ସଂକ୍ରମଣର ମାସକ ଭିତରେ ଆତ୍ମହତ୍ୟା କରିବା 'କୋଭିଡ ମୃତ୍ୟୁ'

ନୂଆଦିଲ୍ଲୀ: କରୋନାରେ ସଂକ୍ରମିତ ହୋଇ ୩୦ ଦିନ ଭିତରେ ଯଦି କୌଣସି ବ୍ୟକ୍ତି ଆତ୍ମହତ୍ୟା କରନ୍ତି ତେବେ ତାକୁ ‘କୋଭିଡ ମୃତ୍ୟୁ’ରେ ଗଣାଯିବ। ଆଜି ଏନେଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟକୁ ଜଣାଇଛନ୍ତି। କରୋନା ଜନିତ ମୃତ୍ୟୁ ମାମଲାରେ କ୍ଷତିପୂରଣ ଏବଂ ମୃତ୍ୟୁ ପ୍ରମାଣପତ୍ରରେ ମୃତ୍ୟୁର କାରଣ ଲେଖିବା ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହାର ଶୁଣାଣି ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟା କହିଛନ୍ତି, କରୋନାରେ ସଂକ୍ରମିତ ହୋଇ ୩୦ ଦିନ […]

Covid death

Madhupriya Mistry
  • Published: Thursday, 23 September 2021
  • , Updated: 23 September 2021, 04:18 PM IST

ନୂଆଦିଲ୍ଲୀ: କରୋନାରେ ସଂକ୍ରମିତ ହୋଇ ୩୦ ଦିନ ଭିତରେ ଯଦି କୌଣସି ବ୍ୟକ୍ତି ଆତ୍ମହତ୍ୟା କରନ୍ତି ତେବେ ତାକୁ 'କୋଭିଡ ମୃତ୍ୟୁ'ରେ ଗଣାଯିବ। ଆଜି ଏନେଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟକୁ ଜଣାଇଛନ୍ତି।

କରୋନା ଜନିତ ମୃତ୍ୟୁ ମାମଲାରେ କ୍ଷତିପୂରଣ ଏବଂ ମୃତ୍ୟୁ ପ୍ରମାଣପତ୍ରରେ ମୃତ୍ୟୁର କାରଣ ଲେଖିବା ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହାର ଶୁଣାଣି ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟା କହିଛନ୍ତି, କରୋନାରେ ସଂକ୍ରମିତ ହୋଇ ୩୦ ଦିନ ମଧ୍ୟରେ ଯଦି କୌଣସି ବ୍ୟକ୍ତି ଆତ୍ମହତ୍ୟା କରନ୍ତି ତେବେ ତାଙ୍କ ମୃତ୍ୟୁକୁ 'କୋଭିଡ ମୃତ୍ୟୁ' ବୋଲି ଦର୍ଶାଯିବ। ଏଥିସହ ଆତ୍ମହତ୍ୟା କରିଥିବା ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ରାଶି ମଧ୍ୟ ପ୍ରଦାନ କରାଯିବ।

ପୂର୍ବରୁ ଜାରି କରାଯାଇଥିବା ମୃତ୍ୟୁ ପ୍ରମାଣପତ୍ରରେ ଯଦି କୌଣସି ତ୍ରୁଟି ଥାଏ ତେବେ ତାକୁ ସଠିକ୍‌ କରାଯିବ। ଯଦି କୌଣସି ମୃତ୍ୟୁ ପ୍ରମାଣ ପତ୍ରରେ ମୃତ୍ୟୁର କାରଣ ହୃଦ୍‌ଘାତ ଲେଖା ହୋଇଛି ତେବେ ପରିବାର ସଦସ୍ୟ ମୃତ ବ୍ୟକ୍ତିଙ୍କ ଆର୍‌ଟିପିସିଆର୍‌ ଟେଷ୍ଟ ରିପୋର୍ଟ ଦେଖାଇ ମୃତ ପ୍ରମାଣ ପତ୍ରକୁ ସଠିକ୍‌ କରିପାରିବେ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି।

ପୂର୍ବରୁ କରୋନାରେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ବାବଦକୁ ୫୦ ହଜାର ଟଙ୍କା ଅନୁକମ୍ପା ରାଶି ଦେବାକୁ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ କରୋନା ସଂକ୍ରମଣ ଜନିତ ମୃତ୍ୟ ପାଇଁ କ୍ଷତିପୂରଣ ରାଶି ବାବଦକୁ ଦିଶା ନିର୍ଦ୍ଦେଶ ଜାରି କରିଥିଲା। ଏହାପରେ ୫୦ ହଜାର ଟଙ୍କା କ୍ଷତିପୂରଣ ରାଶି ଦେବାକୁ ନିର୍ଦ୍ଦାରିତ ହୋଇଥିଲା।

ସେପଟେ କରୋନା ମୃତ୍ୟୁକୁ ନେଇ କେନ୍ଦ୍ରର ଯୁକ୍ତି ଶୁଣିବା ପରେ ସର୍ବୋଚ୍ଚ ଅଦାଲତ ନିଜ ନିଷ୍ପତ୍ତିକୁ ସୁରକ୍ଷିତ ରଖିଛନ୍ତି। ଆସନ୍ତା ଅକ୍ଟୋବର ୪ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Related story