ବେଙ୍ଗାଲୁରୁ: ଚଳିତ ନିର୍ବାଚନରେ ନିଜ ମତାଧିକାର ସାବ୍ଯସ୍ତ କରିପାରିବେ ନାହିଁ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ ରାହୁଲ ଡ୍ରାଭିଡ୍। ଭୋଟର ଲିଷ୍ଟରେ ତାଙ୍କ ନାଁ ନଥିବା ଜଣାପଡ଼ିଛି। ତେଣୁ ୧୮ ଏପ୍ରିଲରେ ବେଙ୍ଗାଲୁରୁରେ ହେବାକୁ ଥିବା ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ସେ ଭାଗ ନେଇ ପାରିବେ ନାହିଁ।
ବେଙ୍ଗାଲୁରୁ ନଗର ନିଗମ ଅଧିକାରୀ ଏଲ୍. ସୁରେଶ କହିଛନ୍ତି ଡ୍ରାଭିଡ୍ ସେଣ୍ଟ୍ରାଲ ବେଙ୍ଗାଲୁରୁରେ ନିଜ ପରିବାର ସହ ରହୁଥିଲେ। ଏବେ ସେ ଉତ୍ତର ବେଙ୍ଗାଲୁରୁକୁ ସ୍ଥାନାନ୍ତର କରି ସେଠିକାର ସ୍ଥାୟୀ ବାସିନ୍ଦା ହୋଇଛନ୍ତି। ଘର ପରିବର୍ତ୍ତନ କରିବା ପରେ ଭୋଟର କାର୍ଡରେ ଡ୍ରାଭିଡ୍ ସଂଶୋଧନ କରିନଥିବା ଜଣାପଡ଼ିଛି।
ଭୋଟର ତାଲିକାରେ ସଂଶୋଧନ ପାଇଁ ମାର୍ଚ୍ଚ ୧୬ ଅନ୍ତିମ ତାରିଖ ଥିଲା। ସୂଚନାଯୋଗ୍ୟ ୨୦୧୮ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ନିର୍ବାଚନ କମିଶନଙ୍କ ବ୍ରାଣ୍ଡ ଆମ୍ବାସଡ଼ାର ଥିଲେ।
ଡ୍ରାଭିଡଙ୍କ ନାମ ସେଣ୍ଟ୍ରାଲ ବେଙ୍ଗାଲୁରୁ ନିର୍ବାଚନ ମଣ୍ଡଳୀରୁ ହଟାଇ ଦିଆଯାଇଥିଲା। କାରଣ ତାଙ୍କ ଭାଇ ବେଙ୍ଗାଳୁରୁ ନଗର ନିଗମ ଅଧିକାରୀଙ୍କୁ କହିଥିଲେ ଯେ ବିଧାନସଭା ନିର୍ବାଚନ ପରେ ଡ୍ରାଭିଡ୍ ଉତ୍ତର ବେଙ୍ଗାଲୁରୁର ସ୍ଥାୟୀ ବାସିନ୍ଦା ହେବେ।