ଶ୍ରୀନଗର: ଜମ୍ମୁ କଶ୍ମୀରର ବାରମୁଲା ଜିଲ୍ଲାରେ ଜାତୀୟ ତଦନ୍ତ କାରୀ ସଂସ୍ଥା (ଏନଆଇଏ) ରେଡ୍ କରିଛି। ଆତଙ୍କବାଦୀ କାର୍ଯ୍ୟକଳାପକୁ ସକ୍ରିୟ କରିବା ପାଇଁ ସୀମା ପାର ଫଣ୍ଡିଂ ହୋଇଥିବା ଏନଆଇଏ ଜାଣିବାକୁ ପାଇଛି। ଫଳରେ ୪ଟି ଜାଗାରେ ରେଡ୍ କରିଛି ଏନଆଇଏ।
ସୂଚନାଯୋଗ୍ୟ, ଗୃହମନ୍ତ୍ରୀ ଭାବରେ ଅମିତ ଶାହ ଗତ ମାସ ଦାୟିତ୍ୱ ଗ୍ରହଣ କରିବା ପରେ କହିଥିଲେ ଜମ୍ମୁ କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢ଼ିବାର କାରଣ ସୀମା ପାର ଫଣ୍ଡିଂ। ଏବେ ଏ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଥିଲେ।
ନିକଟରେ ମଧ୍ୟ ଜମ୍ମୁ କଶ୍ମୀର ଜେଲରେ ଥିବା କଟ୍ଟର ବିଛିନ୍ନତାବାଦୀ ନେତା ମସରତ ଆଲାମକୁ ଦିଲ୍ଲୀ ନେଇ ଆତଙ୍କୀ ଫଣ୍ଡିଂ ବାବଦରେ ଏନଆଇ ପଚରାଉଚରା କରିଥିଲା। ମସରତ ଆଲାମ ସହ ବିଛିନ୍ନତାବାଦୀ ନେତା ଅସିୟା ଅନ୍ଦ୍ରାବୀ ଏବଂ ଶବ୍ବୀର ଶାହ ସହ ଆତଙ୍କବାଦୀ ସଙ୍ଗଠନ ଲଶ୍କର-ଏ-ତୋଇବାର ପ୍ରମୁଖ ହାଫିଜ୍ ସୟିଦ୍ ନାଁରେ ମଧ୍ୟ ସୀମା ପାର ଫଣ୍ଡିଂ ଅଭିଯୋଗ ରହିଛି।