/odisha-reporter/media/post_attachments/uploads/2022/06/jama.jpg)
jama
ନୂଆଦିଲ୍ଲୀ: ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟକୁ ନେଇ ଦିନକୁ ଦିନ ପରିସ୍ଥିତି ଜଟିଳ ହେଉଛି। ଏହି ବିବାଦ ଅନ୍ତର୍ଜାତୀୟସ୍ତରରେ ପହଞ୍ଚିଥିବା ବେଳେ ଦେଶରେ ଆନ୍ଦୋଳନ ମଧ୍ୟ ଜୋର ଧରିଛି। ବିଶେଷ କରି ରାଜଧାନୀ ଦିଲ୍ଲୀ, କୋଲକାତା ଓ ୟୁପିରେ ବ୍ୟାପକ ଆନ୍ଦୋଳନ ଦେଖିବାକୁ ମିଳିଛି।
ଶୁକ୍ରବାର ଦିଲ୍ଲୀର ଜାମା ମସଜିଦ୍ ସମ୍ମୁଖରେ ଆନ୍ଦୋଳନକାରୀମାନେ ନାରାବାଜି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିବାଦୀୟ ମନ୍ତବ୍ୟ ଦେଇଥିବା ବିଜେପିର ପୂର୍ବତନ ରାଷ୍ଟ୍ରୀୟ ମୁଖପାତ୍ର ନୂପୁର ଶର୍ମାଙ୍କ ଗିରଫ ଦାବି କରି ଆନ୍ଦୋଳନକାରୀମାନେ ପ୍ରବଳ ହୋହଲ୍ଲା କରିଥିଲେ। ନୂପୁର ଶର୍ମା ଓ ବିଜେପିରୁ ବହିଷ୍କୃତ ହୋଇଥିବା ନବୀନ ଜିନ୍ଦଲଙ୍କ ବିରୋଧରେ ଆନ୍ଦୋଳନକାରୀ ବିଭିନ୍ନ ସ୍ଳୋଗାନ ଦେଇଥିଲେ। ଆନ୍ଦୋଳନକୁ ପ୍ରତିହତ କରିବାକୁ ଯାଇ ପୁଲିସ ଲାଠି ଚାର୍ଜ କରିଥିଲା। ସ୍ଥିତି ଜଟିଳ ହେବାରୁ ପୁଲିସ ଲୁହବୁହା ଗ୍ୟାସ୍ ମଧ୍ୟ ପ୍ରୟୋଗ କରିଥିଲା।
ଏ ସମ୍ପର୍କରେ ଜାମା ମସଜିଦ୍ର ସାହି ଇମାମ କହିଛନ୍ତି, ଆନ୍ଦୋଳନକାରୀଙ୍କ ପରିଚୟ ଆମକୁ ଜଣାନାହିଁ। ମସଜିଦ୍ ପକ୍ଷରୁ କୌଣସି ଆନ୍ଦୋଳନ କିମ୍ବା ବିକ୍ଷୋଭ ପାଇଁ ଆହ୍ୱାନ କରାଯାଇ ନଥିଲା। ବୋଧହୁଏ ଆନ୍ଦୋଳନକାରୀମାନେ ଏଆଇଏମଆଇଏମର ନେତା ଅସାଦ୍ଦୁଦ୍ଦିନ ଓୱେସୀଙ୍କ ସମର୍ଥକ ହୋଇଥିବେ। ଆମେ ସ୍ପଷ୍ଟ କରିବାକୁ ଚାହୁଁଛୁ ଯେ, ସେମାନେ ଯଦି ଚାହିଁବେ ବିକ୍ଷୋଭ ପ୍ରଦର୍ଶନ କରିପାରିବେ। ହେଲେ ମସଜିଦ ପକ୍ଷରୁ ସେମାନଙ୍କୁ କୌଣସି ସମର୍ଥନ ମିଳିବ ନାହିଁ।
ଯଦିଓ ନୂପୁର ଶର୍ମା ନିଜ ମନ୍ତବ୍ୟ ପାଇଁ କ୍ଷମା ମାଗିଛନ୍ତି ତଥାପି ତାଙ୍କୁ ଗିରଫ କରିବାକୁ ଦାବି ଉଠିଛି। ତାଙ୍କୁ ଗିରଫ କରିବା ଦାବିରେ ୟୁପି ଓ କୋଲକାତାରେ ମଧ୍ୟ ବଡ଼ଧରଣର ଆନ୍ଦୋଳନ ଦେଖିବାକୁ ମିଳିଛି। ଆଜି କୋଲକାତାରେ ପ୍ରାୟ ୩୦୦ ଆନ୍ଦୋଳନକାରୀ ନୂପୁର ଶର୍ମାଙ୍କ ପୋଷ୍ଟର ଧରି ତାଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ସ୍ଥାନୀୟ ଡିସିପି ସ୍ୱେତା ଚୌହାନ କହିଛନ୍ତି, ପ୍ରାୟ ୧୫୦୦ ଲୋକେ ଶୁକ୍ରବାର କୋଲକାତା ମସଜିଦ ନିକଟରେ ଏକାଠି ହୋଇଥିଲେ। ନମାଜ ପାଠ ସରିବା ପରେ ସେମାନଙ୍କ ମଧ୍ୟରୁ ୩୦୦ ଜଣ ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପୁଲିସ ଘଟଣା ଉପରେ ନଜର ରଖିଥିବା ସେ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
