ନୂଆଦିଲ୍ଲୀ: ମେ’ ୧୨ରୁ ଆରମ୍ଭ ହୋଇଥିବା ୧୫ ଯୋଡା ସ୍ଵତନ୍ତ୍ର ଟ୍ରେନ ଗୁଡିକର ବୁକିଂ ନିୟମାବଳୀରେ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛି ରେଳ ବିଭାଗ। ଏହିସବୁ ଟ୍ରେନ ପାଇଁ ଆଗୁଆ ସଂରକ୍ଷଣ ଅବଧି ୭ ରୁ ୩୦ ଦିନକୁ ବୃଦ୍ଧି କରିଛି ରେଳ ବିଭାଗ।
ଏହିସବୁ ଟ୍ରେନ ଗୁଡିକରେ କୌଣସି ତତ୍କାଳ ବୁକିଂ ହୋଇପାରିବ ନାହିଁ। ଆରଏସି ଓ ୱେଟିଙ୍ଗ ଲିଷ୍ଟ୍ ଟିକଟେ ଆବଶ୍ୟକ ନିୟମାନୁସାରେ ହେବ । ତେବେ ୱେଟିଙ୍ଗ ଲିଷ୍ଟରେ ଥିବା ଯାତ୍ରୀମାନେ ଟ୍ରେନରେ ଯାତ୍ରା କରିପାରିବେ ନାହିଁ।
ଟ୍ରେନ ଛାଡିବାର ୪ ଘଣ୍ଟା ପୂର୍ବରୁ ପ୍ରଥମ ଚାଟ ଓ ୨ ଘଣ୍ଟା ପୂର୍ବରୁ ଦ୍ଵିତୀୟ ଚାଟ ବାହାରିବ। ପ୍ରଥମ ଓ ଦ୍ଵିତୀୟ ଚାଟ୍ ଅବଧି ମଧ୍ୟରେ କରେଣ୍ଟ ବୁକିଂ ହୋଇପାରିବ। ଡାକଘର ସମେତ କମ୍ପ୍ୟୁଟରୀକୃତ ପିଆରଏସ କାଉଣ୍ଟରରେ ବୁକିଂ ହୋଇପାରିବ। ଏହାଛଡା ଲାଇସେନ୍ସ ପ୍ରାପ୍ତ ଯାତ୍ରୀ ସୁବିଧା ଟିକେଟ କେନ୍ଦ୍ର ଏବଂ ଅନଲାଇନ ଟିକେଟ, ସ୍ଵୀକୃତପ୍ରାପ୍ତ ଆଇଆରସିଟିସି ଏଜେଣ୍ଟ ଓ କମନ ସର୍ଭିସ ସେଣ୍ଟରରେ ମଧ୍ୟ ଟିକଟ ବୁକିଂ ହୋଇପାରିବ ।
ଏହି ନିୟମାବଳୀ ୨୪ ମେ’ ରେ ଯାତ୍ରା କରୁଥିବା ଟ୍ରେନ ଏବଂ ୩୧ ମେ’ ଓ ତା’ପରଠାରୁ ଯାତ୍ରା କରୁଥିବା ଟ୍ରେନ ପାଇଁ ଲାଗୁ ହେବ ବୋଲି ରେଳ ବିଭାଗ କହିଛି।