ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଖୁବ୍ ଶୀଘ୍ର ପୂର୍ବତନ ଅଧ୍ୟକ୍ଷ ଭାବେ ପରିଚିତ ହେବେ। ୨୦୧୯ ସାଧାରଣ ନିର୍ବାଚନ ପରେ ବେଶ୍ କିଛି ଦିନ ଧରି ଚାଲିଥିବା ଇସ୍ତଫା ନାଟକର ଅନ୍ତ ଘଟାଇ ସେ ଆଜି ଇସ୍ତଫା ପତ୍ର ଟ୍ୱିଟ୍ ଜରିଆରେ ପ୍ରଘଟ କରିଛନ୍ତି। ଏଥିସହ ସେ ସ୍ପଷ୍ଟ କରିଦେଇଛନ୍ତି ‘ଏକ ସପ୍ତାହ’ ମଧ୍ୟରେ ହିଁ ଦଳ ନୂଆ ଅଧ୍ୟକ୍ଷଙ୍କୁ ପାଇବ। ସେ ଏହି ଅବସରରେ ଏହି ୪ପୃଷ୍ଠା ସମ୍ବଳିତ ଚିଠିରେ କହିଛନ୍ତି, କଂଗ୍ରେସ ଅଧ୍ୟକ୍ଷ ଦାୟିତ୍ୱ ନେବା ଏକ ସମ୍ମାନର କଥା। କଂଗ୍ରେସର ଆଦର୍ଶ ଆମ ଦେଶବାସୀଙ୍କ ରକ୍ତରେ ପ୍ରବାହିତ ବୋଲି ମଧ୍ୟ ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, କଂଗ୍ରେସ ଅଧ୍ୟକ୍ଷ ଭାବେ ସେ ପାଇଥିବା ଭଲ ପାଇବା ଏବଂ ସମ୍ମାନ ପାଇଁ ଋଣୀ ରହିବେ।
https://twitter.com/RahulGandhi/status/1146359704815194112?s=20
ନୂଆ ଅଧ୍ୟକ୍ଷଙ୍କ ବାବଦରେ ସେ କହିଛନ୍ତି, ବିନା କୌଣସି ଡେରିରେ ଦଳ ନୂଆ ଅଧ୍ୟକ୍ଷ ବାଛିନେବା ଠିକ ହେବ, କିନ୍ତୁ ମୁଁ ଏହି ପ୍ରକ୍ରିୟାରେ ସାମିଲ ହେବିନି। ମୁଁ ଇସ୍ତଫା ଦେଇ ସାରିଛି ଏବଂ ମୁଁ ଏବେ ଆଉ ଅଧ୍ୟକ୍ଷ ନାହିଁ। ସେ କହିଛନ୍ତି, ଦଳର ସର୍ବୋଚ୍ଚ ନିଷ୍ପତ୍ତି କର୍ତ୍ତା କଂଗ୍ରେସ ୱାର୍କିଂ କମିଟି ଖୁବ୍ ଶୀଘ୍ର ଏକ ବୈଠକ ଡାକି ଅଧ୍ୟକ୍ଷ ନିର୍ବାଚିତ କରୁ। ସେ ଏହି ପ୍ରକ୍ରିୟାରେ ରହିବା ପ୍ରସଙ୍ଗକୁ ଜଟିଳ କରିବାକୁ ଥିବାରୁ ସେ ଏଥିରୁ ଦୂରେଇ ରହିବେ।
କଂଗ୍ରେସ ଦଳ ଅଧିକାଂଶ ସମୟ ଧରି ନେହରୁ-ଗାନ୍ଧି ପରିବାରର ନେତୃତ୍ୱରେ ରହିଆସିଛି। ତେବେ ତୃତୀୟ ଥର ପାଇଁ ଜଣେ ଅଣଗାନ୍ଧି କଂଗ୍ରେସ ଅଧ୍ୟକ୍ଷ ହେବା ନିଶ୍ଚିତ ହୋଇଛି। କଂଗ୍ରେସ ଲଗାତାର ଦ୍ୱିତୀୟ ଥର ନିର୍ବାଚନରେ ମାତ ଖାଇବା ପରେ ରାହୁଲ ଗତ ମେ ୨୫ ତାରିଖରେ ଇସ୍ତଫା ଦେଇଥିଲେ। ଅନ୍ୟମାନେ ତାଙ୍କୁ ପଦ ନ ଛାଡ଼ିବାକୁ ଅନୁରୋଧ କରିଆସିଥିଲେ ମଧ୍ୟ ସେ ଅଡ଼ିବସିଥିଲେ। ସୂଚନାଯୋଗ୍ୟ ଯେ, ୫୪୩ ଆସନରୁ କଂଗ୍ରେସ ଏଥର ୫୨ଟି ଆସନ ଜିତିପାରିଛି।
ସେ ଏହି ଚିଠିରେ ଲେଖିଛନ୍ତି, ମୁଁ ଦଳର ଅଧ୍ୟକ୍ଷ ହିସାବରେ ଏହି ପରାଜୟ ପାଇଁ ଉତ୍ତରଦାୟିତ୍ୱ ନେଉଛି। ୨୦୧୯ ପରାଜୟ ପାଇଁ ଅନେକ ନେତାଙ୍କୁ ଉତ୍ତରଦାୟିତ୍ୱ ନେବାକୁ ହେବ। କିନ୍ତୁ ସେମାନଙ୍କୁ ଦାୟୀ କରି ମୁଁ ଉତ୍ତରଦାୟିତ୍ୱ ନନେବା ଭୁଲ ହେବ। ସେ କହିଛନ୍ତି, ମୋର ବିଜେପି ପ୍ରତି ଘୃଣା ବା କ୍ରୋଧ ନାହିଁ କିନ୍ତୁ ସେମାନଙ୍କ କଳ୍ପନାର ଭାରତକୁ ମୁଁ କଦାପି ଗ୍ରହଣ କରିପାରିବି ନାହିଁ।
ଶେଷରେ ସେ ହଜାର ହଜାର ଭାରତୀୟ ଏବଂ ବିଦେଶୀ ଶୁଭେଚ୍ଛୁଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, କଂଗ୍ରେସ ଦଳ ପାଇଁ ସେ ଲଢ଼େଇ କରିବା ଜାରି ରଖିବେ। ସେ ପୁଣି କହିଛନ୍ତି, କ୍ଷମତାର ଲାଳସାକୁ ବଳି ନଦେଲେ ଆମେ ଆମ ବିରୋଧୀଙ୍କୁ ହରାଇପାରିବା ନାହିଁ। ମୁଁ କଂଗ୍ରେସ କର୍ମୀ ଭାବେ ଜନ୍ମ ନେଇଥିଲି ଏବଂ ଏହି ଦଳ ଓ ତାର ଆଦର୍ଶ ମୋ ରକ୍ତରେ ପ୍ରବାହିତ ହେଉଛି ଏବଂ ଏହା ସବୁଦିନ ପାଇଁ ରହିବ।
https://twitter.com/pratikprasenjit/status/1146370546294128640?s=20
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।