ଆସନ୍ତାକାଲି ‘ଠାକ୍‌ରେ’ ସରକାରଙ୍କ ଶପଥ ଗ୍ରହଣ, ଚୂଡ଼ାନ୍ତ ହୋଇନି କ୍ଷମତା ଭାଗବଣ୍ଟା

ନୂଆଦିଲ୍ଲୀ: ଆସନ୍ତାକାଲି ଶିବାଜୀ ପାର୍କଠାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ। କିନ୍ତୁ କଂଗ୍ରେସ, ଏନ୍‌ସିପି ଏବଂ ଶିବସେନା ମଧ୍ୟରେ କ୍ଷମତା ଭାଗବଣ୍ଟାର ସ୍ପଷ୍ଟ ଚିତ୍ର ଏଯାଏ ଆସିପାରିନାହିଁ। ମହାରାଷ୍ଟ୍ର କଂଗ୍ରେସର ବାଲାସାହେବ ଥରୋଟ୍‌ଙ୍କ କହିବା ଅନୁଯାୟୀ, ଉପମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀମାନଙ୍କ ନାମ କିଛି ଦିନ ମଧ୍ୟରେ ଚୂଡ଼ାନ୍ତ ହୋଇଯିବ। ସେ କହିଛନ୍ତି, କ୍ୟାବିନେଟ୍‌ ଏବଂ ରାଷ୍ଟ୍ରମନ୍ତ୍ରୀଙ୍କ ସଂଖ୍ୟା ମଧ୍ୟ ଏଥିରେ ସ୍ଥିର କରାଯିବ। ଆଗାମୀ କିଛି ଦିନରେ ୩ ଦଳ […]

uddhav

Subrat Kumar Nayak
  • Published: Wednesday, 27 November 2019
  • , Updated: 27 November 2019, 09:21 PM IST

ନୂଆଦିଲ୍ଲୀ: ଆସନ୍ତାକାଲି ଶିବାଜୀ ପାର୍କଠାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ। କିନ୍ତୁ କଂଗ୍ରେସ, ଏନ୍‌ସିପି ଏବଂ ଶିବସେନା ମଧ୍ୟରେ କ୍ଷମତା ଭାଗବଣ୍ଟାର ସ୍ପଷ୍ଟ ଚିତ୍ର ଏଯାଏ ଆସିପାରିନାହିଁ। ମହାରାଷ୍ଟ୍ର କଂଗ୍ରେସର ବାଲାସାହେବ ଥରୋଟ୍‌ଙ୍କ କହିବା ଅନୁଯାୟୀ, ଉପମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀମାନଙ୍କ ନାମ କିଛି ଦିନ ମଧ୍ୟରେ ଚୂଡ଼ାନ୍ତ ହୋଇଯିବ। ସେ କହିଛନ୍ତି, କ୍ୟାବିନେଟ୍‌ ଏବଂ ରାଷ୍ଟ୍ରମନ୍ତ୍ରୀଙ୍କ ସଂଖ୍ୟା ମଧ୍ୟ ଏଥିରେ ସ୍ଥିର କରାଯିବ। ଆଗାମୀ କିଛି ଦିନରେ ୩ ଦଳ ଅଧିକ ଆଲୋଚନା କରି ଏହି ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡ଼ନାବିସ୍‌ଙ୍କ ସରକାର ୮୦ ଘଣ୍ଟା ପରେ ଇସ୍ତଫା ଦେବାପରେ ମହାବିକାଶ ଅଘାଡି ମେଣ୍ଟ ସରକାରକୁ ଆସିଛି।

ମୋଟ ୪୩ ବିଭାଗରୁ ଚର୍ଚ୍ଚା ହେଉଛି ଶିବସେନାକୁ ମୁଖ୍ୟମନ୍ତ୍ରୀ ପଦ ସହ ୧୫ ମନ୍ତ୍ରୀପଦ ମିଳିବ। ଏନ୍‌ସିପିକୁ ୧୫ ମନ୍ତ୍ରୀ ଏବଂ କଂଗ୍ରେସକୁ ୧୨ ମନ୍ତ୍ରୀପଦ ମିଳିବ। ସ୍ୱାଭିମାନୀ ସଂଗଠନ ଏବଂ ସମାଜବାଦୀ ପାର୍ଟିକୁ ମଧ୍ୟ ଏଥିରେ ସୁଯୋଗ ମିଳିବାର ସମ୍ଭାବନା ରହିଛି। ଗୃହ, ଅର୍ଥ ଏବଂ ରାଜସ୍ୱ ବିଭାଗ କିଏ କିଏ ପାଇବେ ତାହା ଚୂଡ଼ାନ୍ତ ହୋଇପାରିନଥିବା ଜଣାପଡ଼ିଛି। କଂଗ୍ରେସ ବାଚସ୍ପତି ପଦ ପାଇଁ ଆଗ୍ରହ ରଖିଥିବା କୁହାଯାଉଥିଲେ ହେଁ ଏଥିନେଇ ଶିବସେନା ଏବଂ କଂଗ୍ରେସ ସହ ଆଲୋଚନା ହୋଇନଥିବା କୁହାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ, ଉଦ୍ଧବଙ୍କ ଅଧୀନରେ ୨ ଜଣ ଉପମୁଖ୍ୟମନ୍ତ୍ରୀ ରହିବେ। ଥରୋଟ୍‌ଙ୍କୁ କଂଗ୍ରେସରୁ ଦାୟିତ୍ୱ ମିଳିବାକୁ ଥିବାବେଳେ ଏନ୍‌ସିପି ମଧ୍ୟ ଜଣଙ୍କ ନାମ ଦେବ। କୁହାଯାଉଛି ଏନ୍‌ସିପିରୁ ଜୟନ୍ତ ପାଟିଲଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବ। ଅନ୍ୟ ଏକ ସୂତ୍ର କହୁଛି ଏନ୍‌ସିପି ଉପମୁଖ୍ୟମନ୍ତ୍ରୀ ସହ ୧୩ ମନ୍ତ୍ରୀ ଏବଂ କଂଗ୍ରେସ ବାଚସ୍ପତି ପଦ ସହ ୧୩ ମନ୍ତ୍ରୀ ପାଇବ। ଏନେଇ ଥରୋଟ୍‌ କହିଛନ୍ତି, ଏଯାଏ ସେନେଇ ନିଷ୍ପତ୍ତି ହୋଇନି। ଏମିତି କିଛି ସମ୍ଭାବନା ବାବଦରେ ଜାଣିନାହିଁ। ମୁଁ ଏଭଳି ଚର୍ଚ୍ଚାକୁ ନେଇ କିଛି ମନ୍ତବ୍ୟ ଦେଇପାରିବିନି। ସୂଚନାଯୋଗ୍ୟ ଯେ, କଂଗ୍ରେସ ସହ ଶିବସେନାର ବିଚାରଗତ ମତଭେଦ ପାଇଁ କମନ୍‌ ମିନିମମ୍‌ ଏଜେଣ୍ଡା ପ୍ରସ୍ତୁତ କରାଯାଇଛି।

ଠାକ୍‌ରେ ଆସନ୍ତାକାଲି ସନ୍ଧ୍ୟା ୬.୪୦ରେ ଦାଦର୍‌ ଅଞ୍ଚଳର ଶିବାଜୀ ପାର୍କଠାରେ ଶପଥ ନେବେ। ଏହା ଶିବସେନାର ଦଶହରା ଶୋଭାଯାତ୍ରା ପାଇଁ ପ୍ରସିଦ୍ଧି ଲାଭ କରିଛି। ତେବେ ଭବିଷ୍ୟତରେ ଏହି ସ୍ଥାନରେ ଏପରି ଉତ୍ସବ ଅନ୍ୟମାନେ ମଧ୍ୟ ଆୟୋଜନ କରିବାର ଥିବାରୁ ସୁରକ୍ଷାଗତ ଚିନ୍ତା ପ୍ରକଟ କରିଛନ୍ତି ବମ୍ବେ ଉଚ୍ଚ ନ୍ୟାୟାଳୟ। କୋର୍ଟ କହିଛନ୍ତି, ଆସନ୍ତାକାଲି କାର୍ଯ୍ୟକ୍ରମ କେବଳ ନୁହେଁ। ଭବିଷ୍ୟତରେ ଏଭଳି ଖୋଲା ସ୍ଥାନରେ ବୃହତ କାର୍ଯ୍ୟକ୍ରମ ଲଗାତାର ହେବାର ଆଶଙ୍କା ରହିଥିବାରୁ ସତର୍କ ରହିବାକୁ ଆମେ କହୁଛୁ। ବିଶେଷ ସୂତ୍ରରୁ ଜଣାପଡ଼ିଛି ଉଦ୍ଧବ ମୁଖ୍ୟମନ୍ତ୍ରୀ ହେବାପରେ ମହାରାଷ୍ଟ୍ର ବିଧାନ ପରିଷଦର ସଦସ୍ୟ ହେବେ।

Related story