ନବ ବିବାହିତଙ୍କୁ ପରିବାର ଚଳାଇବା ପାଇଁ ପ୍ରଶିକ୍ଷଣ ଦେବ ଆରଏସଏସ

ପୁଣେ: ଆଜିର ଆଧୁନିକତା ଏବଂ ସହରୀ ସମାଜରେ ନବ ବିବାହିତ କିଭଳି ପରିବାର ଚଳାଇବେ ଏ ନେଇ ପ୍ରଶିକ୍ଷଣ ଦେବ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ (ଆରଏସଏସ)। ଏଥିପାଇଁ ସଙ୍ଘ ମହାରାଷ୍ଟ୍ରର ଥାଣେ ଜିଲ୍ଲାର କଲାଓ୍ୱା ଅଞ୍ଚଳରେ ‘କୁଟୁମ୍ୱ ପ୍ରବୋଧନ’ ନାମରେ ଏକ କାର୍ଯ୍ୟକ୍ରମ କରିବ ସଂଘ। ଏହି କାର୍ଯ୍ୟକ୍ରମରେ ୨୦ ଜଣ ନବ ବିବାହିତ ଦମ୍ପତି  ଭାଗ ନେବେ। ଏହି କାର୍ଯ୍ୟକ୍ରମରେ ନବ ବିବାହିତ ଯୋଡ଼ିଙ୍କୁ ଭାରତୀୟ ପରମ୍ପରା ଅନୁସାରେ କିଭଳି ପରିବାର ଚାଲିବା କଥା, ସେ […]

RSS FAMILY THERAPY

Subhransu Sekhar
  • Published: Thursday, 01 August 2019
  • , Updated: 01 August 2019, 02:59 PM IST

ପୁଣେ: ଆଜିର ଆଧୁନିକତା ଏବଂ ସହରୀ ସମାଜରେ ନବ ବିବାହିତ କିଭଳି ପରିବାର ଚଳାଇବେ ଏ ନେଇ ପ୍ରଶିକ୍ଷଣ ଦେବ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ (ଆରଏସଏସ)। ଏଥିପାଇଁ ସଙ୍ଘ ମହାରାଷ୍ଟ୍ରର ଥାଣେ ଜିଲ୍ଲାର କଲାଓ୍ୱା ଅଞ୍ଚଳରେ ‘କୁଟୁମ୍ୱ ପ୍ରବୋଧନ’ ନାମରେ ଏକ କାର୍ଯ୍ୟକ୍ରମ କରିବ ସଂଘ। ଏହି କାର୍ଯ୍ୟକ୍ରମରେ ୨୦ ଜଣ ନବ ବିବାହିତ ଦମ୍ପତି  ଭାଗ ନେବେ।

ଏହି କାର୍ଯ୍ୟକ୍ରମରେ ନବ ବିବାହିତ ଯୋଡ଼ିଙ୍କୁ ଭାରତୀୟ ପରମ୍ପରା ଅନୁସାରେ କିଭଳି ପରିବାର ଚାଲିବା କଥା, ସେ ବାବଦରେ ପ୍ରଶିକ୍ଷଣ ଦିଆଯିବ। ଏଥିସହ ବିବାହ ପରେ ଶୀଘ୍ର ସନ୍ତାନ ଜନ୍ମ ଲାଭ କରିବା ପାଇଁ ପରାମର୍ଶ ଦିଆଯିବ। ଏହି କାର୍ଯ୍ୟକ୍ରମର ପ୍ରଚାର ପାଇଁ ପ୍ରକାଶ ପାଇଥିବା ପାମ୍ପଲେଟରେ ଏହା ବାବଦରେ ସୂଚନା ରହିଛି।

ଆଜିର ସହରୀ ଲାଇଫଷ୍ଟାଇଲ ଆମ ସମସ୍ତଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟିଛି। ଏହା ଭାରତୀୟ ପରମ୍ପରା ଗୁଡ଼ିକର ମୂଲ୍ୟବୋଧକୁ ଲୁଚାଇ ଦେଉଛି ବୋଲି ଆରଏସଏସ ବିଚାର କରିଛି। ଆଜିକାଲି ପରିବାର ମଧ୍ୟରେ ଫାଟ, ଛାଡ଼ପତ୍ର, ପରିବାରର ଗୁରୁଜନଙ୍କୁ ଅସନ୍ତୁଷ୍ଟ କରିବା ଭଳି ସମସ୍ୟା ଦେଖିବାକୁ ମିଳୁଛି। ତେଣୁ ଆରଏସଏସ ଏଭଳି କାର୍ଯ୍ୟକ୍ରମ ଜରିଆରେ ପରିବାର ଭିତରେ ଥିବା ସମସ୍ୟାର ସମାଧାନ କରିବା ପାଇଁ ଚେଷ୍ଟା କରୁଛି ବୋଲି ଜଣାପଡ଼଼ିଛି।

କାର୍ଯ୍ୟକ୍ରମର ଆୟୋଜକ ମନୋଜ ମାସୁରକର କହିଛନ୍ତି, ନବ ବିବାହିତଙ୍କୁ ପରାମର୍ଶ ଦିଆଯିବା ବେଳେ ଆୟୁର୍ବେଦିକ ଡାକ୍ତର ମଧ୍ୟ ସେଠାରେ ଉପସ୍ଥିତ ରହିବେ। ନବ ଦମ୍ପତି  ବିବାହ କରିବା ପରେ ସନ୍ତାନ ଜନ୍ମ ପାଇଁ ବିଳମ୍ୱ କଲେ ତାହା ଆଗାମୀ ଦିନରେ ଉଭୟ ମାଆ ଏବଂ ପିଲାର ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥାଏ। ତେଣୁ ଏହାକୁ ନଜରରେ ରଖି ନବ ଦମ୍ପତି ସନ୍ତାନ ଜନ୍ମ କରିବାରେ ବିଳମ୍ୱ କରିବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି। ଏ ବାବଦରେ ଆୟୁର୍ବେଦିକ ଚିକିତ୍ସକ ଦମ୍ପତିମାନଙ୍କୁ ପରାମର୍ଶ ଦେବେ ବୋଲି ସେ କହିଛନ୍ତି।

ଏହା ବ୍ୟତୀତ ଡାଇନିଂ ଟେବୁଲରେ ସପ୍ତାହର ଗୋଟିଏ ଦିନ ପରିବାର ସହ ନବ ଦମ୍ପତି ମିଶି ଖାଇବା ଉଚିତ ବୋଲି କୁହାଯାଇଛି। ଏହି ସମୟରେ ରାଜନୀତି, ସିନେମା କିମ୍ବା କ୍ରୀଡ଼ା ବାବଦରେ ଆଲୋଚନା ନ କରିବା ଉଚିତ ବୋଲି ଏହି କାର୍ଯ୍ୟକ୍ରମ ଜରିଆରେ ପରାମର୍ଶ ଦେବ ଆରଏସଏସ।

ସୂଚନାଯୋଗ୍ୟ, ଆରଏସଏସ ଦୀର୍ଘ ୩ ବର୍ଷ ହେବ ଏପରି କାର୍ଯ୍ୟକ୍ରମ ଆୟୋଜନ କରି ଆସୁଛି। ପ୍ରଥମ ବର୍ଷ ୧୬ ନବ ଦମ୍ପତିଙ୍କୁ ପରିବାର ଚଳାଇବା ବାବଦରେ ପ୍ରଶିକ୍ଷଣ ଦେଇଥିଲା
ଆରଏସଏସ। ଗତବର୍ଷ ୧୩ ହଳ ଦମ୍ପତି ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା ବେଳେ ଚଳିତ ବର୍ଷ ୨୦ ଦମ୍ପତି ପ୍ରଶିକ୍ଷଣ ନେବେ ବୋଲି ଜଣାପଡ଼ିଛି।

Related story