ ଭବନରେ ସେ ପ୍ରାର୍ଥିପତ୍ର ଦାଖଲ କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ବିଜେପି ଶାସିତ ରାଜ୍ୟର ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କ ଠାରୁ ଆରମ୍ଭ କରି ବହୁ କେନ୍ଦ୍ରମନ୍ତ୍ରୀ ଓ ସହଯୋଗୀ ଦଳର ନେତାମାନେ ଉପସ୍ଥିତ ରହିଥିଲେ।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ପ୍ରସ୍ତାବକ ଭାବେ ଶ୍ରୀମତୀ ମୁର୍ମୁଙ୍କ ନାମାଙ୍କନ ପତ୍ରର ଗୋଟିଏ ସେଟ କାଗଜ ରିଟର୍ଣ୍ଣିଂ ଅଫିସର ପିସି ମୋଡୀଙ୍କୁ ଦେଇଥିଲେ। ବିଜେପି ପକ୍ଷରୁ ମୋଟ ୪ ସେଟ୍‌ ନାମାଙ୍କନ ଶ୍ରୀମତୀ ମୁର୍ମୁଙ୍କ ପାଇଁ ପ୍ରସ୍ତୁତ କରାଯାଇଥିଲା। ପ୍ରତି ନାମାଙ୍କନ ପତ୍ରରେ ୫୦ ଜଣ ପ୍ରସ୍ତାବକ ଓ ୫୦ ଜଣ ସମର୍ଥକଙ୍କ ଦସ୍ତଖତ ରହିଛି।

ଶ୍ରୀମତୀ ମୁର୍ମୁଙ୍କ ପ୍ରାର୍ଥିପତ୍ରରେ ପ୍ରସ୍ତାବକ ଭାବେ ଅଣ ଏନଡିଏ ଦଳ ବିଜେଡିର ଜଗନ୍ନାଥ ସାରକା ଓ ଟୁକୁନି ସାହୁ ଦସ୍ତଖତ କରିଛନ୍ତି। ସେହିପରି ଆନ୍ଧ୍ର ପ୍ରଦେଶର କ୍ଷମତାସୀନ ୱାଇଏସ୍‌ଆର କଂଗ୍ରେସର ୨ ଜଣ ସାଂସଦ ମଧ୍ୟ ପ୍ରସ୍ତାବକ ରହିଛନ୍ତି। ବିଜେପି ସହ ମେଣ୍ଟ କରିଥିବା ଜେଡିୟୁର କିଛି ନେତା ମଧ୍ୟ ପ୍ରସ୍ତାବକ ଭାବେ ମୁର୍ମୁଙ୍କ ପ୍ରାର୍ଥିପତ୍ରକୁ ସମର୍ଥନ କରିଛନ୍ତି।

Advertisment

ଆଜି ସକାଳେ ଓଡ଼ିଶା ଭବନରୁ ଶ୍ରୀମତୀ ମୁର୍ମୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ସଂସଦ ଭବନରେ ପହଞ୍ଚିଥିଲେ। ସଂସଦ ଭବନ ପରିସରରେ ତାଙ୍କୁ ବିଭିନ୍ନ ଦଳର ନେତାମାନେ ସ୍ୱାଗତ କରିଥିଲେ। ଏହାପରେ ସେ ପ୍ରଧାନମନ୍ତ୍ରୀ ମୋଦି ଓ ଅନ୍ୟମାନଙ୍କ ସହ ସଂସଦ ହଲରେ ପହଞ୍ଚି ନାମାଙ୍କନ ଦାଖଲ କରିଛନ୍ତି।

ଏନଡିଏ ସମେତ ବିଜେଡି ଓ ଜଗନ ମୋହନ ରେଡ୍ଡୀଙ୍କ ୱାଇଏସଆର କଂଗ୍ରେସ ଶ୍ରୀମତୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କରିଥିବାରୁ ସେ ରାଷ୍ଟ୍ରପତି ନିର୍ବାଚନ ଜିତିବା ଏକ ପ୍ରକାରର ନିଶ୍ଚିତ ହୋଇଛି। ଯଦି ସେ ବିଜୟୀ ହୁଅନ୍ତି, ତା’ହେଲେ ଦେଶକୁ ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ମିଳିବେ। ସେହିପରି ପ୍ରଥମ ଓଡ଼ିଆ ଭାବେ ଶ୍ରୀମତୀ ମୁର୍ମୁ ଦେଶର ସର୍ବୋଚ୍ଚ ପଦ ଅଳଙ୍କୃତ କରିବାର ରେକର୍ଡ କରିବେ।


ଅନ୍ୟପକ୍ଷରେ ବିରୋଧୀ ମେଣ୍ଟର ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ଯଶୱନ୍ତ ସିହ୍ନା ଆସନ୍ତା ୨୭ ତାରିଖରେ ନାମାଙ୍କନ ଦାଖଲ କରିବେ ବୋଲି ଜଣାପଡ଼ିଛି। ଶ୍ରୀ ସିହ୍ନାଙ୍କୁ ଟିଏମସି, କଂଗ୍ରେସ, ଏନସିପି, ଶିବସେନା ଓ ଆରଜେଡି ଭଳି ବିଜେପି ବିରୋଧୀ ଦଳଗୁଡ଼ିକ ସମର୍ଥନ କରୁଛନ୍ତି।

President Election Draupadi Murmu