ରୁଷ: ୟୁକ୍ରେନ ବିରୋଧରେ ଆଣବିକ ଯୁଦ୍ଧ ପାଇଁ ରୁଷର ଧମକ । ସୀମାରେ ଆଣବିକ ଅସ୍ତ୍ର ସଜାଗ ରଖିବା ଲାଗି ପ୍ରତିରକ୍ଷା ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ଏହାସହ ନିଜ ଦେଶର ପରମାଣୁ ନିରୋଧୀ ବାହିନୀଙ୍କୁ ମଧ୍ୟ ସଜାଗ ହୋଇ ରହିବାକୁ ପୁଟିନ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ତେବେ ପୁଟିନଙ୍କ ଆଣବିକ ଯୁଦ୍ଧ ଧମକ ପରେ ଆହୁରି ଅଧିକ କଠୋର ହୋଇଛନ୍ତି ପାଶ୍ଚାତ୍ୟ ରାଷ୍ଟ୍ର ତଥା ନୋଟା ରାଷ୍ଟ୍ର ସମୂହ । ଆମେରିକା ମଧ୍ୟ ରୁଷର ଏଭଳି ଆଭିମୁଖ୍ୟକୁ ନେଇ ଚିନ୍ତିତ ହୋଇପଡ଼ିଛି । ସାମାନ୍ୟ ଭୁଲ୍ ହେଲେ ଏକ ବିରାଟ ବିଭ୍ରାଟ ହୋଇଯିବ ବୋଲି ଆମେରିକା ପ୍ରତିରକ୍ଷା ବିଭାଗ ଅଧିକାରୀ କହିଛନ୍ତି ।
ଅନ୍ୟପକ୍ଷରେ ରୁଷ ସେନା କିଭ୍ ପାଖରେ ପହଞ୍ଚିଛନ୍ତି । କିଭ୍ ସହର ଭିତରେ ୟୁକ୍ରେନ ସେନା ସହ ରୁଷ ସୈନ୍ୟଙ୍କ ମୁହାଁମୁହିଁ ଲଢ଼େଇ ହୋଇଥିବା ଦେଖିବାକୁ ମିଳିଛି । ହେଲେ ନିଜ ମାଟିରେ ରୁଷ ସେନାକୁ ସାଙ୍ଘାତିକ ଜବାବ ଦେଇଛି ଯୁକ୍ରେନ । ଫଳରେ ୫ ଦିନର ସଂଘର୍ଷରେ ପ୍ରାୟ ୪୩୦୦ ରୁଷ ସେନା ପ୍ରାଣ ହରାଛନ୍ତି ଓ ୨୦୦ଙ୍କୁ ଧରି ନିଆଯାଇଛି ବୋଲି କୁହାଯାଇଛି । ଖାରକିଭ୍ ଓ କିଭ୍ ଉପକଣ୍ଠରେ ରୁଷ ସୈନ୍ୟ ଶବ ଏଣେତେଣା ବିଛୁରିତ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି ।
ଏଣେ ବର୍ତ୍ତମାନ ସୁଦ୍ଧା ୭ ଲକ୍ଷ ଲୋକ ୟୁକ୍ରେନରୁ ଅନ୍ୟତ୍ର ସ୍ଥାନାନ୍ତର ହୋଇସାରିଛନ୍ତି । ଦେଶର ୧୯୮ ଜଣ ନାଗରିକ ପ୍ରାଣ ହରାଇଛନ୍ତି ବୋଲି ୟୁକ୍ରେନର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ବର୍ତ୍ତମାନ ପାଇଁ ରୁଷର କଡ଼ା ଆଭିମୁଖ୍ୟ ବିରୋଧରେ ୟୁକ୍ରେନ ସହ ଛିଡ଼ା ହୋଇଛନ୍ତି ୨୭ରୁ ଅଧିକ ଦେଶ । ୟୁରୋପ ଆକାଶରେ ରୁଷର ସାମରିକ ଓ ବେସାମରିକ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ୟୁରୋପୀୟ ରାଷ୍ଟ୍ର ସଂଘ । ଏହାସହ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଇଛନ୍ତି ।
ୟୁକ୍ରେନ ମଧ୍ୟ ଦେଶର ସମସ୍ତ ନାଗରିକଙ୍କୁ ସେନାରେ ସାମିଲ ହେବା ଲାଗି ଆହ୍ୱାନ ଦେଇଛି । ଏପରିକି ଜେଲ୍ରେ ଥିବା ବନ୍ଦୀମାନଙ୍କୁ ସେନାରେ ଯୋଗଦେବା ଲାଗି ମୁକୁଲାଇ ଦିଆଯାଇଛି । ୟୁକ୍ରେନ ଭିତରେ ରୁଷିଅାକୁ ପ୍ରବଳ ଗତିରୋଧ ସାମନା କରିବାକୁ ପଡୁଥିବାବେଳେ ପୁତିନଙ୍କର ପରବର୍ତ୍ତୀ ରଣନୀତି କଣ ହେବ ସେନେଇ ଅସ୍ପଷ୍ଟ ରହିଛି ।