ମିଳିଲା ଜାମିନ୍, ଜେଲରୁ ବାହାରିବେ ଚିଦାମ୍ୱରମ
ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଦାଏର ହୋଇଥିବା ମନି ଲଣ୍ଡରିଂ ମାମଲାର ଜାମିନ୍ ପାଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ୱରମ। ସୁପ୍ରିମକୋର୍ଟ ଆଜି ଏହି ଜାମିନ ପ୍ରଦାନ କରିଛନ୍ତି। ବ୍ୟକ୍ତିଗତ ଭାବରେ ୨ ଲକ୍ଷ ଟଙ୍କାର ବେଲ୍ ବଣ୍ଡ୍ ଓ ଦୁଇ ଜଣ ଜାମିନଦାର ସମାନ ଅର୍ଥ ଜମା କରିବା ପରେ ଚିଦାମ୍ବରମ ଜେଲରୁ ମୁକୁଳିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଫଳରେ ୧୦୦ରୁ ଅଧିକ ଦିନ ତିହାର ଜେଲର ବିଚାର ବିଭାଗୀୟ ହେପାଜତରେ ରହିବା ପରେ ସେ ଜେଲରୁ ବାହାରିବାକୁ ଯାଉଛନ୍ତି।
Supreme Court directs P Chidambaram to furnish a bail bond of Rs 2 lakhs along with 2 sureties of the same amount. SC also says Chidambaram can not travel abroad without the Court's permission. https://t.co/JTs5nGBpJd
— ANI (@ANI) December 4, 2019
ଜାମିନ ଦେବା ବେଳେ ସର୍ବୋଚ୍ଚ କୋର୍ଟ କିଛି ସର୍ତ୍ତ ମଧ୍ୟ ରଖିଛନ୍ତି। ସାକ୍ଷୀମାନଙ୍କୁ ପ୍ରଭାବିତ ନ କରିବାକୁ ଓ ପ୍ରମାଣ ନଷ୍ଟ ପାଇଁ ପ୍ରୟାସ ନ କରିବାକୁ କୋର୍ଟ ତାଙ୍କୁ କଡ଼ା ତାଗିଦ୍ କରିଛନ୍ତି। ଏମିତିକି ଆଇଏନଏକ୍ସ ମିଡିଆ ଦୁର୍ନୀତି ପ୍ରସଙ୍ଗରେ ଚିଦାମ୍ୱରମ କୌଣସି ସାର୍ବଜନୀନ ମତ ରଖିପାରିବେ ନାହିଁ କି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇପାରିବେ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ କୋର୍ଟଙ୍କ ବିନା ଅନୁମତିରେ ସେ ବିଦେଶ ଗସ୍ତରେ ଯାଇପାରିବେ ନାହିଁ।
Supreme Court says P Chidambaram should not temper with the evidence and not influence the witnesses. He should also not give press interviews or make make public statements in connection with this case. https://t.co/JTs5nGBpJd
— ANI (@ANI) December 4, 2019
ପୂର୍ବରୁ ଏହି ମାମଲାରେ ସିବିଆଇ ଦ୍ୱାରା ଦାଏର ହୋଇଥିବା ମାମଲାରେ ଚିଦାମ୍ୱରମ ଜାମିନ୍ ପାଇସାରିଛନ୍ତି । ଅଗଷ୍ଟ ୨୧ରେ ସିବିଆଇ ଦ୍ୱାରା ସେ ଏହି ଦୁର୍ନୀତି ମାମଲାରେ ପ୍ରଥମେ ଗିରଫ ହୋଇଥିଲେ। ଜେଲ୍ରେ ଥିବା ବେଳେ ହିଁ ମନି ଲଣ୍ଡରିଂ ମାମଲାରେ ଅକ୍ଚୋବର ମାସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଗିରଫ ହୋଇଥିଲେ। ଗତ ଗୁରୁବାର ସୁପ୍ରିମକୋର୍ଟ ଇଡି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ।
ଏହା ପୂର୍ବରୁ ଇଡି ମାମଲାରେ ହାଇକୋର୍ଟ କିନ୍ତୁ ଚିଦାମ୍ୱରମଙ୍କ ଜାମିନ୍ ଆବେଦନ ଖାରଜ କରି ଦେଇଥିଲେ। ଏହାପରେ ସେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ସୂଚନାଯୋଗ୍ୟ, ଆଇଏନଏକ୍ସ ମିଡିଆ ୨୦୦୭ରେ ୩୦୫ କୋଟି ଟଙ୍କାର ବିଦେଶୀ ପୁଞ୍ଜି ପାଇଥିଲା। ଏହି ଟଙ୍କା ବେଆଇନ ଉପାୟରେ ନିବେଶ ହୋଇଥିଲା। ପୁଞ୍ଜି ନିବେଶ ପାଇଁ ସରକାର ଏଫଆଇପିବି ବୋର୍ଡର ନିୟମରେ ହେରଫେର କରିଥିଲେ। ସେତେବେଳର ଅର୍ଥମନ୍ତ୍ରୀ ପି. ଚିଦାମ୍ୱରମଙ୍କ ନିର୍ଦ୍ଦେଶରେ ଏହି ହେରଫେର ହୋଇଥିଲା ବୋଲି ଅଭିଯୋଗ ରହିଛି। ଏଥିପାଇଁ ଚିଦାମ୍ୱରମ ବ୍ୟକ୍ତିଗତ ଭାବେ ମଧ୍ୟ ଲାଭବାନ ହୋଇଥିଲେ ବୋଲି ତଦନ୍ତକାରୀ ସଂସ୍ଥା କହିଛନ୍ତି। ଏହାପରେ ସିବିଆଇ ମେ ୨୦୧୭ରେ ଚିଦାମ୍ୱରମଙ୍କ ବିରୋଧରେ ଏତଲା ଦେଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।