ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୫ ବର୍ଷରେ ସତ୍ତା ପରିବର୍ତ୍ତନର ଟ୍ରେଣ୍ଡ ନେଇ ଆଗକୁ ବଢୁଥିବା ରାଜସ୍ଥାନ ରାଜନୀତିରେ ଏବେ କଂଗ୍ରେସ ସତ୍ତାଧାରୀ ହେବ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି। ମ୍ୟାଜିକ ନମ୍ବର ୧୦୦ ରହିଥିବା ବେଳେ କଂଗ୍ରେସ ଜିତିବ ବୋଲି ଏକ ପ୍ରକାରର ସୁନିଶ୍ଚିତ ସ୍ଥିତିରେ ପହଞ୍ଚି ଯାଇଛି। ହେଲେ କଂଗ୍ରେସ ଜିତିଲେ ମୁଖ୍ୟମନ୍ତ୍ରୀ କାହାକୁ କରାଯିବ ସେ ନେଇ ବିତର୍କ ଆରମ୍ଭ ହୋଇଛି। ଦୁଇ ହେବିୱେଟ୍ ଅଶୋକ ଗେହଲଟ୍ ଓ ସଚିନ୍ ପାଇଲଟ୍ ନିଜ ନିଜ ଆସନକୁ ଜିତିବାକୁ ଯାଉଛନ୍ତି। ଯେ କୌଣସି ମୁହୂର୍ତ୍ତରେ ଏ ଦୁହିଁଙ୍କୁ ବିଜୟୀ ଘୋଷଣା କରାଯାଇପାରେ।
ଏ ଉଭୟ ରାଜନେତା ରାଜ୍ୟ କଂଗ୍ରେସର ଦୁଇ ମାଇଲ୍ଖୁଣ୍ଟ ହୋଇଥିବାରୁ ୨ ଜଣ ଯାକ ମୁଖ୍ୟମନ୍ତ୍ରୀ ପଦବୀର ଦାବିଦାର। କିନ୍ତୁ କିଏ ଗାଦିରେ ବସିବେ ତାକୁ ଅପେକ୍ଷା ରହିଛି।
ନିର୍ବାଚନ ପୂର୍ବରୁ ହଠାତ୍ ଗଣମାଧ୍ୟମ ସାମ୍ନାକୁ ଆସି ଅଶୋକ ନିର୍ବାଚନ ସମ୍ପର୍କରେ ନିଜ ମତ ରଖିଥିଲେ।
“ ସଚିନ୍ ଓ ମୁଁ ଉଭୟ ଏଥର ନିର୍ବାଚନ ଲଢିବାକୁ ଯାଉଛୁ”। କହିଥିଲେ ଅଶୋକ ଗେହଲଟ୍।
ଏହି ଘୋଷଣା ସମୟରେ ସଚିନ୍ ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ। ଏ ବାବାଦରେ ସଚିନ୍ଙ୍କ ମତାମତ ମଧ୍ୟ ନିଆ ଯାଇଥିଲା। ସେ କହିଥିଲେ- “ରାହୁଲଙ୍କ ନିର୍ଦ୍ଦେଶ ଓ ଅଶୋକ ଜୀ’ଙ୍କ ନିବେଦନ ପରେ ମୁଁ ନିର୍ବାଚନ ଲଢ଼ିବି ବୋଲି ନିଷ୍ପତ୍ତି ନେଇଛି।” ଏହି ଦୁଇ ପଦ ସେ ସମୟରେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଥିଲା।
ଏବେ ନିର୍ବାଚନ ସରିଛି। ଉଭୟ ବିଜୟୀ ମଧ୍ୟ ହେବାକୁ ଯାଉଛନ୍ତି। ହେଲେ ପୂର୍ବରୁ ଥିବା ମତଭେଦ ଯୋଗୁ କଂଗ୍ରେସରେ ଗୋଷ୍ଠୀ ବିବାଦ ଥିବା ସମୟରେ ଗୋଟିଏ ଗୋଷ୍ଠୀ ସଚିନ୍ ନିରଙ୍କୁଶ ଭାବେ ନିର୍ବାଚନ ଲଢ଼ି ଜିତିବା ପରେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଆଶାବାଦୀ ଥିଲେ। ହେଲେ ଶେଷ ମୁହୂର୍ତ୍ତରେ ଅଶୋକ ଗେହଲଟ୍ ନିର୍ବାଚନ ଲଢ଼ିବା କଥା ଜଣାପଡିଥିଲା।
ଏବେ ନିର୍ବାଚନ ସରିଛି। ଉଭୟ ବିଜୟୀ ହେବାକୁ ଯାଉଛନ୍ତି। ଆଉ ଉଭୟଙ୍କ ବିଜୟ କଂଗ୍ରେସ ପାଇଁ ବଡ଼ ସଫଳତା। ଏଣେ ସଚିନ୍, ଅଶୋକଙ୍କ କଥା ରଖି ନିର୍ବାଚନ ଲଢ଼ି ସାରିଛନ୍ତି ହେଲେ ସୁପ୍ରିମୋ ରାହୁଲ୍ଙ୍କ ଆଦେଶ କ’ଣ ହେବ, ତାକୁ ନେଇ ଉଭୟେ ପ୍ରତୀକ୍ଷା କରିଛନ୍ତି।
ଏତିକି କୁହାଯାଇପାରେ ଯେ, ଗାଦିର ମୋହ ଉଭୟଙ୍କ ପାଖରେ ଥାଇପାରେ ହେଲେ ମୁଖିଆଙ୍କ ନିଷ୍ପତ୍ତିକୁ ଦୁହେଁ ହୃଦୟରୁ ଗ୍ରହଣ କରିବେ ତ ?