ରାଞ୍ଚି: ନାଗରିକତା ଆଇନ ଓ ଜାତୀୟ ନାଗରିକ ପଞ୍ଜିକରଣକୁ ନେଇ ମୋଦି ସରକାର ବିରୋଧରେ ଏବେ ବିରୋଧୀ ସଡ଼କରେ ଗର୍ଜୁଛନ୍ତି। ଏଭଳି ସ୍ଥିତିରେ ଝାଡ଼ଖଣ୍ଡରେ ବିଜେପି କ୍ଷମତାଚ୍ୟୁତ ହୋଇଛି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା-କଂଗ୍ରେସ-ଆରଜେଡି ମେଣ୍ଟ ରାଜ୍ୟରେ ସରକାର ଗଠନ କରିଛି। ଯାହାର ନେତୃତ୍ୱ ନେଇଛନ୍ତି ଜେଏମଏମର ସୁପ୍ରିମୋ ହେମନ୍ତ ସୋରେନ।
ଏହି ରାଲିରେ ବିରୋଧୀ ଏକ ହେବା ଦେଶର ରାଜନୀତିରୁ ନୂଆ ବାର୍ତ୍ତା ଦେଉଛି ବୋଲି ଆଲୋଚନା ହେଉଛି। ହେମନ୍ତ ସୋରେନଙ୍କ ଶପଥ ସମାରୋହ ଆଳରେ ସିଏଏ ବିରୋଧରେ ଏକାଠି ହେବା ପାଇଁ ହେମନ୍ତଙ୍କୁ ମନାଇବାକୁ ପ୍ରୟାସ ବୋଲି ଆଲୋଚନା ହେଉଛି। ଯଦିଓ ଝାଡ଼ଖଣ୍ଡରେ ସିଏଏକୁ ନେଇ ଲୋକଙ୍କ ମଧ୍ୟରେ ସେତେଟା ପ୍ରଭାବ ନାହିଁ, ହେଲେ ହେମନ୍ତଙ୍କୁ ବିରୋଧୀ କ୍ୟାମ୍ପରେ ସାମିଲ କରାଇ ଶାସକ ଦଳ ବିରୋଧରେ ସଂଖ୍ୟା ବଢ଼ାଇବା ପାଇଁ ବିରୋଧୀ ପ୍ରୟାସ କରିଛନ୍ତି। କାରଣ ପଶ୍ଚିମବଙ୍ଗର ଶାସକ ଦଳ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ସିଏଏ ଲାଗୁ କରିବେ ନାହିଁ ବୋଲି କହି ସାରିଛନ୍ତି। ଏବେ ଏହି ତାଲିକାରେ ଝାଡ଼ଖଣ୍ଡକୁ ସାମିଲ୍ କରିବା ପାଇଁ ବିରୋଧୀ ଅଣ୍ଚା ଭିଡ଼ିଛନ୍ତି। ଫଳରେ କେନ୍ଦ୍ରର ଏହି ଆଇନକୁ ବିରୋଧ କରିବା ସହଜ ହେବ ବୋଲି ବିରୋଧୀ ଚିନ୍ତା କରିଛନ୍ତି।
ରାଞ୍ଚି ସ୍ଥିତ ମୋହରହବାଡି ପଡ଼ିଆରେ ଆୟୋଜିତ ହୋଇଥିବା ଏହି ଶପଥ ସମାରୋହରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି, ତାମିଲନାଡୁର ବିରୋଧୀ ଦଳ ଡିଏମକେକ ସୁପ୍ରିମୋ ଏମ.କେ ଷ୍ଟାଲିନ୍, ଡିଏମକେ ସାଂସଦ କାନ୍ନୀମୋଝୀ, ଆରଜେଡି ନେତା ତେଜସ୍ୱୀ ଯାଦବ, ଜେଡିୟୁର ବହିଷ୍କୃତ ନେତା ଶରଦ ଯାଦବ, ଆମ ଆଦମୀ ପାର୍ଟିର ସାଂସଦ ସଞ୍ଜୟ ସିଂହ, ସିପିଆଇ (ଏମ) ନେତା ସୀତାରାମ ୟେଚୁରୀ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍, ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ଯୋଗ ଦେଇଛନ୍ତି।
ସିଏଏ ପରେ ମୋଦି ସରକାର ଏନପିଆରକୁ କ୍ୟାବିନେଟ ମଞ୍ଜୁରୀ ଦେଇଛି। ଏବେ ଆଉ ୧୦ଟି ରାଜ୍ୟ ଯଦି ଏନପିଆରକୁ ବିରୋଧ କରିବେ ତା’ହେଲେ ସରକାରଙ୍କ ଏହି ଏନପିଆର ସବୁଦିନ ପାଇଁ ସମାଧି ନେବ ବୋଲି ମାର୍କସବାସୀ କମ୍ୟୁନିଷ୍ଟ ପାର୍ଟି (ସିପିଏମ) ନେତା ପ୍ରକାଶ କରାତ ଦୁଇ ଦିନ ତଳେ କହିଥିଲେ। ଏବେ ଏହାକୁ ଆଧାର କରି ବିରୋଧୀ ଏକ ହେଉଛନ୍ତି ବୋଲି ଅନୁମାନ କରାଯାଉଛି।
କାରଣ ୨୦୧୭ ବେଳେ ସାରା ଦେଶରେ ବିଜେପି ୭୧ ପ୍ରତିଶତ ଜାଗାରେ କ୍ଷମତାରେ ଥିବାବେଳେ ଏବେ ୩୫ ପ୍ରତିଶତ ସ୍ଥାନରେ ରହିଛି। ଅର୍ଥାତ ବିରୋଧୀଙ୍କ ପଲା ଭାରି ହେଉଛି।
ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନ ପୂର୍ବରୁ କର୍ଣ୍ଣାଟକରେ କୁମାରସ୍ୱାମୀ ସରକାର ଶପଥ ନେଇଥିଲେ। ଜେଡିଏସ-କଂଗ୍ରେସ ସମର୍ଥନରେ ହୋଇଥିବା ଏହି ସରକାରର ଶପଥ ସମାରୋହରେ ବିରୋଧୀ ମାନେ ଏକାଠି ହୋଇ ମୋଦି ସରକାର ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଇଥିଲେ। ସେତେବେଳେ ଆଗକୁ ସାଧାରଣ ନିର୍ବାଚନ ଥିଲା। ଇଭିଏମ, ରାଫେଲ ଡିଲେର ଦୁର୍ନୀତି ହୋଇଥିବା ଆଦିକୁ ପ୍ରସଙ୍ଗ କରି ସରକାର ବିରୋଧରେ ଗର୍ଜିଥିଲେ ବିରୋଧୀ। ହେଲେ ସାଧାରଣ ନିର୍ବାଚନରେ ବିରୋଧୀଙ୍କ ସମସ୍ତ ସ୍ୱପ୍ନକୁ ଚୁରମାର କରି ମୋଦି ସରକାର କ୍ଷମତା ଆସିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।