ଫାରୁକ ଅବଦୁଲ୍ଲାଙ୍କ ପାଇଁ ସଂସଦ ହୁଲସ୍ତୁଲ କଲେ ବିରୋଧୀ

ନୂଆଦିଲ୍ଲୀ: ଆଜିଠୁ ସଂସଦ ଆରମ୍ଭ ହୋଇଛି। ଲୋକସଭା ଆରମ୍ଭ ହେବା ମାତ୍ରେ ଗୃହ ଭିତରେ ବିରୋଧୀ ଶ୍ରୀନଗର ସାଂସଦ ଫାରୁକଙ୍କ ଅଟକକୁ ବେଆଇନ କହି ହୁଲସ୍ତୁଲ କରିଛନ୍ତି। ସରକାର ଫାରୁକ ଅବଦୁଲ୍ଲାଙ୍କୁ କେଉଁ ଆଧାରରେ ଅଟକ ରଖିଛନ୍ତି? ଏହାକୁ ନେଇ ବିରୋଧୀ ଆଜି ଶୂନ୍ୟକାଳରେ ସରକାରଙ୍କୁ ଘେରିଛନ୍ତି। ଫାରୁକ ଅବଦୁଲ୍ଲାଙ୍କୁ ସରକାର ବେଆଇନ ଭାବରେ ଅଟକ ରଖିଛନ୍ତି। ସଂସଦରେ ଉପସ୍ଥିତ ହେବାକୁ ଅନୁମତି ଦିଆଯାଉ ବୋଲି ନିର୍ଦ୍ଦେଶ ଦେବାକୁ ବାଚସ୍ପତି ଓମ୍ ବିର୍ଲାଙ୍କ ନିକଟରେ ଦାବି କରିଛନ୍ତି […]

Farooq

Subhransu Sekhar
  • Published: Monday, 18 November 2019
  • , Updated: 18 November 2019, 05:47 PM IST

ନୂଆଦିଲ୍ଲୀ: ଆଜିଠୁ ସଂସଦ ଆରମ୍ଭ ହୋଇଛି। ଲୋକସଭା ଆରମ୍ଭ ହେବା ମାତ୍ରେ ଗୃହ ଭିତରେ ବିରୋଧୀ ଶ୍ରୀନଗର ସାଂସଦ ଫାରୁକଙ୍କ ଅଟକକୁ ବେଆଇନ କହି ହୁଲସ୍ତୁଲ କରିଛନ୍ତି। ସରକାର ଫାରୁକ ଅବଦୁଲ୍ଲାଙ୍କୁ କେଉଁ ଆଧାରରେ ଅଟକ ରଖିଛନ୍ତି? ଏହାକୁ ନେଇ ବିରୋଧୀ ଆଜି ଶୂନ୍ୟକାଳରେ ସରକାରଙ୍କୁ ଘେରିଛନ୍ତି। ଫାରୁକ ଅବଦୁଲ୍ଲାଙ୍କୁ ସରକାର ବେଆଇନ ଭାବରେ ଅଟକ ରଖିଛନ୍ତି। ସଂସଦରେ ଉପସ୍ଥିତ ହେବାକୁ ଅନୁମତି ଦିଆଯାଉ ବୋଲି ନିର୍ଦ୍ଦେଶ ଦେବାକୁ ବାଚସ୍ପତି ଓମ୍ ବିର୍ଲାଙ୍କ ନିକଟରେ ଦାବି କରିଛନ୍ତି କଂଗ୍ରେସ, ନ୍ୟାସନାଲ କନଫରେନସ ଆଦି ବିରୋଧୀ ଦଳ।

ଲୋକସଭାରେ କଂଗ୍ରେସ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି, ‘ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ କୌଣସି ସାଂସଦଙ୍କୁ ଯିବା ପାଇଁ ଅନୁମତି ଦେଉ ନାହାନ୍ତି। ହେଲେ ୟୁରୋପର ସାଂସଦଙ୍କୁ ଭଡ଼ାରେ ଆଣି ଜମ୍ମୁ କଶ୍ମୀର ବୁଲାଉଛନ୍ତି ସରକାର। ଏହା ଦେଶର ସାଂସଦଙ୍କ ପ୍ରତି ଅପମାନ’।

ସେ ଆହୁରି କହିଛନ୍ତି, ‘ଫାରୁକ ଅବଦୁଲ୍ଲା ଜଣେ ଲୋକସଭା ସାଂସଦ। ୧୦୬ ଦିନ ହେବ ସେ ବନ୍ଦୀ ହୋଇ ରହିଛନ୍ତି। ତାଙ୍କର ସାମ୍ୱିଧାନିକ କ୍ଷମତା ରହିଛି ଲୋକସଭାରେ ଯୋଗ ଦେବାର। କେନ୍ଦ୍ର ସରକାର ଏବେ ନିଷ୍ଠୁର ହୋଇ ପଡ଼ିଛନ୍ତି। ନିଜର ସୁବିଧା ପାଇଁ ବିରୋଧୀ ଦଳର ନେତାଙ୍କ ଉପରେ ସରକାର ଜାଣିଶୁଣି ମିଛ ମାମଲା ରୁଜୁ କରୁଛନ୍ତି’।

ଜବାବରେ ବାଚସ୍ପତି ଓମ୍ ବିର୍ଲା କହିଥିଲେ, ‘ଗତ ଅଧିବେଶନରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଥିଲେ ଫାରୁକ ଅବଦୁଲ୍ଲାଙ୍କୁ ଅଟକ ରଖାଯାଇ ନାହିଁ। ହେଲେ ପରେ ଲିଖିତ ଚିଠି ଶାହଙ୍କ ତରଫରୁ ଆସିଥିଲା। ଏବେ ଅବଦୁଲ୍ଲା ଅଟକ ରହିଛନ୍ତି ବୋଲି ଲିଖିତ ଚିଠି ରହିଛି’।

ବିରୋଧୀ ତୃଣମୂଳ କଂଗ୍ରେସ ଓ ଅନ୍ୟାନ୍ୟ ଦଳର ନେତାମାନେ ମଧ୍ୟ କଂଗ୍ରେସ ନେତା ଅଧୀରଙ୍କ ଭଳି ସମାନ କଥା କହିଥିଲେ। ଡିଏମକେ ନେତା ଟିଆର ବାଲୁ କହିଥିଲେ ଏବେ ଗୃହ ଚାଲିଛି। ତେଣୁ ବାଚସ୍ପତିଙ୍କର ଫାରୁକଙ୍କ ଉପରେ ଲାଗିଥିବା ଅଟକ ଉପରେ ହସ୍ତକ୍ଷେପ କରିବାର କ୍ଷମତା ରହିଛି  ବୋଲି ସେ କହିଛନ୍ତି।

ସେହିପରି ଫାରୁକଙ୍କ ଦଳ ନ୍ୟାସନାଲ କନଫରେନସର ସାଂସଦ ହସନାଇନ୍ ମାସୋଦି କହିଥିଲେ, ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କୁ ବିଚାର ବିଭାଗୀୟ ଅଟକ ରଖାଯାଇ ନାହିଁ। ତେଣୁ ତାଙ୍କ ଉପରେ ଲାଗିଥିବା କଟକଣାକୁ ବାଚସ୍ପତି ହଟାଇ ଦେଇପାରିବେ। ଫାରୁକ ସାହାବ ଶ୍ରୀନଗରର ୨୦ ଲକ୍ଷ ଲୋକଙ୍କ ସ୍ୱରକୁ ସଂସଦରେ ରଖିବା ଉଚିତ ବୋଲି ସେ କହିଥିଲେ। ସେହିପରି କେରଳର ଆରଏସପି ନେତା ଏନ କେ ପ୍ରେମଚନ୍ଦ୍ରନ ଅର୍ଥମନ୍ତ୍ରାଳୟ ପ୍ରସଙ୍ଗରେ ପ୍ରଶ୍ନ ପଚାରିବେ ବୋଲି ତାଙ୍କ ଆସନରେ ଛିଡ଼ା ହୋଇଥିଲେ। ହେଲେ ଫାରୁକ୍ ଅବଦୁଲ୍ଲା ଗୃହରେ ଉପସ୍ଥିତ ନାହାନ୍ତି। ଗୃହ ଠିକ୍ ଭାବରେ ଚାଲୁ ନାହିଁ। ତେଣୁ ସେ ପ୍ରଶ୍ନ ପଚାରିବାକୁ ଉଚିତ୍ ମନେ କରୁନାହାନ୍ତି ବୋଲି କେରଳର ଏହି ସାଂସଦ କହିଥିଲେ।

Related story