ସିଓଲ: ଉତ୍ତର କୋରିଆର ଏକଛାତ୍ରବାଦୀ ଶାସକ କିମ୍ ଜଙ୍ଗ ଉନ ସୁସ୍ଥ ଅଛନ୍ତି। ଉତ୍ତର କୋରିଆର ପଡ଼ୋଶୀ ଦେଶ ଦକ୍ଷିଣ କୋରିଆର ରାଷ୍ଟ୍ରପତି ମୁନ୍ ଜାଏ-ଇନଙ୍କ ନିକଟତମ ବ୍ୟକ୍ତି ଆଜି ଏହା କହିଛନ୍ତି। ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜଙ୍ଗ ଉନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଏବେ ସସପେନ୍ସ ଜାରି ରହିଛି। ଉତ୍ତର କୋରିଆ ସରକାର କିମଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ କୌଣସି ଘୋଷଣା କରିନଥିବା ବେଳେ ଚାଇନା ଏବଂ ଆମେରିକା ମଧ୍ୟ ନିରବ ରହିଛନ୍ତି। ଅନ୍ତିମଥର ପାଇଁ ଉତ୍ତର କୋରିଆ ବାସୀ ଏପ୍ରିଲ ୧୫ରେ କିମଙ୍କୁ ତାଙ୍କ ଜେଜେ ବାପା ତଥା କିମ୍ ସୁଙ୍ଗଙ୍କ ଜୟନ୍ତୀରେ ଦେଖିବାକୁ ପାଇଥିଲେ। ଉତ୍ତର କୋରିଆର ପ୍ରତିଷ୍ଠାତା ହେଉଛନ୍ତି କିମ୍ ସୁଙ୍ଗ୍। ୨୦୧୧ରେ କିମ୍ ଜଙ୍ଗଙ୍କ ବାପାଙ୍କ ଦେହାନ୍ତ ପରେ ସେ ଏହି ଜୟନ୍ତୀରେ ଯୋଗ ଦେଇ ଆସୁଛନ୍ତି। ଉତ୍ତର କୋରିଆ ଏହି ଏପ୍ରିଲ ୧୫କୁ ଉତ୍ସବ ଭାବେ ପାଳନ କରେ।
ଶନିବାର (ଏପ୍ରିଲ ୨୫) ଉତ୍ତର କୋରିଆରେ ସେନାର ପ୍ରତିଷ୍ଠା ଦିବସ ଥିଲା। ଏହି ଅବସରରେ କିମ ଅନୁପସ୍ଥିତ ଥିଲେ। ଏହାପରେ କିମଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଅନେକ ସସପେନ୍ସ ଆରମ୍ଭ ହୋଇଛି। ଉତ୍ତର କୋରିଆ କିମଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ନିରବ ରହିଛି, ହେଲେ ଉତ୍ତର କୋରିଆର ସୋଶାଲ ମିଡିଆରୁ ଜଣାପଡ଼ିଛି ଯେ କିମଙ୍କର ଅପରେସନ ହୋଇଥିଲା। ଏବେ ସେ ସୁସ୍ଥ ହେଉଥିବା ଜଣାପଡ଼ିଛି।
ଉତ୍ତର କୋରିଆରେ ଚୀନ ଭଳି ଏକଛତ୍ରବାଦ ଶାସନ ରହିଛି। ତେଣୁ ଉତ୍ତର କୋରିଆରୁ ଖବର ଆସିବା କଷ୍ଟ। ଉତ୍ତର କୋରିଆ କେବଳ ଚାଇନା ସହିତ ସମ୍ପର୍କ ରଖିଛି। ଅନ୍ୟ ଦେଶ ସହିତ ସେମିତି ସମ୍ପର୍କ ନାହିଁ। କିମ ଜଙ୍ଗ ଉନ୍ ହେଉଛନ୍ତି ଏଭଳି ଜଣେ ଏକଛତ୍ରବାଦ ଶାସକ ଯିଏକି ଆମେରିକାକୁ ମଧ୍ୟ ନିଜ ସର୍ତ୍ତ ଆଗରେ ନରମିବାକୁ ବାଧ୍ୟ କରିଥିଲେ। ଏହାପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ କିମ୍ ଜଙ୍ଗଙ୍କ ମଧ୍ୟରେ ଭେଟଘାଟ ହୋଇଥିଲା।
ଉତ୍ତର କୋରିଆର ପଡ଼ୋଶୀ ରାଜ୍ୟ ଦକ୍ଷିଣ କୋରିଆ। ଦୁଇ ଦେଶ ମଧ୍ୟରେ ସମ୍ପର୍କ ଭଲ ନାହିଁ। ହେଲେ ଅନେକ କ୍ଷେତ୍ରରେ ଉତ୍ତର କୋରିଆର ଖବର ଦକ୍ଷିଣ କୋରିଆ ମାଧ୍ୟମରେ ମିଳିଥାଏ।
ଦକ୍ଷିଣ କୋରିଆର ‘ଡେଲି ଏନକେ’ ଓ୍ୱେବସାଇଟର ରିପୋର୍ଟ ଅନୁଯାୟୀ, କିମ ଏପ୍ରିଲ ୧୨ ରେ ହୃଦ୍ରୋଗରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ତାଙ୍କର ଅପରେସନ ହୋଇଛି। ସେ ଏବେ ସୁସ୍ଥ ହେଉଛନ୍ତି। ଉତ୍ତର କୋରିଆର ଜଣେ ବ୍ୟକ୍ତି ନାମ ଗୋପନ ରଖି ଏହି ଖବର ଦେଇଛି ବୋଲି ‘ଡେଲି ଏନକେ’ କହିଛି।
ସେହିପରି କିମ ଏକ ବେଡରେ ଶୋଇଥିବାର ଏକ ଫଟୋ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଏହି ଫଟୋ ଏଡ଼ିଟ ଫଟୋ ବୋଲି ଜଣାପଡ଼ିଛି। ୨୦୧୧ରେ କିମଙ୍କ ବାପାଙ୍କର ଦେହାନ୍ତ ହୋଇଥିଲା। ସେହି ଫଟୋରେ କିମଙ୍କ ମୁହଁ ଓ ଶରୀରକୁ ଯୋଡ଼ା ଯାଇ ଏହି ଫଟୋ ଭାଇରାଲ କରାଯାଇଛି ବୋଲି ଜଣାପଡ଼ିଛି।
ନିକଟରେ ଚାଇନାରେ ପରିଚାଳିତ ଏକ ଟିଭି ଚ୍ୟାନେଲର ଉପ ନିର୍ଦ୍ଦେଶକ କହିଥିଲେ ବ୍ରେନ ଡେଡରେ ରହିଥିବା କିମ ଜଙ୍ଗ ଉନ ପ୍ରାଣ ହରାଇଛନ୍ତି। ଟିଭି ଚ୍ୟାନେଲର ଉପ ନିର୍ଦ୍ଦେଶକ ହେଉଛନ୍ତି ଚାଇନା ବୈଦେଶିକ ମନ୍ତ୍ରୀଙ୍କ ସମ୍ପର୍କୀୟ। ଏହି ଖବର ପ୍ରଚାର ହେବା ପରେ ମଧ୍ୟ ଚାଇନା ସରକାର କିମ ଜଙ୍ଗ ଉନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ କୌଣସି ଉତ୍ତର ରଖିନାହାନ୍ତି। ବରଂ କିମଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବାକୁ ସରକାର ଏକ ମେଡିକାଲ ଟିମ ଉତ୍ତର କୋରିଆ ପଠାଇଛନ୍ତି।
ଏଚକେଏସଟିଭି ହଂକଂ ସ୍ୟାଟେଲାଇଟ ଟେଲିଭେଜିନର ଉପ ନିର୍ଦ୍ଦେଶକ କହିଛନ୍ତି, ଅତ୍ୟନ୍ତ ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ଯେ ଉତ୍ତର କୋରିଆ ଶାସକ କିମ ଜଙ୍ଗ ଉନ ପ୍ରାଣ ହରାଇଛନ୍ତି। ୱିବୋରେ ସେ ଏହି ସୂଚନା ଦେବା ପରେ ଏହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।