ନୂଆଦିଲ୍ଲୀ: ଆଜି ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ। ତାଙ୍କ ଜନ୍ମ ଦିନକୁ ‘ମୌଲିଦ-ଉନ୍-ନବୀ’ କୁହାଯାଏ। ଏହି ଅବସରରେ ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀ, ଉପରାଷ୍ଟ୍ରପତି ହମିଦ୍ ଅନ୍ସାରୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ ରାଷ୍ଟ୍ରପତି କହିଛନ୍ତି,“ମହାପୁରୁଷ ମହମ୍ମଦଙ୍କ ବାର୍ତ୍ତା ସମସ୍ତଙ୍କୁ ସହିଷ୍ଣୁ ଓ ବିଶ୍ୱ ଭାତୃତ୍ୱ ଦିଗରେ କାର୍ଯ୍ୟ କରିବାକୁ ପ୍ରେରିତ କରେ। ସମସ୍ତେ ଏହି ମହାପୁରୁଷଙ୍କ ଜୀବନାଦର୍ଶକୁ ମନେ ପକାଇବା ଉଚିତ୍ ଓ ନିଜକୁ ମାନବ ସେବାରେ ନିୟୋଜିତ କରିବା ଉଚିତ୍।”
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି କହିଛନ୍ତି,“ଏହି ଅବସରରେ ଆମ ସମାଜର ଭାଇଚାରା ଓ ଏକତା ଆହୁରି ଦୃଢ଼ ହେବ। ସମାଜରେ ସବୁବେଳେ ଶାନ୍ତି ଓ ସମୃଦ୍ଧି ବଜାୟ ରହିବ।”
ମହାପୁରୁଷ ମହମ୍ମଦଙ୍କ ବାର୍ତ୍ତା ଏକ ଶାନ୍ତିପୂର୍ଣ୍ଣ ଓ ବିଦ୍ୱେଷାମୁକ୍ତ ସମାଜ ଗଠନ କରିବାରେ ମାର୍ଗଦର୍ଶକ ହୋଇ ରହିବ ବୋଲି ଉପରାଷ୍ଟ୍ରପତି ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି।