ଅଯୋଧ୍ୟାରେ ଜୈଶ୍‌ ଆକ୍ରମଣ ଆଶଙ୍କା

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ମନ୍ଦିର ନଗରୀ ତଥା ଭାରତର ଅନ୍ୟତମ ପ୍ରମୁଖ ତୀର୍ଥସ୍ଥଳୀ ଅଯୋଧ୍ୟାର ଆତଙ୍କବାଦୀ ଆକ୍ରମଣ ଆଶଙ୍କା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ ଇ ମହମ୍ମଦଠାରୁ ଏହି ବିପଦ ରହିଥିବା ନେଇ ଗୁଇନ୍ଦା ପକ୍ଷରୁ ସୂଚନା ମିଳିବା ପରେ ବୁଧବାର ଉତ୍ତରପ୍ରଦେଶ ପୁଲିସ୍‌ ପୁରା ସହରରେ ସୁରକ୍ଷା କଡ଼ାକଡ଼ି କରିଛି। ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ସଂଗଠନ ଜୈଶ୍‌ର ମୁଖ୍ୟ ମାସୁଦ୍‌ ଆଝାର ଅଯୋଧ୍ୟା ଉପରେ ଆକ୍ରମଣ ପାଇଁ ଡାକରା ଦେଇଥିବା […]

Jaish

Subrat Kumar Nayak
  • Published: Wednesday, 25 December 2019
  • , Updated: 25 December 2019, 05:42 PM IST

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ମନ୍ଦିର ନଗରୀ ତଥା ଭାରତର ଅନ୍ୟତମ ପ୍ରମୁଖ ତୀର୍ଥସ୍ଥଳୀ ଅଯୋଧ୍ୟାର ଆତଙ୍କବାଦୀ ଆକ୍ରମଣ ଆଶଙ୍କା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ ଇ ମହମ୍ମଦଠାରୁ ଏହି ବିପଦ ରହିଥିବା ନେଇ ଗୁଇନ୍ଦା ପକ୍ଷରୁ ସୂଚନା ମିଳିବା ପରେ ବୁଧବାର ଉତ୍ତରପ୍ରଦେଶ ପୁଲିସ୍‌ ପୁରା ସହରରେ ସୁରକ୍ଷା କଡ଼ାକଡ଼ି କରିଛି।

ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ସଂଗଠନ ଜୈଶ୍‌ର ମୁଖ୍ୟ ମାସୁଦ୍‌ ଆଝାର ଅଯୋଧ୍ୟା ଉପରେ ଆକ୍ରମଣ ପାଇଁ ଡାକରା ଦେଇଥିବା ଗୁଇନ୍ଦା ସଂସ୍ଥା ପକ୍ଷରୁ ସୁରକ୍ଷା ବାହିନୀକୁ ସୂଚନା ଦିଆଯାଇଛି। ଖବର ସରବରାହ ସଂସ୍ଥା ଆଇଏଏନ୍‌ଏସ୍‌ ପକ୍ଷରୁ ଦିଆଯାଇଥିବା ଖବର ଅନୁଯାୟୀ ଟେଲିଗ୍ରାମ୍‌ ସୋଶାଲ ମିଡିଆ ଆପ୍‌ ଜରିଆରେ ଭାରତ ମାଟିରେ ଏକ ବଡ଼ ଆକାରର ଏବଂ ଆଖି ଦୃଶିଆ ଆକ୍ରମଣ ପାଇଁ ଆଝାର ଆତଙ୍କବାଦୀମାନଙ୍କୁ ଆହ୍ୱାନ ଦେଇଛି। ଭାରତ-ନେପାଳ ସୀମା ଦେଇ ଗତ ମାସରେ ୭ ଜଣ ପାକିସ୍ତାନ ଆତଙ୍କବାଦୀ ଭାରତ ଭିତରକୁ ପଶିଆସିଥିବା ନେଇ ପୂର୍ବରୁ ଜାରି କରାଯାଇଥିବା ଆଲର୍ଟର ସତ୍ୟତା ମଧ୍ୟ ଆହୁରି ଘନୀଭୂତ ହେବାରେ ଲାଗିଛି। ଏପରିକି ୫ ଜଣଙ୍କର ପରିଚୟ ମଧ୍ୟ ମିଳିସାରିଛି। ସେମାନଙ୍କ ନାଁ ଅବୁ ହମ୍‌ଜା, ମହମ୍ମଦ ୟାକୁବ୍‌, ନିସାର ଅହମ୍ମଦ, ମହମ୍ମଦ ଶାହବାଜ୍‌ ଏବଂ ମହମ୍ମଦ କୁଆମୀ ଚୌଧୁରୀ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ଏଲ୍‌ଓସି ନିକଟରେ ଏବଂ କଶ୍ମୀର ଭିତରେ ବ୍ୟାପକ ସେନା ନିୟୋଜିତ ହୋଇଥିବାରୁ ଏହି ମାର୍ଗ ଆତଙ୍କବାଦୀଙ୍କ ପାଇଁ ଅଭେଦ୍ୟ ହୋଇଯାଇଛି। ଫଳରେ ନେପାଳ ସୀମା ଦେଇ ସେମାନେ ଭାରତ ଭିତରକୁ ଆସିବାର ପ୍ରୟାସ କରୁଥିବା କୁହାଯାଉଛି।

ଆଇଏଏନ୍‌ଏସ୍‌ରେ ପ୍ରକାଶିତ ଖବର ଅନୁଯାୟୀ, ଏହି ଆତଙ୍କବାଦୀମାନେ ଅସ୍ତ୍ରଶସ୍ତ୍ର ସହ ଆସିଥିଲେ ଏବଂ ସେମାନଙ୍କୁ ସ୍ଥାନୀୟ କିଛି ଲୋକ ଲଜିଷ୍ଟିକ୍‌ ସହାୟତା କରୁଛନ୍ତି। କିନ୍ତୁ ସେମାନଙ୍କ ଆକ୍ରମଣର ଟାର୍ଗେଟ୍‌ ନେଇ ଏଯାଏ ସ୍ପଷ୍ଟ ସୂଚନା ମିଳିପାରିନାହିଁ।

ସୂଚନାଯୋଗ୍ୟ ଯେ, କିଛି ଦିନ ଆଗରୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଘୋଷଣା କରିଥିଲେ ଅଯୋଧ୍ୟାରେ ସୁଉଚ୍ଚ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଆସନ୍ତା ୪ ମାସରେ ଆରମ୍ଭ ହେବ। ସୁପ୍ରିମ୍‌କୋର୍ଟ ନଭେମ୍ବର ୯ ତାରିଖରେ ବିବାଦୀୟ ଜମିରେ ରାମ ମନ୍ଦିର ସପକ୍ଷରେ ରାୟ ଦେବା ପରେ ସେ ଏପରି କହିଥିଲେ। କୋର୍ଟ କହିଥିଲେ ଅଯୋଧ୍ୟାର ଏକ ପ୍ରମୁଖ ସ୍ଥାନରେ ମସଜିଦ୍‌ ନିର୍ମାଣ ପାଇଁ ୫ ଏକର ଜମି ଦିଆଯିବ।

ଏହା ପୂର୍ବରୁ ଗତ ସେପ୍ଟେମ୍ବରରେ ଭାରତ ସରକାର ବେଆଇନ କାର୍ଯ୍ୟକଳାପ ଆଇନରେ ସଂଶୋଧନ ଆଣି ଜୈଶ୍‌ ମୁଖ୍ୟ ମାସୁଦ୍‌ ଆଝାରକୁ ଆତଙ୍କବାଦୀ ଘୋଷଣା କରିସାରିଛନ୍ତି। ଏଥି ସହିତ ଜାତିସଂଘ ମଧ୍ୟ ତା’କୁ ଗ୍ଲୋବାଲ ଟେରରିଷ୍ଟ ଘୋଷଣା କରିଛି। ଜାତିସଂଘର ସୁରକ୍ଷା ପରିଷଦ ୧୨୬୭ ରିଜୋଲ୍ୟୁସନ୍‌ ଅନୁଯାୟୀ ମେ ୧ରେ ଏଭଳି ନିଷ୍ପତ୍ତି ନେଇଛି।

Related story